ରାଉରକେଲା: ପ୍ରାୟ ଦେଢ଼ ମାସର ବ୍ୟବଧାନ ପରେ ରାଉରକେଲାକୁ ହକି ଫେରିଛି। ତେବେ ଏଥର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ କୌଣସି ଅନ୍ତର୍ଜାତୀୟ କିମ୍ବା ଜାତୀୟ ହକି ପ୍ରତିଯୋଗିତା ଖେଳାଯିବ ନାହିଁ, ବରଂ ପ୍ରାୟ ଦେଢ଼ ମାସ ଧରି ଉପକନିଷ୍ଠ ବାଳକ ଓ ବାଳିକା ବର୍ଗର ଜାତୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ। ସୋମବାରଠାରୁ ଆରମ୍ଭ ହେବାକୁଥିବା ଏହି ଶିବିରରେ ଉଭୟ ବାଳକ ଓ ବାଳିକା ବର୍ଗର ୪୦ ଜଣ ଲେଖାଏଁ ଯୁବ ଖେଳାଳି ସାମିଲ ହୋଇଛନ୍ତି। ବାଳକ ଦଳକୁ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂହ ଓ ଲାଜାରୁସ ବାର୍ଲା ଏବଂ ବାଳିକା ଦଳକୁ ଭାରତୀୟ ମହିଳା ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ, ପୂର୍ବତନ ଖେଳାଳି ଆସ୍ମିତା ଲାକ୍ରା ଏବଂ ଲିଳିମା ମିଞ୍ଜ ପ୍ରଶିକ୍ଷଣ ଦେବେ। ଜାତୀୟ ପ୍ରଶିକ୍ଷଣ ଶିବିର ପାଇଁ ସମସ୍ତ ଖେଳାଳି, ପ୍ରଶିକ୍ଷକ, ସପୋର୍ଟ୍ ଷ୍ଟାଫ୍ ରାଉରକେଲାରେ ପହଞ୍ଚିସାରିଲେଣି।
ବାଳକ ବର୍ଗରେ ଓଡ଼ିଶାର ୭ ଜଣ ଖେଳାଳି ସାମିଲ ହୋଇଛନ୍ତି। ସେମାନେ ହେଉଛନ୍ତି-ଡିଫେଣ୍ଡର୍ ପ୍ରଦୀପ ମଣ୍ଡଳ ଓ ରୋହିତ କୁଲ୍ଲୁ, ଫର୍ୱାର୍ଡ୍ ଦୀପକ ପ୍ରଧାନ, ୟୋଜିନ ମିଞ୍ଜ ଓ ଦେଓନାଥ ନାନୱାର, ମିଡ୍ଫିଲ୍ଡର ସୁରେଶ ଶର୍ମା ଏବଂ ଗୋଲ୍କିପର ଅଭିମନ୍ୟୁ ଗୌଡ଼। ଅପରପକ୍ଷରେ ବାଳିକା ବର୍ଗରେ ଓଡ଼ିଶାର ୯ ଜଣ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ-ଡିଫେଣ୍ଡର୍ ସୁସ୍ମିତା ଡୁଙ୍ଗଡୁଙ୍ଗ ଓ ଅମୀଷା ଏକ୍କା, ମିଡ୍ଫିଲଡର୍ ପୂଜା ମାଝୀ ଓ ନୀଶା ଡାଡେଲ ତଥା ଫର୍ୱାର୍ଡ୍ ଡଲି ଭୋଇ, ଦୀପିକା ବରୁଆ, ତନୁଜା ଟପ୍ପୋ, କରୁଣା ମିଞ୍ଜ ଏବଂ ମିନତି ମିଞ୍ଜ।
ଖେଳାଳିଙ୍କ ପାଇଁ ଖୋଲିଲା ବିଶ୍ବକପ୍ ଗ୍ରାମ
ପୁରୁଷ ହକି ବିଶ୍ବକପ ସମୟରେ ଖେଳାଳି, କୋଚ୍, ସପୋର୍ଟ୍ ଷ୍ଟାଫ୍ଙ୍କ ରହଣି ପାଇଁ ପ୍ରାୟ ୮୪ କୋଟି ଟଙ୍କା ବିନିଯୋଗରେ ଷ୍ଟାଡିୟମ ନିକଟରେ ‘ହକି ବିଶ୍ବକପ୍ ଗ୍ରାମ ନିର୍ମାଣ କରାଯାଇଥିଲା। ଏହି ଅତ୍ୟାଧୁନିକ କଂପ୍ଲେକ୍ସରେ ୨୨୫ଟି କୋଠରି ଥିବାବେଳେ ଏକାସାଙ୍ଗରେ ୮ଟି ଦଳ ରହିବାର କ୍ଷମତା ରହିଛି। ତେବେ ବିଶ୍ବକପ ଶେଷ ହେବାପରେ ଏହାକୁ ଖେଳାଳିଙ୍କ ପାଇଁ ବନ୍ଦ କରି ଦିଆଯାଇଥିଲା। ଏମିତିକି ଗତ ମାର୍ଚ୍ଚ ମାସରେ ଅନୁଷ୍ଠିତ ପ୍ରୋ-ଲିଗ୍ରେ ଭାରତ ସମେତ ଜର୍ମାନୀ ଓ ଅଷ୍ଟ୍ରେଲିଆ ଦଳ ପାଇଁ ମଧ୍ୟ ଏହା ଖୋଲିନଥିଲା। ଫଳରେ ତିନି ଦଳ ସହରରେ ଥିବା ଭିନ୍ନ ଭିନ୍ନ ହୋଟେଲରେ ରହିଥିଲେ। ଏମିତିକି ସହର ଉପକଣ୍ଠ ବେଦବ୍ୟାସରେ ଥିବା ଏକ ହୋଟେଲରେ ଭାରତୀୟ ଦଳ ରହିଥିଲା। ସେହିଭଳି ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯାଇଥିବା ଜାତୀୟ ଉପକନିଷ୍ଠ ବାଳକ ଓ ବାଳିକା ପ୍ରତିଯୋଗିତାରେ ଖେଳାଳିମାନେ ବେଦବ୍ୟାସ ହାଉସ୍ରେ ରହିଥିଲେ।
ଉଲ୍ଳେଖଯୋଗ୍ୟ, ୧୩ତମ ଜାତୀୟ ଉପକନିଷ୍ଠ ବାଳିକା ପ୍ରତିଯୋଗିତା ମେ ୪ରୁ ୧୪ ତାରିଖ ଯାଏ, ଉପକନିଷ୍ଠ ବାଳକ ପ୍ରତିଯୋଗିତା ମେ ୧୮ରୁ ୨୮ ଯାଏ, ଜାତୀୟ କନିଷ୍ଠ ବାଳକ ଜୁନ ୧୨ରୁ ୨୨ ଯାଏ ଓ କନିଷ୍ଠ ବାଳିକା ଜୁନ ୨୭ରୁ ଜୁଲାଇ ୭ ଯାଏ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଖେଳା ଯାଇଥିଲା। ସେତେବେଳେ ଖେଳାଳିଙ୍କୁ ହକି ବିଶ୍ବକପ ଗ୍ରାମରେ ରହିବାର ସୁଯୋଗ ମିଳିପାରି ନଥିଲା। ଫଳରେ ଖେଳାଳିମାନେ ଟାଣ ଖରା ଓ ଗରମରେ ବେଦବ୍ୟାସ ହାଉସ୍ରେ ରହିବାକୁ ବାଧ୍ୟ ହୋଇଥିଲେ। ସଂପ୍ରତି ଏହି ବିଶ୍ବକପ ଗ୍ରାମକୁ ଭଡ଼ାରେ ଲଗାଇବାକୁ ରାଜ୍ୟ କ୍ରୀଡ଼ା ଓ ଯୁବବ୍ୟାପାର ବିଭାଗ ପକ୍ଷରୁ ଟେଣ୍ଡର୍ ପ୍ରକ୍ରିୟା ଆରମ୍ଭ ହୋଇଛି।