ମୁମ୍ବାଇ: ମାଷ୍ଟର୍ ବ୍ଲାଷ୍ଟର୍ ସଚିନ ତେନ୍ଦୁଲକରଙ୍କୁ ଗୁରୁବାର ୫୨ ପୂରିଛି। ଏହି ଅବସରରେ ଝିଅ ସାରା ତାଙ୍କୁ ହୃଦୟର ଅନ୍ତଃକୋଣରୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ସାରା ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ସଚିନ ତାଙ୍କୁ ଶିଖାଇଥିବା ନୈତିକତା ଓ ମାନବିକତାକୁ ସମ୍ମାନ ଜଣାଇଛନ୍ତି। ସେ ଲେଖିଛନ୍ତି, ନିର୍ଭୀକ ହେବା, ଦୟା ଦେଖାଇବା, ସମସ୍ତଙ୍କୁ ସମ୍ମାନ ଦେଖାଇବା ଏବଂ ଛୋଟଛୋଟ ଜିନିଷକୁ ନେଇ ଖୁସି ହେବାର ଭାବନା ତୁମେ ମୋତେ ଶିଖାଇଛ ବାବା।
ମୋର ମନେଅଛି, ତୁମେ କିଭଳି ଭଙ୍ଗା ବାହୁରେ ମୋତେ ଧରି ବୁଲାଉଥିଲ। କଷ୍ଟ ହେବା ସତ୍ତ୍ବେ ମୋତେ ଖୁସି କରିବାକୁ ସବୁକିଛି କରୁଥିଲ। ମଜା କରିବା, ହସିବା ଓ ଜୀବନକୁ ଭରପୂର ଉପ ଭୋଗ କରିବାର ଯେଉଁ କଳା ତୁମେ ମୋ ବ୍ୟକ୍ତିତ୍ବରେ ଭରିଛ, ସେଥିପାଇଁ ଅଶେଷ ଅଶେଷ କୃତଜ୍ଞତା। ମୋ ଜୀବନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିଙ୍କୁ ଜନ୍ମଦିନର ଢେର୍ ସାରା ଶୁଭକାମନା।