ଭାରତୀୟ କ୍ରିକେଟର୍ ସର୍ଫରାଜ୍ ଖାନ୍ ୧୭ କିଲୋଗ୍ରାମ ଓଜନ୍ କମାଇ ସ୍ଲିମ୍ ଟ୍ରିମ୍ ହୋଇଯାଇଛନ୍ତି। ତାଙ୍କର ଏହି ପରିବର୍ତ୍ତନ କେବଳ କ୍ରିକେଟ୍ପ୍ରେମୀ ନୁହନ୍ତି, ସାଥୀ ଖେଳାଳିଙ୍କୁ ମଧ୍ୟ ଅନୁପ୍ରେରିତ କରିଛି। ଘରୋଇ କ୍ରିକେଟ୍ରେ ଚମତ୍କାର ପ୍ରଦର୍ଶନ କରିଆସୁଥିବା ସର୍ଫରାଜଙ୍କୁ ଇଂଲଣ୍ଡ ଗସ୍ତ ଲାଗି ବିଚାରକୁ ନିଆଯାଇ ନଥିଲା। ଏହି ନିଷ୍ପତ୍ତି ପଛରେ ତାଙ୍କ ମୋଟାପଣ ପ୍ରମୁଖ କାରଣ ଥିଲା ବୋଲି ଅନୁମାନ କରାଯାଉଛି। ଏଣୁ ସର୍ଫରାଜ ଏବେ ନିଜ ଖେଳ ସହ ଫିଟନେସ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।
ନିୟମିତ ବ୍ୟାୟାମ କରିବା ସହ ଖାଦ୍ୟପେୟରେ ନିୟନ୍ତ୍ରଣ ଆଣି ଦୁଇ ମାସ ଭିତରେ ମୋଟାରୁ ପତଳା ହୋଇଯାଇଛନ୍ତି। ତାଙ୍କ ନୂଆ ରୂପ ପଦାକୁ ଆସିବା ପରେ ପ୍ରଶଂସକମାନେ ମୁମ୍ବାଇ କ୍ରିକେଟର୍ ପୃଥ୍ବୀ ସ’ଙ୍କୁ ଏଥିରୁ କିଛି ଶିକ୍ଷା ଲାଭ କରିବାକୁ ଆହ୍ବାନ କରିଛନ୍ତି। ଏକଦା ଭାରତୀୟ କ୍ରିକେଟ୍ର ଭବିଷ୍ୟତ ଭାବେ ପରିଗଣିତ ହେଉଥିବା ସ’ ନିଜ ଖରାପ ବ୍ୟବହାର ଏବଂ ପୁଥୁଳକାୟ ଶରୀର ପାଇଁ ବହୁବର୍ଷ ହେବ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାନ୍ତି। ଏପରିକି ମୁମ୍ବାଇ ରଣଜୀ ଦଳରେ ମଧ୍ୟ ତାଙ୍କୁ ସ୍ଥାନ ମିଳିନି।