ଗ୍ୟାଲେରିରୁ ଶରତଙ୍କୁ ଉତ୍ସାହିତ କଲେ ପରିବାର

ଶରତ ଜଣେ ବିଜେତା ଭଳି ଖେଳିଛି: ବାପା

କଟକ: ଭାରତୀୟ ଦଳରେ ସୁଯୋଗ ପାଇବାକୁ ଶରତ କମଲଙ୍କୁ ବହୁତ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା। କ୍ୟାଡେଟ୍‌, ଉପକନିଷ୍ଠ, କନିଷ୍ଠ, ବରିଷ୍ଠ ସମସ୍ତ ବିଭାଗରେ ଶରତ ରାଜ୍ୟ ବିଜେତା ହୋଇଥିଲେ ବି ଦେଶକୁ ପ୍ରତିନିଧିତ୍ବ କରବା ସୁଯୋଗ ଡେରିରେ ପାଇଥିଲା। କିନ୍ତୁ ନିଜର ନିଷ୍ଠା ଓ ଆତ୍ମବିଶ୍ବାସ ଯୋଗୁଁ ଶରତ ଏବେ ବିଶ୍ବର ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ପରିଗଣିତ ହେଉଥିବା ତାଙ୍କର ବାପା ଏ ଶ୍ରୀନିବାସ ରାଓ କହିଛନ୍ତି। ଚଳିତ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପ୍ରତିଯୋଗିତାରେ ଶରତ ଭାରତୀୟ ଦଳର ନେତୃତ୍ବ ନେଉଥିବା ବେଳେ ତାଙ୍କୁ ଉତ୍ସାହିତ କରିବାକୁ ପରିବାର ଲୋକେ ଏଠାକୁ ଆସିଛନ୍ତି। ଶରତଙ୍କ ବାପା ଶ୍ରୀନିବାସଙ୍କ ସହିତ ମା’ ଏ ଅନ୍ନପୂର୍ଣ୍ଣା, ବଡ଼ ବାପା ଏ ସୁଦର୍ଶନ ରାଓ, ବଡ ମା’ ଏ ତୁଳସୀ, ଆନ୍ଧ୍ରପ୍ରଦେଶ ରାଜମୁଣ୍ଡି ଏଠାରେ ମ୍ୟାଚ୍‌ ଦେଖିବାକୁ ଆସିଛନ୍ତି। ଶନିବାର ପରିବାର ଲୋକେ ପୁରୀ ଶ୍ରୀମନ୍ଦିର ବୁଲିବାକୁ ଯାଇଥିବା ବେଳେ ରବିବାର ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଯାଇ ମହାପ୍ରଭୂଙ୍କ ଦର୍ଶନ କରିଆସିଛନ୍ତି। ଯଦିଓ ରବିବାର ମିଶ୍ରିତ ଯୁଗଳ ଓ ଏକକରେ ଶରତ ପରାଜିତ ହୋଇଥିଲେ ତଥାପି ଏ ସମୟରେ ପରିବାର ପକ୍ଷରୁ ତାଙ୍କୁ ପୂର୍ଣ୍ଣ ସମର୍ଥନ କରାଯାଇଥିଲା। ଶରତଙ୍କ ନିୟମିତ ମିଶ୍ରିତ ଯୁଗଳ ସାଥୀ ମନିକା ବାତ୍ରା ଅସୁସ୍ଥ ଥିବାରୁ ତାଙ୍କ ସ୍ଥାନରେ କନିଷ୍ଠ ଖେଳାଳି ଶ୍ରୀଜା ଆକୁଳାଙ୍କୁ ସୁଯୋଗ ଦିଆଯାଇଥିଲା। ଭଲ ପ୍ରଦର୍ଶନ କରି ସେମାନେ କ୍ବାର୍ଟର ଫାଇନାଲ୍‌ ପର୍ଯ୍ୟନ୍ତ ଯାଇଥିଲେ ଏବ˚ ଏକକ କ୍ବାର୍ଟର ଫାଇନାଲ୍‌ରେ ଲଢ଼େଇ କରି ଶରତ ୩-୪ରେ ପରାସ୍ତ ହୋଇଥିଲେ। କିନ୍ତୁ ଜଣେ ବିଜେତା ଭଳି ସେ ମ୍ୟାଚ୍‌ରେ ପ୍ରଦର୍ଶନ କରିଥିଲେ ବୋଲି ବାପା ଶ୍ରୀନିବାସ କହିଛନ୍ତି।

ଶରତଙ୍କ ବାପା ଶ୍ରୀନିବାସଙ୍କ ସହ ଦାଦା ମୁରଲୀଧର ରାଓ ରାଜ୍ୟ ପାଇଁ ଟେବୁଲ ଟେନିସ୍‌ ଖେଳୁଥିଲେ ବି କେବେ ଭାରତକୁ ପ୍ରତିନିଧିତ୍ବ କରିପାରିନଥିଲେ। ତେଣୁ ଶରତ ସେମାନଙ୍କ ସ୍ବପ୍ନ ସାକାର କରିବ ବୋଲି ଉଭୟେ ଆଶା ରଖିଥିଲେ। ୪ବର୍ଷ ବୟସରୁ ଶରତ ଟେବୁଲ ଟେନିସ ଖେଳିବା ଆରମ୍ଭ କରଥିଲା ବେଳେ ୨୦୦୪ରେ ପ୍ରଥମ ଥର ପାଇଁ ଭାରତକୁ ପ୍ରତିନିଧିତ୍ବ କରିଥିଲା। ବର୍ତ୍ତମାନର ପ୍ରଶିକ୍ଷକ ସୌମ୍ୟଦୀପ ରାଏଙ୍କୁ ସାଥୀ କରି କ୍ବାଲାଲମ୍ପୁରରେ ଦଳଗତ ବିଭାଗରେ ସ୍ବର୍ଣ୍ଣ ଓ ଏକକରେ ମଧ୍ୟ ପଦକ ଜିତିଥିଲେ। ଏବେ ବି ଜିତିବା ଭୋକ ମେଣ୍ଟୁନଥିବା ବେଳେ ପ୍ରତ୍ୟେକ ମ୍ୟାଚ୍‌ରେ ନିଜର ଶତ ପ୍ରତିଶତ ଚେଷ୍ଟା ଦେଉଥିବା ଶ୍ରୀନିବାସ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୯ ରାଜ୍ୟଗୋଷ୍ଠୀ ପଦକ ସହ ୯ ଥର ଜାତୀୟ ବିଜେତା ହୋଇ ଶରତ କୀର୍ତ୍ତିମାନ କରିଛନ୍ତି। ଏବେ ସେ ସମସ୍ତ ବିଭାଗରେ ଟ୍ରଫି ଜିତିସାରିଛନ୍ତି। କେବଳ ଅଲିମ୍ପିକ୍‌ ପଦକ ତାଙ୍କର ଲକ୍ଷ୍ୟ ରହିଛି। ତେଣୁ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ସେ ପ୍ରସ୍ତୁତ ହେଉଥିବା ବାପା ଶ୍ରୀନିବାସ କହିଛନ୍ତି।

ସମ୍ବନ୍ଧିତ ଖବର