ସର୍ଦାର ବାଦ୍‌: ଓଡ଼ିଶାରୁ ୩ ବୀରେନ୍ଦ୍ର, ଦୀପ୍‌ସାନ୍‌, ଅମିତ୍‌

ନୂଆଦିଲ୍ଲୀ: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍‌ରେ ଆସନ୍ତା ଡିସେମ୍ବର ୧ ତାରିଖରୁ ଆୟୋଜିତ ହେବାକୁ ଯାଉଥିବା ହକି ବିଶ୍ୱ ଲିଗ୍‌ ଫାଇନାଲ୍‌ ପାଇଁ ଭାରତୀୟ ଦଳରେ ୩ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ଏହି ତିନି ଜଣଙ୍କ ମଧ୍ୟରୁ ବୀରେନ୍ଦ୍ର ଲାକ୍ରା ବର୍ଷ ଶେଷର ଏହି ପ୍ରତିଯୋଗିତା ଜରିଆରେ ଦଳକୁ ପ୍ରତ୍ୟାବର୍ତନ କରିଥିଲା ବେଳେ କନିଷ୍ଠ ବିଶ୍ୱକପ୍‌ ଦଳର ଯୁବ ତାରକା ଦିପ୍‌ସାନ ତିର୍କି ଓ ଅମିତ ରୋହିଦାସ ନିଜ ନିଜ ସ୍ଥାନ ସୁରକ୍ଷିତ ରଖିଛନ୍ତି। ଚଳିତ ବର୍ଷର ହକି ଇଣ୍ଡିଆ ଲିଗ୍‌ରେ ତାଙ୍କ ଚମତ୍କାର ପ୍ରଦର୍ଶନ ହିଁ ଓଡ଼ିଆ ତାରକା ଅମିତ ରୋହିଦାସଙ୍କୁ ଦଳରେ ସ୍ଥାନ ଜମାଇବାର ସୁଯୋଗ ଦେଇଥିଲା ବେଳେ ୟୁରୋପ ଗସ୍ତ ଓ ଏସିଆ କପ୍‌ରେ ଦମ୍‌ଦାର ପ୍ରଦର୍ଶନ ଭିତ୍ତିରେ ଦିପ୍‌ସାନ୍‌ ଦଳରେ ସ୍ଥାନ ସୁରକ୍ଷିତ କରିପାରିଛନ୍ତି। ଫଳରେ ଭୁବନେଶ୍ୱରରେ ୩ ଓଡ଼ିଆଙ୍କ ଚମକ ରାଜ୍ୟ ହକିପ୍ରେମୀ ନିକଟରୁ ଦେଖିବାକୁ ପାଇବେ। ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ରେ ସମ୍ଭାବ୍ୟ ୩୫ ଜଣ ଖେଳାଳିଙ୍କୁ ନେଇ ୧୮ ଦିନ ଧରି ଚାଲିଥିବା ପ୍ରଶିକ୍ଷଣ ଶିବିରରୁ ହକି ଇଣ୍ଡିଆ ଶୁକ୍ରବାର ଚୂଡାନ୍ତ ୧୮ ଜଣିଆ ଦଳ ବଛାଯାଇଛି। ଦୁଇ ଜଣ ଗୋଲ୍‌ରକ୍ଷକ, ୬ ରକ୍ଷଣଭାଗ, ୫ ମଧ୍ୟଭାଗ ଓ ୫ ପୂରୋଭାଗ ଖେଳାଳିଙ୍କୁ ନେଇ ଦଳ ଗଠନ କରାଯାଇଛି। ମନ୍‌ପ୍ରୀତ୍‌ ସିଂହଙ୍କ ନେତୃତ୍ୱରେ ଗଠିତ ଏଡି ଦଳରେ ଚିଙ୍ଗଲସାନା ସିଂହ ଉପଅଧିନାୟକ ରହିଛନ୍ତି। ବୀରେନ୍ଦ୍ରଙ୍କ ପ୍ରତ୍ୟାବର୍ତନ ଦଳର ଶକ୍ତି ବଢ଼ାଇବ ବୋଲି ଦଳର ମୁଖ୍ୟ ପ୍ରଶିକ୍ଷକ ଜୋର୍ଡ ମାରିନ୍‌ କହିଥିଲା ବେଳେ ପୂର୍ବ ଅଧିନାୟକ ସର୍ଦାର ସିଂହଙ୍କ ବାଦ୍‌ ପଡ଼ିବା ଉଲେଖନୀୟ ରହିଛି। ଏପରିକି ଭାରତୀୟ ହକିରେ ସର୍ଦାରଙ୍କ ଯୁଗ ଶେଷ ହୋଇଯିବାର ଆଶଙ୍କା ବି ଦେଖାଦେଇଛି।

ଚଳିତ ବର୍ଷ ଖେଳରତ୍ନ ସମ୍ମାନ ହାତେଇଥିବା ପୁରୁଖା ମଧ୍ୟଭାଗ ତାରକା ସର୍ଦାର ଗତ ମାସରେ ଏସିଆ କପ୍‌ ବିଜେତା ଭାରତୀୟ ଦଳର ସଦସ୍ୟ ଥିଲେ। ଏସିଆ କପ୍‌ରେ ବି ସେ ବିଶେଷ ଖରାପ ପ୍ରଦର୍ଶନ କରିନଥିଲେ। ଯୁବ ଅଧିନାୟକ ମନ୍‌ପ୍ରୀତ୍‌ଙ୍କ ସହ ସେ ମଧ୍ୟଭାଗ ସମ୍ଭାଳିଥିଲେ। ହେଲେ ଏସିଆ କପ୍‌ ପୂର୍ବରୁ ରୋଏଲାଣ୍ଟ୍‌ ଓଲ୍‌ଟମାନ୍‌ଙ୍କ ପ୍ରଶିକ୍ଷଣରେ ଦଳର ନେତୃତ୍ୱ ଭାର ସମ୍ଭାଳୁଥିବା ସର୍ଦାର ବେଙ୍ଗାଲୁରୁ ପ୍ରଶିକ୍ଷଣ ଶିବିରରେ ନୂଆ ପ୍ରଶିକ୍ଷକ ଜୋର୍ଡ ମାରିନ୍‌ଙ୍କୁ ସମ୍ଭବତଃ ପ୍ରଭାବିତ କରିପାରିଲେନି। ଫଳରେ ସର୍ଦାରଙ୍କ ବାଦ୍‌ ପଡ଼ିବା ସବୁଠୁ ବଡ଼ ଘଟଣା ଥିଲା ବେଳେ ସଂପୂର୍ଣ୍ଣ ସୁସ୍ଥ ହୋଇଥିବା ବୀରେନ୍ଦ୍ରଙ୍କ ସାଙ୍ଗକୁ ରୂପୀନ୍ଦର ପାଲ୍‌ ସିଂହ ଫେରିବା ଆଶ୍ୱସ୍ତ କରିଛି। ଆହତ ଯୋଗୁଁ ରିଓ ଅଲିମ୍ପିକ୍ସରୁ ବଞ୍ଚିତ ହୋଇଥିବା ବୀରେନ୍ଦ୍ରଙ୍କର ଦଳକୁ ଯିବା ଆସିବା ଲାଗି ରହିଥିଲେ ମଧ୍ୟ ସ୍ଥାନ ସୁରକ୍ଷିତ କରିପାରୁନଥିଲେ। ହେଲେ ଏହାଭିତରେ ସେ ଶାରିରୀକ ଭାବେ ସୁସ୍ଥ ହୋଇଯାଇଥିବା ପ୍ରଶିକ୍ଷଣ ଶିବିରରେ ବାରି ହୋଇପଡ଼ିଥିଲା। ତାଙ୍କ ବ୍ୟତୀତ ଆହତ ଯୋଗୁଁ ପ୍ରାୟ ୫ ମାସ ଧରି ବାହାରେ ରହିଥିବା ରୂପୀନ୍ଦର ମଧ୍ୟ ପୂରା ସୁସ୍ଥ ହୋଇ ଫେରିଛନ୍ତି। ରୂପୀନ୍ଦର ହକି ବିଶ୍ୱ ଲିଗ୍‌ ସେମିଫାଇନାଲ୍‌ ପୂର୍ବରୁ ୟୁରୋପ ଗସ୍ତରେ ଶେଷ ଥର ପାଇଁ ଖେଳିଥିଲେ। ସେହିପରି ବୀରେନ୍ଦ୍ର ଶେଷଥର ପାଇଁ ଗତବର୍ଷ ଏସୀୟ ଚାମ୍ପିଅନ୍‌ସ ଟ୍ରଫି ଓ ଡିସେମ୍ବରରେ ଆୟୋଜିତ ଚତୁଃରାଷ୍ଟ୍ରୀୟ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳର ସଦସ୍ୟ ରହିଥିଲେ।

ସର୍ଦାର ସିଂହ ବାଦ୍‌ ପଡ଼ିଥିଲା ବେଳେ ଅନ୍ୟ ପ୍ରମୁଖ ସଦସ୍ୟ ଭାବେ ଗୋଲ୍‌ରକ୍ଷକ ପିଆର୍‌ ଶ୍ରୀଜେସ୍‌ ମଧ୍ୟ ପୂରା ସୁସ୍ଥତାର ପ୍ରମାଣ ଦେଇନପାରି ଦଳକୁ ଫେରିପାରିନାହାନ୍ତି। ହେଲେ ଚୂଡାନ୍ତ ଦଳକୁ ନେଇ ପ୍ରଶିକ୍ଷକ ଜୋର୍ଡ ମାରିନ୍‌ ଖୁବ୍‌ ସନ୍ତୁଷ୍ଟ ରହିଛନ୍ତି। ଏହା ଏକ ସନ୍ତୁଳିତ ଦଳ। ଯେକୌଣସି  ଉଚ୍ଚ ମାନ୍ୟତା ଦଳକୁ ଚାପରେ ପକାଇପାରିବାର ସାମର୍ଥ୍ୟ ଏହି ଦଳ ପାଖରେ ରହିଛି। ଆମେ ମଧ୍ୟ ପ୍ରତି ମ୍ୟାଚ୍‌କୁ ଫାଇନାଲ୍‌ ଭଳି ଭାବି ଖେଳିବୁ ଏବଂ କୌଣସି ବି ତ୍ରୁଟିକୁ ପ୍ରଶ୍ରୟ ଦେବୁନାହିଁ ବୋଲି ମାରିନ୍‌ କହିଛନ୍ତି। ଏହା ହେଲେ ହିଁ ଆମେ ପଦକ ଦୌଡ଼ରେ ରହିପାରିବୁ ବୋଲି ସେ ଆଶା ରଖିଛନ୍ତି। ଭାରତ ପୁଲ୍‌-ବିରେ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଜର୍ମାନି ଭଳି ଶକ୍ତିଶାଳୀ ଦଳ ସହ ପ୍ରତିଦ୍ୱନ୍ଦ୍ୱିତା କରିବ। ପୂର୍ବ ବିଜେତା ଅଷ୍ଟ୍ରେଲିଆ ସହ ପ୍ରଥମ ଦିନ ହିଁ ପ୍ରଥମ ମ୍ୟାଚ୍‌ ଖେଳି ଭାରତ ତା’ର ଅଭିଯାନ ଆରମ୍ଭ କରିବ।

ଭାରତୀୟ ଦଳ

ଗୋଲ୍‌ରକ୍ଷକ: ଆକାଶ ଅନିଲ ଚିଟ୍‌କେ ଓ ସୁଜର କାର୍‌କେରା, ରକ୍ଷଣଭାଗ: ହର୍‌ମନ୍‌ପ୍ରୀତ୍‌ ସିଂହ, ଅମିତ୍‌ ରୋହିଦାସ, ଦୀପ୍‌ସାନ୍‌ ତିର୍କି, ବରୁଣ କୁମାର, ବୀରେନ୍ଦ୍ର ଲାକ୍ରା ଓ ରୂପୀନ୍ଦର ପାଲ୍‌ ସିଂହ, ମଧ୍ୟଭାଗ: ମନ୍‌ପ୍ରୀତ୍‌ ସିଂହ (ଅଧିନାୟକ),  ଚିଙ୍ଗଲସାନା ସିଂହ (ଉପଅଧିନାୟକ), ଏସ୍‌କେ ଉଥପ୍ପା, ସୁମିତ୍‌, କୋଠାଲଜିତ୍‌ ସିଂହ, ପୂରୋଭାଗ: ଏସ୍‌ଭି ସୁନୀଲ, ଆକାଶଦୀପ୍‌ ସିଂହ, ମନ୍‌ଦୀପ୍‌ ସିଂହ, ଲଲିତ ଉପାଧ୍ୟାୟ ଓ ଗୁର୍‌ଜାନ୍ତ ସିଂହ।

ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ

ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଥିବା ବିଶ୍ୱ ହକି ଲିଗ୍‌ ପାଇଁ ଭାରତୀୟ ଦଳରେ ସାମିଲ ହୋଇଥିବା ତିନି ଓଡ଼ିଆ ଖେଳାଳି ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ଦୀପ୍‌ସାନ୍‌ ତିର୍କିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ଦଳ ଘୋଷଣା ଖବର ପାଇବା ପରେ ମୁଖ୍ୟମନ୍ତ୍ରୀ ତାଙ୍କ ସାମାଜିକ ଗଣମାଧ୍ୟମ ଟ୍ଵିଟର ପୃଠୋରେ ତିନି ଓଡ଼ିଆଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

ସମ୍ବନ୍ଧିତ ଖବର