ନୂଆଦିଲ୍ଲୀ : ସେଦିନ ଈଶ୍ୱର ମୋ ପକ୍ଷରେ ଥିଲେ। ମୁଁ ଭାବି ନଥିଲି ଯେ ମାଷ୍ଟର ବ୍ଲାଷ୍ଟର (ସଚିନ୍ ତେନ୍ଦୁଲକର)ଙ୍କୁ ଆଉଟ କରିଦେବି। କିନ୍ତୁ ଏହା ଭଗବାନଙ୍କର ଯୋଜନା ଥିଲା। ଏହାକୁ କିଏ କାଟିପାରିବ ବୋଲି ଭାରତ ବିପକ୍ଷ ଚେନ୍ନାଇ ଟେଷ୍ଟ୍‌ (୧୯୯୯)ର ସ୍ମୃତିକୁ ମନେପକାଇ ପୂର୍ବତନ ପାକିସ୍ତାନୀ ସ୍ପିନର ସାକ୍‌ଲିନ୍‌ ମୁସ୍ତାକ କହିଛନ୍ତି। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ୍‌ ବେଶ୍ ରୋମାଞ୍ଚକର ହୋଇଥିଲା। ଭାରତ ସମ୍ମୁଖରେ ୨୭୧ ରନ୍‌ର ବିଜୟ ଲକ୍ଷ୍ୟ ଥିଲା ବେଳେ ଦଳ ୮୧/୫ରେ ସଂଘର୍ଷ କରୁଥିଲା। ହେଲେ ସଚିନ ଓ ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍ ନୟନ ମୋଙ୍ଗିଆଙ୍କ ମଧ୍ୟରେ ଏକ ସୁନ୍ଦର ଭାଗୀଦାରି ହୋଇଥିଲା। ମୋଙ୍ଗିଆ ୫୨ ରନ୍‌ କରି ଆଉଟ୍‌ ହେବାପରେ ଦଳୀୟ ସ୍କୋର ୨୧୮/୬ ହୋଇଥିଲା। ଏକାକୀ ‌ତେନ୍ଦୁଲକର ଗୋଟିଏ ପଟେ ଲ‌ଢ଼ି ନିଜର ଶତକ ମଧ୍ୟ ହାସଲ କରିବା ସହ ଭାରତକୁ ବିଜୟ ଦିଗରେ ‌ନେଇଥିଲେ। କିନ୍ତୁ ଏହି ସମୟରେ ସଚିନଙ୍କୁ ପାକିସ୍ତାନ ସ୍ପିନ୍ କିଂବଦନ୍ତି ସାକ୍‌ଲିନ୍‌ ଆଉଟ୍‌ କରି ଦେଇଥିଲେ। ଭାରତ ୨୫୮ ରନ୍‌ରେ ଅଟକି ଯିବା ସହ ୧୨ ରନ୍‌ରେ ପରାଜୟ ବରଣ କରିଥିଲା।

Advertisment

ଇନଷ୍ଟାଗ୍ରାମ୍‌ ଚାଟ୍‌ରେ ସାକଲିନ୍‌ ଏହି ଟେଷ୍ଟ୍‌ର ଅନୁଭୂତିକୁ ବର୍ଣ୍ଣନା କରି କହିଛନ୍ତି ଯେ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହା ମୋତେ ଗର୍ବ ‌ଦେବ। ସଚିନଙ୍କୁ ଆଉଟ୍‌ କରିବା ପରେ ମୋ ନାଁ ତାଙ୍କ ସହ ସବୁଦିନ ପର୍ଯ୍ୟନ୍ତ ରହିବ। ୱାସିମ ଆକ୍ରାମ କହିଥିଲେ ଯେ ମୋ ଉପରେ ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି। ମୁଁ କିଛି ଯାଦୁ କରିପାରିବି ବୋଲି ସେ ପୂରା ବିଶ୍ବାସ ରଖିଥିଲେ। ମୁଁ କିନ୍ତୁ ସଚିନଙ୍କୁ ଦୁସ୍‌ରା ପକାଇବାକୁ ଡରୁଥିଲି। ହେଲେ ମୋ ଉପରେ ଥିବା ଆକ୍ରମଙ୍କ ମାତ୍ରାଧିକ ବିଶ୍ବାସ ଯୋଗୁଁ, ମୁଁ ହଠାତ୍ ଅଧିକ ଶକ୍ତିଶାଳୀ ଅନୁଭବ କଲି। ସଚିନଙ୍କୁ ବି ଆଉଟ୍‌ କଲି ବୋଲି ସେ କହିଛନ୍ତି। ଦୁସ୍‌ରା ପକାଇବା ଲାଗି ଡରିବାର କାରଣ ଏହା ଥିଲା ଯେ ପିଚ୍ ମନ୍ଥର ଥିଲା ଏବଂ ସଚିନ ମଧ୍ୟ ସବୁଦିଗକୁ ସଟ୍ ମାରିବାରେ ମାହିର ଥିଲେ। କିନ୍ତୁ ତା'ପରେ, ଭଗବାନଙ୍କ କୃପାରୁ ମୁଁ ତାଙ୍କୁ ପାଭିଲିୟନ ପଠାଇ ଦଳକୁ ବିଜୟ ଭେଟି ଦେବାର ସୌଭାଗ୍ୟ ପାଇଥିଲି ବୋଲି ସାକ୍‌ଲିନ କହିଛନ୍ତି। ଭାରତ ଭ୍ରମଣ ସବୁବେଳେ ମଜାଦାର। ଲୋକମାନେ ବେଶ୍ ମେଳାପୀ ଓ ସ୍ନେହୀ ଥିଲେ। ସପିଂକୁ କଲେ କି ରେଷ୍ଟୁରାଣ୍ଟରେ ଯାଇ ହାଇଦ୍ରାବାଦ ବିରିୟାନି ଖାଇଲେ ଦୋକାନୀ ଟଙ୍କା ନେବାକୁ ଚାହାନ୍ତି ନାହିଁ ବୋଲି ସେ କହିଛନ୍ତି।