ନୂଆଦିଲ୍ଲୀ: ଏକ ସଡକ ଦୁର୍ଘଟଣାରେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ସରଫରାଜ ଖାନଙ୍କ ଭାଇ ମୁଶୀର ଖାନ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୁଶୀର ଖାନଙ୍କ ବେକରେ ଗଭୀର ଆଘାତ ଲାଗିଛି। ଏହି ଦୁର୍ଘଟଣା ଘଟିବା ସମୟରେ ମୁଶୀର ତାଙ୍କ ପିତା ନୌଶାଦ ଖାନଙ୍କ ସହ ଆଜମଗଡରୁ ଲକ୍ଷ୍ନୌକୁ ଯାଉଥିଲେ। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁହାଯାଉଛି ଯେ କାରଟି ରାସ୍ତାରେ ୪-୫ ଥର ଓଲଟି ପଡିଥିଲା, ଯେଉଁଥିପାଇଁ ମୁଶୀର ଗୁରୁତର ଆହତ ହୋଇଛନ୍ତି।

Advertisment

ବର୍ତ୍ତମାନ ମୁଶୀର ଅତି କମରେ ୬ସପ୍ତାହ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ମୁଶୀରଙ୍କୁ ସୁସ୍ଥ ହୋଇ ଫେରିବା ପାଇଁ ୩ ମାସ ସମୟ ଲାଗିପାରେ ବୋଲି କୁହାଯାଉଛି । ଏହି ଦୁର୍ଘଟଣା ହେତୁ ଏବେ ମୁଶୀର ଇରାନୀ ଟ୍ରଫିରୁ ବାହାରିବା ନିଶ୍ଚିତ ହୋଇଛି। ସରଫରାଜ ଖାନଙ୍କ ପରିବାର ମୂଳତଃ ଉତ୍ତରପ୍ରଦେଶର ଆଜମଗଡର ବାସିନ୍ଦା ବୋଲି ଜଣାପଡ଼ିଛି । 

ତେବେ ମୁଶୀର୍ ଖାନ୍ ଡୁଲିପ୍ ଟ୍ରଫି ୨୦୨୪ରେ ବହୁତ ଭଲ ପ୍ରଦର୍ଶନ କରି କ୍ରିକେଟ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଡେବ୍ୟୁ ମ୍ୟାଚରେ ଇଣ୍ଡିଆ-ଏ ବିପକ୍ଷରେ ଇଣ୍ଡିଆ-ବି ପାଇଁ ୧୮୧ରନ ସ୍କୋର କରିଥିଲେ। ଏଭଳି କରି ସେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ୧୯୯୧ରେ ସଚିନ୍ ଡୁଲିପ୍ ଟ୍ରଫିର ଡେବ୍ୟୁ ମ୍ୟାଚରେ ୧୫୯ରନ୍ ସ୍କୋର କରିଥିଲେ। ତେବେ ମୁଶୀର ଏହି ମ୍ୟାଚରେ ୩୭୩ବଲରେ ୧୬ଟି ଚଉକା ବ୍ୟତୀତ ୫ଟି ଛକା ମାରିଥିଲେ ବୋଲି ଜଣାଯାଇଛି।