କିଂବଦନ୍ତିଙ୍କ କ୍ଲବ୍‌ରେ ସର୍ଫରାଜ, ଥରେ ଆଉଟ୍ ହେବା ପୂର୍ବରୁ ସର୍ବାଧିକ ୬୦୫ ରନ୍

ରାଜ‌କୋଟ: ଥରେ ଆଉଟ୍ ହେବା ପୂର୍ବରୁ ସର୍ବାଧିକ ୬୦୫ ରନ୍ ସଂଗ୍ରହ କରି ମୁମ୍ବାଇର ଯୁବ ବ୍ୟାଟସମ୍ୟାନ୍‌ ସର୍ଫରାଜ ଖାନ୍‌ କିଂବଦନ୍ତିଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଚଳିତ ରଣଜୀ ଟ୍ରଫି ଋତୁରେ ନିଜ ପୂର୍ବ ଦୁଇ ପାଳିରେ ଯଥାକ୍ରମେ ୩୦୧*, ୨୨୬* କରିଥିବା ସର୍ଫରାଜ ମଙ୍ଗଳବାର ସୌରାଷ୍ଟ୍ର ବିପକ୍ଷ ମ୍ୟାଚ୍‌ର ପ୍ରଥମ ପାଳିରେ ୭୮ ରନ୍ କରି ଆଉଟ୍ ହୋଇଥିଲେ। କମଲେଶ ମାକୱାନା ତାଙ୍କ ୱିକେଟ୍ ନେଇଥିଲେ। ଆଉଟ୍ ହେବା ପୂର୍ବରୁ ସର୍ବାଧିକ ରନ୍‌ କରିବାର କୀର୍ତ୍ତିମାନ ମଧ୍ୟ ଜଣେ ଭାରତୀୟଙ୍କ ନାମରେ ରହିଛି। ୧୯୪୭-୪୮ରେ କେସି ଇବ୍ରାହିମ୍‌ ମୋଟ ୭୦୯ ରନ୍ କରିବା ପରେ ଆଉଟ୍ ହୋଇଥିଲେ। ୧୯୯୦ରେ‌ ଇଂଲିସ୍ ବ୍ୟାଟସମାନ୍‌ ଗ୍ରେମ୍‌ ହିକ୍ ୬୪୫ ରନ୍, ୧୯୪୧-୪୨ରେ ଭାରତର ବିଜୟ ମର୍ଚାଣ୍ଟ-୬୩୪, ୧୯୨୯-୩୦ରେ ଇଏଚ୍‌ ହେଣ୍ଡ୍ରନ୍‌ ୬୩୦ ରନ୍‌, ୨୦୦୭-୦୮ରେ ସୁବ୍ରମଣ୍ୟମ ବଦ୍ରିନାଥ ୬୨୫ ରନ୍‌, ୧୯୯୯-୨୦୦୦ରେ ପଙ୍କଜ ଧର୍ମାନି ୬୦୮ ରନ୍‌ କରିବା ପରେ ଆଉଟ ହୋଇଥିଲେ। ଏହି ତାଲିକାରେ ସର୍ଫରାଜ ଖାନ୍‌ ଅଷ୍ଟମ ସ୍ଥାନରେ ରହିଲେ। ସପ୍ତମ ମୁମ୍ବାଇ ବ୍ୟାଟସମ୍ୟାନ୍‌ ଭାବେ ଗତ ମାସରେ ତ୍ରିଶତକ ହାସଲ କରିଥିବା ସର୍ଫରାଜ ଚଳିତ ଋତୁରେ ମଧ୍ୟ କିଂବଦନ୍ତି ଖେଳାଳି ଭିଭିଏସ୍ ଲକ୍ଷ୍ମଣ ଏବଂ ୱେଷ୍ଟଇଣ୍ଡିଜ୍‌ର ପୂର୍ତତନ ମହାନ ବ୍ୟାଟସମ୍ୟାନ୍‌ ଏଭର୍ଟସ ୱିକ୍ସଙ୍କୁ ଅତିକ୍ରମ କରିଛନ୍ତି। ଦ୍ବିତୀୟ ଭାରତୀୟ ଭାବେ ସେ ଲଗାତାର ପାଳିରେ ତ୍ରିଶତକ ଓ ଦ୍ବିଶତକ ହାସଲ କରିଥିଲେ। ୧୯୮୯ରେ ଡବ୍‌ଲ୍ୟୁଭି ରମଣ ୩୧୩ ପରେ ୨୦୦* ରନ୍ ପାଳି ‌ଖେଳିଥିଲେ।

ସମ୍ବନ୍ଧିତ ଖବର