ସର୍ଦାରଙ୍କ ତ୍ରିଶତକ

ନୂଆଦିଲ୍ଲୀ: ନେଦରଲାଣ୍ଡ୍‌ରେ ଚାଲିଥିବା ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତା ଅବସରରେ ବରିଷ୍ଠ ମଧ୍ୟଭାଗ ଖେଳାଳି ତଥା ପୂର୍ବତନ ଅଧିନାୟକ ସର୍ଦାର ସିଂହ ତ୍ରିଶତକୀୟ ସଫଳତା ପାଇଛନ୍ତି। ଭାରତ ରବିବାର ଆର୍ଜେଣ୍ଟିନା ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ ଖେଳିଥିଲା ବେଳେ ସର୍ଦାର ଦେଶ ପାଇଁ ୩୦୦ ଆନ୍ତର୍ଜାତିିକ ମ୍ୟାଚ୍‌ ଖେଳିବାର ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ରାଜୀବଗାନ୍ଧୀ ଖେଳରତ୍ନ ଏହି ୩୧ ବର୍ଷ ବୟସ୍କ ହରିଆନା ଖେଳାଳି ୨୦୦୩-୦୪ ପୋଲାଣ୍ଡ୍‌ ଗସ୍ତରେ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିଥିଲେ। ସେତେବେଳେ ସେ କନିଷ୍ଟ ଦଳର ସଦସ୍ୟ ଥିଲା ବେଳେ ୨୦୦୬ ପାକିସ୍ତାନ ବିପକ୍ଷ ଦ୍ୱିପାକ୍ଷିକ ଶୃଙ୍ଖଳା ଜରିଆରେ ବରିଷ୍ଠ ଦଳ ପକ୍ଷରୁ ଆନ୍ତର୍ଜାତିକ ପଦାର୍ପଣ କରିଥିଲେ। ୨୦୦୮ ସୁଲ୍‌ତାନ ଆଜ୍‌ଲାନ୍‌ ଶାହା କପ୍‌ରେ ଭାରତର ନେତୃତ୍ୱ ନେଇଥିଲା ବେଳେ ୨୦୧୦ ଓ ୨୦୧୨ ସୁଲ୍‌ତାନ ଆଜ୍‌ଲାନ୍‌ ଶାହା କପ୍‌ ସାଙ୍ଗକୁ ୨୦୧୨ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ୨୦୧୦ ଓ ୨୦୧୧ ଆନ୍ତର୍ଜାତିକ ହକିର ଅଲ୍‌ଷ୍ଟାର୍‌ ଦଳରେ ସାମିଲ ହୋଇଥିଲା ବେଳେ ୨୦୧୨ ବର୍ଷ ପାଇଁ ଏସିଆର ସର୍ବଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଥିଲେ। ୨୦୧୦ ଓ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ, ୨୦୦୭ ଓ ୨୦୧୭ ଏସିଆ କପ୍‌ରେ ସ୍ୱର୍ଣ୍ଣ, ୨୦୧୩ ଏସିଆ କପ୍‌ରେ ରୌପ୍ୟ, ୨୦୧୪ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ, ୨୦୧୫ ବିଶ୍ୱ ଲିଗ୍‌ ଫାଇନାଲ୍‌ରେ କାଂସ୍ୟ, ୨୦୧୧ ଚାମ୍ପିଅନ୍‌ସ ଚ୍ୟାଲେଞ୍ଜ୍‌ରେ ରୌପ୍ୟ ପଦକ ପାଇଥିବା ଭାରତୀୟ ଦଳର ସଦସ୍ୟ ରହିଥିଲେ। ୨୦୧୭ରେ ରାଜୀବଗାନ୍ଧୀ ଖେଳରତ୍ନ ପାଇବା ପୂର୍ବରୁ ୨୦୧୫ରେ ପଦ୍ମଶ୍ରୀ ସମ୍ମାନ ହାତେଇଥିଲେ। ସର୍ଦାରଙ୍କ ୩୦୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିବାର ସଫଳତା ପାଇଁ ହକି ଇଣ୍ଡିଆ ଅଭିନନ୍ଦନ ଜଣାଇଛି।

ସମ୍ବନ୍ଧିତ ଖବର