ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ହିରୋ ହକି ଇଣ୍ଡିଆ ଲିଗ୍‌ (ହିଲ୍‌) ‘ହକି କା ଜସ୍ନ’ ଦମ୍‌ଦାର ଢଙ୍ଗରେ ଫେରିବାକୁ ଯାଉଛି। ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍‌ରେ ଏହାର ଉଦ୍‌ଘାଟନୀ ସମାରୋହ ଚଳିତ ମାସ ୨୮ ତାରିଖରେ ପ୍ରଥମ ମ୍ୟାଚ୍‌ ପୂର୍ବରୁ ଅନୁଷ୍ଠିତ ହେବ। ହିଲ୍‌ର ଥିମ୍‌ ‘ହକି କା ଜସ୍ନ’ରେ ଭାରତୀୟ ସେଲିବ୍ରିଟିମାନେ ନିଜର ଚମକ ଦେଖାଇବେ। ବଲିଉଡ୍‌ ତାରକା ସାରା ଅଲୀ ଖାନ ଏବଂ ନାମୀ କଳାକାର କିଙ୍ଗ ଏହି ସଂଧ୍ୟାରେ ଦର୍ଶକଙ୍କୁ ଝୁମାଇବେ। ଏମାନଙ୍କ ସହ ସିଆମାକ ଡାଭର ଡ୍ୟାନ୍ସ ଟ୍ରୁପ୍‌ ମଧ୍ୟ ନିଜର ଜଲୱା ଦେଖାଇବ। ପୂର୍ବରୁ ହକି ଇଣ୍ଡିଆ ଉଦ୍‌ଘାଟନୀ ଉତ୍ସବ ସହ ସମସ୍ତ ମ୍ୟାଚ୍‌ ଲାଗି ମାଗଣା ଟିକେଟ୍‌ ବ୍ୟବସ୍ଥା କରିଥିବାରୁ ବହୁ ଦର୍ଶକ ଷ୍ଟାଡିୟମ୍‌ ଆସିବାର ସମ୍ଭାବନା ରହିଛି। ‘ହିଲ୍‌’ର ଅଧ୍ୟକ୍ଷ ଦିଲୀପ ତିର୍କି କହିଛନ୍ତି ଯେ ‘‘ରାଉରକେଲାରେ ହକି ପ୍ରତି ଗଭୀର ପ୍ରେମ ରହିଛି। ଆମେ ଉଦ୍‌ଘାଟନୀ ଉତ୍ସବକୁ ଚମତ୍କାର ଢଙ୍ଗରେ କରିବାକୁ ଯାଉଥିବାରୁ ବହୁତ ଖୁସି’’। ଉଦ୍‌ଘାଟନୀ ଉତ୍ସବ‌ ସହ ମ୍ୟାଚ୍‌ ଗୁଡ଼ିକର ସିଧାପ୍ରସରଣ ଡିଡି ସ୍ପୋର୍ଟ୍ସରେ ହେବ।