ବେଙ୍ଗାଲୁରୁ: ନ୍ୟୁଜିଲାଣ୍ଡ୍‌-ଭାରତ ଦ୍ବିତୀୟ ଟେଷ୍ଟ୍‌ର ଫଳାଫଳ ଯାହା ହେଉ ପଛେ, ଭାରତୀୟ କ୍ରିକେଟ୍ କିନ୍ତୁ ଏକ ଚମତ୍କାର ପ୍ରତ୍ୟାବର୍ତନ ପାଇଁ ମନେ ରହିବ। ପ୍ରଥମ ପାଳିରେ ମାତ୍ର ୪୬ ରନ୍ କରି ଲଜ୍ଜିତ ହେବା ପରେ ୩୫୬ ରନ୍‌ର ଅଗ୍ରଣୀ ବୋଝକୁ ପଛରେ ପକାଇ ରୋହିତ ଶର୍ମାଙ୍କ ଦଳ ବଡ଼ ଲଢ଼େଇ ଜିତିଯାଇଛି। ଦୁଇ ଯୁବ ତାରକା ସର୍ଫରାଜ ଖାନ୍ ଓ ଋଷଭ ପନ୍ତ୍‌ଙ୍କ ଶକ୍ତିଶାଳୀ ପ୍ରହାର କାରଣରୁ ଭାରତ ଜବରଦସ୍ତ ଲ‌ଢ଼େଇ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ବିପଦକୁ ଟାଳିପାରିନାହିଁ। ଏହି ବାମ-ଡ଼ାହାଣ ଯୋଡ଼ିଙ୍କଠାରୁ ଭାରତ ୧୭୭ ରନ୍‌ର ଭାଗୀଦାରି ପାଇବାରୁ ଦ୍ବିତୀୟ ପାଳିରେ ୪୬୨ ରନ୍ କରି ନେଇଛି। ତ‌େବେ ଭ୍ରମଣକାରୀ ଦଳ ସମ୍ମୁଖରେ ମାତ୍ର ୧୦୭ ରନ୍ ବିଜୟ ଲକ୍ଷ୍ୟ ରହିଥିବାବେଳେ ଏବେ ଶେଷ ଦିନର ରୋମାଞ୍ଚକୁ ଅପେକ୍ଷା କରାଯାଇଛି। ଏହି ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ୍‌ ଯଶପ୍ରୀତ୍ ବୁମରାଙ୍କ ମାତ୍ର ୪ ବଲ୍‌ ଖେଳିଥିବାବେଳେ ଆଲୋକ ଅଭାବ ଓ ପ୍ରବଳ ବର୍ଷା କାରଣରୁ ଚତୁର୍ଥ ଦିନ ଖେଳ ଆଗୁଆ ବନ୍ଦ ହୋଇଛି। ପଞ୍ଚମ ଦିନ ଭାରତକୁ ବୋଲିଂ କମାଲ୍ ବିଜୟ ଦେବାର ଆଶା କରାଯାଉଛି। ନତୁବା ବର୍ଷା ଭାରତକୁ ବଞ୍ଚାଇଦେବ ବୋଲି କ୍ରିକେଟ୍‌ପ୍ରେମୀ ଆଶା ରଖିଛନ୍ତି। ଭ୍ରମଣକାରୀ ଦଳ କିନ୍ତୁ ୩୬ ବର୍ଷ ପରେ ଭାରତ ମାଟିରେ ଏକ ଟେଷ୍ଟ୍ ବିଜୟ ପାଇବାର ଦ୍ବାର ଦେଶରେ ଛିଡ଼ା ହୋଇଛି। ସେହିଭଳି ଏକ ଛୋଟ ସ୍କୋର୍‌କୁ ଡିଫେଣ୍ଡ୍ କରିବା ନେଇ ଭାରତ ମଧ୍ୟ ୨୦ ବର୍ଷ ତଳର କରିସ୍ମାକୁ ଭରସା ରଖିଛି। ଶେଷ ଥର ପାଇଁ ୨୦୦୪-୦୫ରେ ଭାରତ ମୁମ୍ବାଇର ଟର୍ଣ୍ଣିଂ ଟ୍ରାକ୍‌ରେ ଅଷ୍ଟ୍ରେଲିଆକୁ ସମାନ ୧୦୭ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ ୧୩ ରନ୍‌ରେ ବାଜି ମାରି ନେଇଥିଲା।

Advertisment

ଶନିବାର ସକାଳେ ଭାରତ ୨୩୧/୩ରୁ ଖେଳିବା ପରେ ସର୍ଫରାଜ ଓ ଋଷଭ ପନ୍ତ୍‌ ଜବରଦସ୍ତ ଲଢ଼ିଥିଲେ। ଓଭର ପିଛା ରନ୍‌କୁ ୫ ରନ୍ ଉପରେ ରଖି ଭାରତକୁ ପାଳି ପଛୁଆକୁ କାଟି ଦେଇଥିଲେ। ୨୬ ବର୍ଷୀୟ ମଧ୍ୟକ୍ରମ ମୁମ୍ବାଇ ବ୍ୟାଟର୍‌ ସର୍ଫରାଜ ଖାନ୍‌ ଏବଂ ଦିଲ୍ଲୀ ଦବଙ୍ଗ ଋଷଭ ପନ୍ତ୍‌ ଭାରତକୁ ପ୍ରଥମ ଅଧିବେଶନରେ କୌଣସି କ୍ଷତି ପହଞ୍ଚାଇନଥିଲେ। ବର୍ଷା କାରଣରୁ ମ୍ୟାଚ୍ ଅଟକିବା ପରେ ଏହା ଅପରାହ୍ଣରେ ଖେଳ ଆରମ୍ଭ ହୋଇଥିଲା। ସର୍ଫରାଜ ନିଜ ପ୍ରଥମ ଟେଷ୍ଟ୍ ଶତକକୁ ପୂର୍ଣ୍ଣ କରିବା ସହ ୧୫୦ ରନ୍‌ କରି ଆଉଟ୍ ହୋଇଥିଲେ। ପନ୍ତ୍‌ ୯୦ ରନ୍‌ରେ ଥିବାବେଳେ ଟିମ୍‌ ସାଉଦିଙ୍କୁ ଏକ ୧୦୭ ମିଟର୍ ଛକା ମାରି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ବଲ୍‌ ସିଧା ଷ୍ଟାଡିୟମ୍‌ ବାହାରକୁ ଚାଲିଯାଇଥିଲା। କିନ୍ତୁ ମାତ୍ର ଗୋଟିଏ ରନ୍ ପାଇଁ ଶତକ ହାତଛଡ଼ା କରି ୱିଲିୟମ୍‌ ଓ’ରୁର୍କେଙ୍କ ଦ୍ବାରା ପ୍ଲେଡ୍ ଅନ୍‌ ହୋଇ ଫେରି ଆସିଥିଲେ। ଉଭୟଙ୍କ ୱିକେଟ୍‌ ପତନ ଘଟିଥିଲା ନ୍ୟୁଜିଲାଣ୍ଡ୍ ଦ୍ବିତୀୟ ନୂଆ ବଲ୍ ନେବା ପରେ। ଭାରତ ୮୦ ଓଭରରେ ୩ ୱିକେଟ୍ ହରାଇ ୪୦୦ ରନ୍ ସଂଗ୍ରହ କରିଥିଲା। ନୂଆ ବଲ୍‌ର ପଞ୍ଚମ ଓଭରରେ ସର୍ଫରାଜ (୧୯୫ ବଲ୍‌ରୁ ୧୫୦ ରନ୍, ୧୯ ଚୌକା, ୩ ଛକା)ଙ୍କୁ ଟିମ୍ ସାଉଦି ଆଉଟ୍ କରିବା ପରେ ପନ୍ତ (୧୦୫ ବଲ୍‌ରୁ ୯୯ ରନ୍‌, ୯ ଚୌକା, ୫ ଛକା) ଆଉଟ୍ ହେବା ଭାରତୀୟ ଶିବିରରେ ଆଶଙ୍କା ଖେଳାଇ ଦେଇଥିଲା। ଏଥି ସହ ନ୍ୟୁଜିଲାଣ୍ଡ୍ ୧୫.୩ ଓଭର ଓ ୫୪ ରନ୍ ଭିତରେ ଭାରତର ଶେଷ ୭ ୱିକେଟ୍ ଦଖଲ କରି ଭାରତକୁ ପ୍ରାଧାନ୍ୟ ବିସ୍ତାର ହେବାକୁ ଦେଇ ନଥିଲା    ।

ସଂକ୍ଷିପ୍ତ ସ୍କୋର: ଭାରତ ପ୍ରଥମ ପାଳି: ୪୬ (ଋଷଭ ପନ୍ତ-୨୦,‌ ମ୍ୟାଟ୍ ହେନରି-୫/୧୫, ୱିଲିୟମ୍ ରୁରକୀ-୪/୨୨)। ନ୍ୟୁଜିଲାଣ୍ଡ୍‌ ପ୍ରଥମ ପାଳି: ୪୦୨ (ରାଚିନ ରବୀନ୍ଦ୍ର-୧୩୪, ଡେଭନ୍ କନୱେ-୯୧, ଟିମ୍ ସାଉଦି-୬୫, ରବୀନ୍ଦ୍ର ଜାଡ଼େଜା-୩/୭୨, କୁଲଦୀପ ୟାଦବ-୩/୯୯, ମହମ୍ମଦ ସିରାଜ-୨/୮୪, ଯଶପ୍ରୀତ୍ ବୁମରା-୧/୪୧, ଆର୍ ଅଶ୍ବିନ-୧/୯୪)। ଭାରତ ଦ୍ବିତୀୟ ପାଳି: ୯୯.୩ ଓଭରରେ ୪୬୨/୧୦ (ସର୍ଫରାଜ ଖାନ୍-୧୫୦, ଋ‌ଷଭ ପନ୍ତ୍‌-୯୯, ବିରାଟ କୋହଲି-୭୦, ରୋହିତ ଶର୍ମା-୫୨, ଯଶସ୍ବୀ ଜୟସ୍ବାଲ-୩୫, ୱିଲିୟମ୍ ଓ’ରୁର୍କେ-୩/୯୨, ମ୍ୟାଟ୍ ହେନରି-୩/୧୦୨, ଏଜାଜ ପଟେଲ୍‌-୨/୧୦୨, ଟିମ୍ ସାଉଦି-୧/୫୩ ଗ୍ଲେନ୍ ଫିଲିପ୍ସ-୧/୬୯)।

ସର୍ଫରାଜଙ୍କ ବିରଳ କୃତିତ୍ବ
ବେଙ୍ଗାଲୁରୁ ଟେଷ୍ଟ୍ ଅବସରରେ ଶନିବାର ସର୍ଫରାଜ ଖାନ୍ ଏକ ବିରଳ କୃତିତ୍ବର ଅଧିକାରୀ ହୋଇଛନ୍ତି। କୌଣସି ଏକ ଟେଷ୍ଟ୍ ମ୍ୟାଚ୍‌ରେ ଗୋଟିଏ ପାଳିରେ ଶୂନ ଓ ଦ୍ବିତୀୟ ପାଳିରେ ୧୫୦+ ସ୍କୋର୍ କରିବାରେ ସେ ତୃତୀୟ ଭାରତୀୟ ବ୍ୟାଟର୍ ହୋଇଛନ୍ତି। ସର୍ଫରାଜ ପ୍ରଥମ ପାଳିରେ ଶୂନରେ ଆଉଟ୍ ହେବା ପରେ ଦ୍ବିତୀୟ ପାଳିରେ ସମାନ ୧୫୦ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ପୂର୍ବରୁ ମାଧବ ଆପ୍‌ଟେ (୦ ଓ ୧୬୩*) ୧୯୫୩ରେ ୱେଷ୍ଟ୍‌ଇଣ୍ଡିଜ୍ ବିପକ୍ଷ ପୋର୍ଟ ଅଫ୍‌ ସ୍ପେନ୍‌ ଟେଷ୍ଟ୍‌ରେ ଏବଂ ୧୯୯୬ରେ ନୟନ ମୋଙ୍ଗିଆ (୧୫୨, ୦) ଅଷ୍ଟ୍ରେଲିଆ ବିପକ୍ଷ ନୂଆଦିଲ୍ଲୀ ଟେଷ୍ଟ୍‌ରେ ଏଭଳି ଯୁଗଳ ସ୍କୋର୍ ପାଇଥିଲେ।

ଶେଷ ଦିନରେ ବି ବର୍ଷା ଆଶଙ୍କା
ଚିନ୍ନାସ୍ବାମୀରେ ଚାଲିଥିବା ଭାରତ-ନ୍ୟୁଜିଲାଣ୍ଡ୍‌ ଟେଷ୍ଟ୍‌ରେ ପ୍ରଥମ ଦିନରୁ ବର୍ଷାର ଖେଳ ଜାରି ରହିଛି। ତଥାପି ଏହି ଟେଷ୍ଟ୍‌ରୁ ସମସ୍ତ ଫଳାଫଳ ବାହାରିବାର ବିକଳ୍ପ ରହିଛି। ଶେଷ ଦିନରେ ବି ଘଡ଼ଘଡି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏହା ଭ୍ରମଣକାରୀ ଦଳ ଅପେକ୍ଷା ଭାରତୀୟ ଦଳକୁ ଅଧିକ ଫାଇଦାରେ ରଖିବ ବୋଲି ବିଶ୍ବାସ କରାଯାଉଛି। ଅବଶ୍ୟ ବର୍ଷା ସମ୍ପୂର୍ଣ୍ଣ ଦିନର ଖେଳକୁ ‌ଧୋଇନେଲେ ଭାରତ ବର୍ତ୍ତିଯିବାର ସମ୍ଭାବନା ଅଛି। କିମ୍ବା ବର୍ଷା ଭିଜା ଯିବା ଆସିବା ଭିତରେ ଭାରତୀୟ ପେସ୍ ବୋଲର କିୱି ଦଳର ବ୍ୟାଟିଂକୁ ବିଧ୍ବସ୍ତ କରି ବିଜୟୀ ହେବାର ସୁଯୋଗ ବି ରହିଛି। ଶ୍ରୀଲଙ୍କାରେ ୦-୨ରେ ଶୃଙ୍ଖଳା ହାରି ଭାରତ ଆସିଥିବା ନ୍ୟୁଜିଲାଣ୍ଡ୍ ଏଥି ପାଇଁ ଚାପରେ ବି ଅଛି। କିନ୍ତୁ ଏଭଳି ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରିବାକୁ ଦଳ ଚାହିବ ନାହିଁ।

ସର୍ବନିମ୍ନ ଡିଫେଣ୍ଡିଂ ସ୍କୋର୍‌
ଭାରତ ମାତ୍ର ୧୦୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲେ ମଧ୍ୟ ଆଶା ଛାଡ଼ିନାହିଁ। ୨୦୦୪-୦୫ରେ ମୁମ୍ବାଇରେ ଅଷ୍ଟ୍ରେଲିଆକୁ ୧୦୭ ରନ୍ ଲକ୍ଷ୍ୟ ଦେଇ ହରଭଜନ ସିଂହଙ୍କ ୫ ୱିକେଟ୍‌ ବଳରେ ଭାରତୀୟ ବୋଲର୍‌ ଭ୍ରମଣକାରୀ ଦଳକୁ ୯୩ ରନ୍‌ରେ ଅଲ୍ଆଉଟ୍ କରି ଦେଇଥିଲା। କିନ୍ତୁ ସେଥର ପିଚ୍‌ ରୢାଙ୍କ୍ ଟର୍ଣ୍ଣର ଥିଲା ଯାହା ଏଥର ଉପଲବ୍‌ଧ ନାହିଁ। ଟେଷ୍ଟ୍ କ୍ରିକେଟ୍‌ ଇତିହାସରେ ଏହା ତୃତୀୟ ସର୍ବନିମ୍ନ ସ୍କୋର୍ ଡିଫେଣ୍ଡିଂ ତାଲିକାରେ ରହିଛି। ଶୀର୍ଷରେ ରହିଛି ୮୫ ରନ୍‌। ୧୮୮୨ରେ ଦ ଓଭାଲରେ ଇଂଲଣ୍ଡକୁ ୮୬ ରନ୍ ଲକ୍ଷ୍ୟ ଦେଇ ଅଷ୍ଟ୍ରେଲିଆ  ୮ ରନ୍‌ରେ ଜିତିଯାଇଥିଲା। ସେହିଭଳି ୨୦୦୦ ମସିହାରେ ଜିମ୍ବାୱେ ସମ୍ମୁଖରେ ମାତ୍ର ୯୯ ରନ୍ ଲକ୍ଷ୍ୟ ରଖି ପୋର୍ଟ ଅଫ୍ ‌ସ୍ପେନ୍‌ରେ ୱେଷ୍ଟଇଣ୍ଡିଜ୍‌ ୩୫ ରନ୍‌ରେ ବିଜୟୀ ହୋଇଥିଲା।

ପନ୍ତ୍‌ଙ୍କୁ ପିଛା କରିଛି ନର୍ଭସ୍ ନାଇଣ୍ଟି
ଟେଷ୍ଟ୍ କ୍ରିକେଟ୍‌କୁ ପ୍ରତ୍ୟାବର୍ତନ କରିଥିବା ଋଷଭ ପନ୍ତ୍‌ ଶନିବାର ଦୁର୍ଭାଗ୍ୟଜନକ ଭାବେ ନର୍ଭସ ନାଇଣ୍ଟିର ଶିକାର ହୋଇଛନ୍ତି। ଏହି ଅଲୋଡ଼ା କ୍ଲବ୍‌ରେ ସାମିଲ୍ ହେବା ପନ୍ତ୍‌ଙ୍କ ପାଇଁ ସପ୍ତମ ଘଟଣା। ଭାରତୀୟଙ୍କ ତାଲିକାରେ ସେ ତୃତୀୟରେ ରହିଛନ୍ତି। ସଚିନ ତେନ୍ଦୁଲକର ୧୦ ଥର ଓ ରାହୁଲ ଦ୍ରାବିଡ଼ ୯ ଥର ଏଭଳି ଦୁର୍ଭାଗ୍ୟର ଶିକାର ହୋଇଥିଲେ। ସୁନିଲ ଗାଭାସ୍କର, ମହେନ୍ଦ୍ର ସିଂହ ଧୋନି, ବୀରେନ୍ଦ୍ର ସେହବାଗ ୫ ଥର ଲେଖାଏଁ ନର୍ଭସ ନାଇଣ୍ଟିର ଶିକାର ହୋଇଥିଲେ ଟେଷ୍ଟ୍ କ୍ରିକେଟ୍‌ରେ। ପନ୍ତ୍ ଏହି ଅବସରରେ ଆଉ ଏକ ବିରଳ କ୍ଲବ୍‌ରେ ସାମିଲ ହୋଇଛନ୍ତି। ମାତ୍ର ଗୋଟିଏ ରନ୍ ପାଇଁ ଶତକ ହରାଇବାରେ ସେ ଚତୁର୍ଥ ୱିକେଟରକ୍ଷକ ବ୍ୟାଟର୍ ‌ହୋଇଛନ୍ତି। ବ୍ରେଣ୍ଡନ୍ ମ୍ୟାକଲମ୍‌ (ବନାମ ଶ୍ରୀଲଙ୍କା, ନାପିଏର୍‌, ୨୦୦୫), ମହେନ୍ଦ୍ର ସିଂହ ଧୋନି (ବନାମ ଇଂଲଣ୍ଡ, ନାଗପୁର, ୨୦୧୨), ଜନି ବେୟାରଷ୍ଟୋ (ବନାମ ଦକ୍ଷିଣ ଆଫ୍ରିକା, ଓଲ୍ଡ ଟ୍ରାଫୋର୍ଡ, ୨୦୧୭) ହେଉଛନ୍ତି ଅନ୍ୟ ୩ ଖେଳାଳି।