୧୯୯୯ ବିଶ୍ବକପ୍‌ର ମଜାଦାର କାହାଣୀ : ହୋଟେଲ ଆଲ୍‌ମିରାରେ ପତ୍ନୀଙ୍କୁ ଲୁଚାଇଥିଲେ ସାକ୍‌ଲିନ୍‌

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ଅଫ୍‌ ସ୍ପିନର ସାକ୍‌ଲିନ୍‌ ମୁସ୍ତାକ୍‌ ମଜାଳିଆ କାହାଣୀ କହିବାରେ ମାହିର। ନିଜ ବାକ୍ୟରେ ଦର୍ଶକଙ୍କୁ କିପରି ବାନ୍ଧି ରଖାଯାଇପାରେ ତାହା ବେଶ୍‌ ଭଲ ଭାବେ ଜାଣନ୍ତି। ନିକଟରେ ଏକ ସାକ୍ଷାତକାରରେ ସେଭଳି ଏକ ମାଜାଦାର କାହାଣୀ ବଖାଣିଛନ୍ତି ସାକ୍‌ଲିନ୍‌। ଇଂଲଣ୍ଡରେ ଆୟୋଜିତ ୧୯୯୯ ବିଶ୍ବକପ୍‌ ବେଳେ କିପରି ନିଜ ହୋଟେଲ ପ୍ରକୋଷ୍ଠର ଆଲ୍‌ମିରା ଭିତରେ ତାଙ୍କ ପତ୍ନୀଙ୍କୁ ଲୁଚାଇ ରଖିଥିଲେ ସେନେଇ ଖୋଲାଖୋଲି ଭାବେ କହିଛନ୍ତି।

୧୯୯୯ ବିଶ୍ବକପ୍‌ ମଝିରେ ପାକିସ୍ତାନ କ୍ରିକେଟ୍‌ ବୋର୍ଡ ହଠାତ୍‌ ତା’ର ଖେଳାଳିମାନଙ୍କୁ ସେମାନଙ୍କ ପରିବାରକୁ ସ୍ବଦେଶ ଫେରାଇଦେବାର ଏକ ନିଷ୍ପତ୍ତି ନେଇଥିଲା। ଏନେଇ ବୋର୍ଡ ମଧ୍ୟ ଖେଳାଳିମାନଙ୍କୁ ଜଣାଇ ଦେଇଥିଲା। କିନ୍ତୁ ସାକ୍‌ଲିନ୍‌ ବୋର୍ଡର ଏଭଳି ପରିବର୍ତିତ ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରିନଥିଲେ। ତେଣୁ ପାକ୍‌ ବୋର୍ଡର ସେହି ନିର୍ଦିଷ୍ଟ ନିଷ୍ପତ୍ତିକୁ ଅନୁସରଣ କରିବେନି ବୋଲି ସ୍ଥିର କରିଥିଲେ। ତେଣୁ ତାଙ୍କ ପତ୍ନୀଙ୍କୁ ସ୍ବଦେଶ ଫେରାଇଦେବା ବଦଳରେ ତାଙ୍କୁ ହୋଟେଲ ପ୍ରକୋଷ୍ଠର ଆଲ୍‌ମିରାରେ ଛପାଇ ରଖିଥିଲେ। ହଁ ଏହାହିଁ ବାସ୍ତବ ସତ୍ୟ ବୋଲି ‘ବିୟଣ୍ଡ ଦି ଫିଲ୍‌ଡ’ ସୋ’ରେ ‌ରୌନକ କପୁରଙ୍କ ସହିତ ସାକ୍ଷାତକାର ବେଳେ ପ୍ରଶଂସକଙ୍କ ସେହି ପ୍ରଶ୍ନ ଉପରେ ସାକ୍‌ଲିନ୍‌ ଉତ୍ତର ରଖିଥିଲେ। ସାକ୍‌ଲିନ୍‌ଙ୍କ କହିବା କଥା ହେଲା, ମୁଁ ପ୍ରକୃତରେ ଡିସେମ୍ବର ୧୯୯୮ରେ ବିବାହ କରିଥିଲି। ମୋ ପତ୍ନୀ ମଧ୍ୟ ଲଣ୍ଡନରେ ରହୁଥିଲେ। ବିବାହକୁ ଗୋଟିଏ ବର୍ଷ ପୂରିନଥିଲା ବେଳେ ବିଶ୍ବକପ୍‌ ଖେଳିବାକୁ ଆମେ ଇଂଲଣ୍ଡ ଯାଇଥିଲୁ। ତେଣୁ ବିଶ୍ବକପ୍‌ ବେଳେ ମୁଁ ମଧ୍ୟ ପତ୍ନୀଙ୍କ ସହ ରହୁଥିଲି। ଦଳ ସହ ଉଭୟ ଦିନ ଓ ସଂଧ୍ୟା ସମୟରେ କଠିନ ପରିଶ୍ରମ ଓ ତାଲିମ ପରେ ମୁଁ ପତ୍ନୀଙ୍କ ସହ ସମୟ ବିତାଉଥିଲି। କିନ୍ତୁ ଅଚାନକ ପତ୍ନୀଙ୍କୁ ସ୍ବଦେଶ ପଠାଇଦେବାକୁ ବୋର୍ଡ କହିଥିଲା। ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା ବେଳେ ଏପରି ଅଚାନକ ନିଷ୍ପତ୍ତି କାହିଁକି ବୋଲି ମୁଁ ମୁଖ୍ୟ ପ୍ରଶିକ୍ଷକ ରିଚାର୍ଡ ପାଇବସ୍‌ଙ୍କୁ ପଚାରିଥିଲି। ଅନ୍ୟ ସାଥୀ ଖେଳାଳିମାନଙ୍କ ଆବଶ୍ୟକତା କେତେ ତାହା ମୁଁ ଜାଣିନଥିଲି, ହେଲେ ପତ୍ନୀଙ୍କୁ ଛାଡ଼ିବାର ନିଷ୍ପତ୍ତିକୁ ମୁଁ ମାନିନଥିଲି ବୋଲି ବିଶ୍ବକପ୍‌ରେ ଜିମ୍ବାୱେ ବିପକ୍ଷରେ ହ୍ୟାଟ୍ରିକ୍‌ ଅର୍ଜନ କରିଥିବା ସାକ୍‌ଲିନ୍‌ କହିଥିଲେ। ବରଂ ପାକିସ୍ତାନ ଦଳର ପ୍ରବନ୍ଧକ ଏବଂ ଅଧିକାରୀମାନେ ଯେତେବେଳେ ହୋଟେଲ ପ୍ରକୋଷ୍ଠ ଯାଞ୍ଚ କରିବାକୁ ଆସିଥିଲେ ସେତେବେଳେ ମୁଁ ପତ୍ନୀଙ୍କୁ ଆଲ୍‌ମିରା (କପ୍‌ବୋର୍ଡ) ଭିତରେ ଲୁଚାଇ ଦେଇଥିଲି ବୋଲି ଏକଦା ‘ସୁସ୍‌ରା’ର ଆବିଷ୍କାରକ ଭାବେ ସେତେବେଳେ ସାରା ବିଶ୍ବରେ ପରିଚିତ ସାକ୍‌ଲିନ୍‌ କହିଥିଲେ। ପ୍ରବନ୍ଧକ ଓ ପ୍ରଶିକ୍ଷକ ପ୍ରକୋଷ୍ଠ ଯାଞ୍ଚ୍‌ କରି ଚାଲିଗଲେ। କିଛି ସାଥୀ ଖେଳାଳି ମଧ୍ୟ ଗପିବା ପାଇଁ ଆସିଥିଲେ। ଦିନେ ଅଚାନକ ଆମେ ଦ୍ବାର ଠକ୍‌ଠକ୍‌ ଶୁଣିବାକୁ ପାଇଲୁ। ସେତେବେଳେ ମୁଁ ପତ୍ନୀଙ୍କୁ କହିଲି ତୁମେ ଆଲ୍‌ମିରା ଭିତରେ ଲୁଚିଯାଅ। ପ୍ରବନ୍ଧକ ଆସି ଯାଞ୍ଚ୍‌ କରି ଫେରିଗଲେ। ଅନ୍ୟ ଜଣେ ଅଧିକାରୀ ମଧ୍ୟ ଆସି ଫେରିଗଲେ। କେହି କିଛି ଜାଣିପାରିଲେନି। ହେଲେ ସେତେବେଳ ପର୍ଯ୍ୟନ୍ତ ପତ୍ନୀ ସେହି ଭିତରେ ହିଁ ରହିଥିଲେ। ଏହାପରେ ଆଝାର ମେହମୁଦ୍‌ ଓ ୟୁସୁଫ୍ ନୂଆ ନିୟମ ସଂପର୍କରେ ମୋ ସହ ଆଲୋଚନା କରିବାକୁ ଆସିଥିଲେ। ପ୍ରକୋଷ୍ଠ ମଧ୍ୟରେ ପତ୍ନୀ ରହିଥିବା ନେଇ ସେମାନେ ସନ୍ଦେହ କରିଥିଲେ। ଶେଷରେ ମୁଁ ସତକଥା କହିଥିଲି ଏବଂ ପତ୍ନୀଙ୍କୁ ଆଲ୍‌ମିରା ଭିତରୁ ବାହାରି ଆସିବାକୁ ପରାମର୍ଶ ଦେଇଥିଲି।

ତେବେ ଅଷ୍ଟ୍ରେଲିଆ ନିକଟରୁ ଆମେ ଫାଇନାଲ୍‌ ହାରିଯିବା ପରେ ମୁଁ ଭାରାକ୍ରାନ୍ତ ଭିତରୁ ବାହାରି ପାରିଥିଲି। ସେତେବେଳେ ପରିବେଶ ଖୁବ୍‌ ଗମ୍ଭୀର ଥିଲା। ପ୍ରତ୍ୟେକ ଭାଙ୍ଗି ପଡ଼ିଥିଲେ। ମୁଁ ହୋଟେଲ ପ୍ରକୋଷ୍ଠକୁ ଫେରି ସେଠାରୁ ବାହାରିଯିବାକୁ ଚାହିଁଲି। ପତ୍ନୀଙ୍କୁ ମଧ୍ୟ ଲଣ୍ଡନରେ ଥିବା ମୋର ଆପାର୍ଟମେଣ୍ଟକୁ ଚାଲିଯିବାକୁ କହିଥିଲି। ମୁଁ ଇଂଲଣ୍ଡରେ କାଉଣ୍ଟି କ୍ରିକେଟ୍‌ ଖେଳୁଥିବାରୁ ସେଠାରେ ମୋତେ ଏକ ଆପାର୍ଟମେଣ୍ଟ ସେମାନେ ଦେଇଥିଲେ ବୋଲି ସାକ୍‌ଲିନ୍‌ କହିଛନ୍ତି। ଏଠାରେ ସୂଚନାଯାଗ୍ୟ, ସାକ୍‌ଲିନ୍‌ ପାକିସ୍ତାନ ପାଇଁ ୪୯ ଟେଷ୍ଟ୍‌ ଏବଂ ୧୬୯ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ଯଥାକ୍ରମେ ୨୦୮ ଓ ୨୮୮ ୱିକେଟ୍‌ ଅକ୍ତିଆର କରିଥିଲେ।

ସମ୍ବନ୍ଧିତ ଖବର