ଶରତଙ୍କ ପ୍ରତୀକ୍ଷାର ଅନ୍ତ, ଜିତିଲେ ଓମାନ ଓପନ୍‌ ଟ୍ରଫି

ମସ୍କାଟ୍‌: ପ୍ରାୟ ଏକ ଦଶନ୍ଧୀ ଧରି ଟ୍ରଫି ଜିତିବା ଅପେକ୍ଷାର ଅବସାନ ଘଟାଇଛନ୍ତି ଭାରତୀୟ ଟେବୁଲ ଟେନିସ୍‌ ତାରକା ଅଚନ୍ତ ଶରତ କମଲ। ରବିବାର ଏଠାରେ ଚାଲିଥିବା ଆଇଟିଟିଏଫ୍‌ ଚ୍ୟାଲେଞ୍ଜର୍‌ ପ୍ଲସ୍‌ ଓମାନ୍ ଓପନ୍‌ ପୁରୁଷ ଏକକ ଫାଇନାଲ୍‌ରେ ଶୀର୍ଷମାନ୍ୟତାପ୍ରାପ୍ତ ପର୍ତୁଗାଲ ତାରକା ମାର୍କସ୍‌ ଫ୍ରିଟାସ୍‌ଙ୍କୁ ୬-୧୧, ୧୧-୮, ୧୨-୧୦, ୧୧-୯, ୩-୧୧ ଓ ୧୭-୧୫ରେ ପରାସ୍ତ କରି ୩୭ ବର୍ଷ ବୟସ୍କ ଶରତ ଟ୍ରଫି କରାୟତ କରିଛନ୍ତି। ୨୦୧୦ ପରେ ଏହା ମଧ୍ୟ ଶରତଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜର ଫାଇନାଲ୍‌ ଥିଲା। ଶେଷଥର ପାଇଁ ୨୦୧୦ ଇଜିପ୍ଟ ଓପନ୍‌ ଟ୍ରଫି ଜିତିବା ପରଠୁ ସେ ଆଉ କୌଣସି ଟ୍ରଫି ଜିତିବାରେ ସମର୍ଥ ହୋଇନଥିଲେ। ଏହାପରଠୁ ସେ ଦୁଇଟି ପ୍ରତିଯୋଗିତା (୨୦୧୧ ମରକ୍କୋ ଓପନ୍‌ ଏବଂ ୨୦୧୭ ଇଣ୍ଡିଆ ଓପନ୍‌)ର ସେମିଫାଇନାଲ୍‌ରେ ପହଞ୍ଚିଥିଲେ ମଧ୍ୟ ଝୁଣ୍ଟିଥିଲେ। ହେଲେ ରବିବାର ଓମାନ ଓପନ୍‌ ଜିତି ୧୦ ବର୍ଷ ଧରି ଏହି ମରୁଡ଼ିର ଅବସାନ ଘଟାଇଛନ୍ତି। ଏହା ପୂର୍ବରୁ ଶନିବାର ଉତ୍କଣ୍ଠାପୂର୍ଣ୍ଣ ସେମିଫାଇନାଲ୍‌ରେ ଚମତ୍କାର ପ୍ରଦର୍ଶନ ଜରିଆରେ ଚତୁର୍ଥ ମାନ୍ୟତାପ୍ରାପ୍ତ ଶରତ ରୁଷିଆର କିରିଲ ସ୍କାଚ୍‌କୋଭ୍‌ଙ୍କୁ ୧୧-୧୩, ୧୧-୧୩, ୧୩-୧୧, ୧୧-୯, ୧୩-୧୧, ୮-୧୧ ଓ ୧୧-୭ରେ ପରାସ୍ତ କରିଥିଲେ।

ସମ୍ବନ୍ଧିତ ଖବର