କଟକ: ଓସିଏରେ ଓଡ଼ିଶା ସରକାରୀ ପ୍ରେସ୍ (ଓଜିପି)ର ପ୍ରତିନିଧିତ୍ବକୁ ନେଇ ଦୀର୍ଘଦିନର ବିବାଦ ଏବେ ନୂଆ ମୋଡ଼ ନେଇଛି। ପୂର୍ବରୁ ଓଜିପି କ୍ଲବ୍କୁ ବୀରେନ୍ ବେହେରା ପ୍ରତିନିଧିତ୍ବ କରିଆସୁଥିଲା ବେଳେ ଏହାକୁ ବିରୋଧ କରାଯାଉଥିଲା। କାରଣ ବୀରେନ୍ ୨୦୧୮ ମସିହାରୁ ଆବସର ନେଇସାରିଥିବାରୁ ତାଙ୍କ ପ୍ରତିନିଧିତ୍ବ ନାକଚ ବୋଲି ଓଜିପିକୁ କୁହାଯାଉଥିଲା। କିନ୍ତୁ ଏକ କୋର୍ଟ ନିର୍ଦ୍ଦେଶକୁ ଆଳ କରି ସେ ଏପର୍ଯ୍ୟନ୍ତ ଓସିଏ ଏବଂ ଅନ୍ୟାନ୍ୟ ସଂଘରେ ଓଜିପିକୁ ପ୍ରତିନିଧିତ୍ବ କରିଆସୁଛନ୍ତି ଓ ସମସ୍ତ ଲାଭ ଉଠାଉଛନ୍ତି। ହେଲେ ଏଥର ଓଜିପି ନିର୍ଦ୍ଦେଶକ ବିଜୟ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ସାରଦା ପ୍ରସାଦ ମହାନ୍ତିଙ୍କ ନାମକୁ ଓସିଏ ଏଜିଏମ୍ ଓ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟକୁ ପଠାଯାଇଛି।
ଗତ ୨୦୧୯ ନିର୍ବାଚନରେ ମଧ୍ୟ ଓଜିପିରୁ ସାରଦାଙ୍କ ନାମ ପଠାଯାଇଥିଲେ ସୁଦ୍ଧା ବୀରେନ୍ କୋର୍ଟ ନିର୍ଦ୍ଦେଶକୁ ଆଧାର କରି ନିର୍ବାଚନରେ ଭୋଟ ଦେଇଥିଲେ। ପୂର୍ବଥର ପରି ଏଥର ମଧ୍ୟ ନିର୍ବାଚନ ଅଧିକାରୀ ଭାବେ ଏମ୍. ଏଲ୍. ମଜୁମଦାର ନିଯୁକ୍ତ ହୋଇଥିବାରୁ ଓଜିପି ପ୍ରତିନିଧିତ୍ବକୁ ସେ କେଉଁ ଦୃଷ୍ଟିରେ ଦେଖିବେ ତାହା ୧୨ ତାରିଖରେ ପ୍ରକାଶିତ ହେବାକୁ ଥିବା ଚୂଡ଼ାନ୍ତ ଭୋଟର ତାଲିକାରୁ ଜଣାପଡ଼ିବ। ଏସଂପର୍କରେ ବୀରେନ୍ କହିଛନ୍ତି ଯେ ନାମ ପଠାଇବାକୁ ୫ ତାରିଖ ପର୍ଯ୍ୟନ୍ତ ଶେଷ ସମୟ ରହିଛି। ଓକିଲଙ୍କ ପରାମର୍ଶ ନେବା ପରେ ମୋର ନାମ ଦେବି କି ନାହିଁ ଚିନ୍ତା କରିବି। ମୁଁ ଆଇନ ବାଟରେ ଯିବି। ଏହାକୁ ଓସିଏ ନିର୍ବାଚନ ଅଧିକାରୀ ଗ୍ରହଣ କରିବେ କି ନାହିଁ ତାହା ତାଙ୍କର ଇଚ୍ଛାଧୀନ ବ୍ୟାପାର। ତେଣୁ ଶେଷ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ବୀରେନ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।