ସୁଯୋଗର ଆଢ଼ୁଆଳରେ ସଫଳ କ୍ରିକେଟର୍‌ ସରିତା ମେହେର

୧୨ ବର୍ଷର ଖେଳ ଜୀବନ, ତଥାପି ଜାଜ୍ବଲ୍ୟମାନ

ଭୁବ‌ନେଶ୍ବର (ସୁରେଶ ସ୍ବାଇଁ):  ଓଡ଼ିଶା ମହିଳା କ୍ରିକେଟ୍‌ର ସୁପରିଚିତ ନାଁ’ଟିଏ ସରିତା ମେହେର। କେବଳ ଅନ୍ତର୍ଜାତୀୟ ଖେଳାଳିର ଛାପଠାରୁ ଦୂରରେ ରହିଥ‌ିଲେ ବି ଓଡ଼ିଶା କ୍ରିକେଟ୍ ପାଇଁ ତାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ପେସ୍‌ ବୋଲର ଭାବେ ଖେଳ ଜୀବନ ଆରମ୍ଭ କରିଥିଲେ ମଧ୍ୟ କ୍ରମେ ନିଜକୁ ଜଣେ ସଫଳ ବ୍ୟାଟର୍‌ ଭାବେ ପ୍ରତିଷ୍ଠିତ କରିସାରିଛନ୍ତି। ସାଥୀ ଖେଳାଳିଙ୍କ ଗହଣରେ କେତେବେଳେ ଲେଡି ବିରାଟ କୋହଲି ତ‌ କେତେବେଳେ ହରମନପ୍ରୀତ କୌର ଆଖ୍ୟା ପାଇଛନ୍ତି। କ୍ରିକେଟ୍ ପ୍ରତି ସମର୍ପିତା ଓ କ୍ରିକେଟ୍‌କୁ ବସ୍ତୁତଃ ବିବାହିତା ଏହି ଯୁବ ପ୍ରତିଭା ଲମ୍ବା ଯାତ୍ରାର ପଥିକ। ଏହ‌ି ଲୋକପ୍ରିୟ ଖେଳର ସମସ୍ତ ୩ ବିଭାଗ ବ୍ୟାଟିଂ, ବୋଲିଂ, ‌ଫିଲ୍‌ଡିଂରେ ନିଜ ପ୍ରଭାବୀ ପ୍ରଦର୍ଶନ ଦେଖାଇ ପ୍ରାଧାନ୍ୟ ବିସ୍ତାର କରିବାରେ ମାହିର୍‌ ଏହି ବଲାଙ୍ଗୀରର ମେହେର ଝିଅ। ଅନେକ କଷଟି ପଥ ଦେଇ ଗତି କରିଥିବା ଏହି ଦୁଃସାହସୀ ମହିଳା କ୍ରିକେଟର୍‌ ଜଣଙ୍କ ଏବେ ପୁଣି ଚର୍ଚ୍ଚାରେ। କୋଭିଡ୍‌ ପରବର୍ତ୍ତୀ ପ୍ରଥମ ଓସିଏ ଘରୋଇ ପ୍ରତିଯୋଗିତାରେ ଅଗ୍ରଣୀ ରନ୍‌ ସ୍କୋରର୍‌। ଖେଳ ଜୀବନର ଏକ ନିର୍ଣ୍ଣାୟକ ମୋଡ଼ରେ ରହିଥିବା ସରିତାଙ୍କ ସମ୍ପର୍କରେ ‘ସମ୍ବାଦ’ର ବିଶେଷ ଉପସ୍ଥାପନା।

ଅରୁଣଙ୍କ ‘ପ୍ରଥମ’
ଓଡ଼ିଶାର ମହିଳା କ୍ରିକେଟ୍‌କୁ ଯଦି କାହାର ସର୍ବାଧିକ ଅବଦାନ କଥା ଆସିଥାଏ ତେବେ ପ୍ରଶିକ୍ଷକ ଅରୁଣ ନାୟକଙ୍କ ନାମ ନିଶ୍ଚିତ ଆଗ ଆସିବ। ରାଜ୍ୟର ପ୍ରଥମ ଦୁଇ ମହିଳା ଅନ୍ତର୍ଜାତୀୟ କ୍ରିକେଟର୍‌ ମାଧୁରୀ ମେହେଟ୍ଟା ଓ ରୋସନାରା ପରବିନଙ୍କ ଗୁରୁ ହେଉଛନ୍ତି ଅରୁଣ ନାୟକ। ବଲାଙ୍ଗୀର ଭଳି ଅବ୍ୟବସ୍ଥିତ କ୍ରୀଡ଼ା ପୃଷ୍ଠଭୂମିରୁ ମହିଳା କ୍ରିକେଟର୍‌ଙ୍କୁ ଗଢ଼ି‌ ତୋଳି ଭାରତୀୟ ଦଳର ପ୍ରତିନିଧିତ୍ବ କରାଇବା କିଛି କମ୍‌ ବଡ଼ ଉପଲବ୍‌ଧି ନୁହେଁ। ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଅରୁଣ ସାର୍‌ଙ୍କ ପ୍ରଥମ ଶିଷ୍ୟା ହେଉଛନ୍ତି ସରିତା ମେହେର, ଯାହା ଅନେକ ଜାଣିନଥିବେ। ପ୍ରାୟ ଦେଢ଼ ଦଶନ୍ଧି ଧରି ଓଡ଼ିଶା କ୍ରିକେଟ୍‌କୁ ଆସିଥିଲେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି ଏହି ଡାହାଣହାତୀ ବ୍ୟାଟର୍‌। ‘୨୦୦୭ ମସିହାର କଥା। ଜିଲ୍ଲା କ୍ରୀଡ଼ା ସଂଘ ମୋତେ ମହିଳା କ୍ରିକେଟ୍ ଦଳ ଗଢ଼ିବାକୁ ପରାମର୍ଶ ଦେବା ପରେ ମୁଁ ବଲାଙ୍ଗୀର ମହିଳା କଲେଜକୁ ଯାଇଥାଏ। କେହି କ୍ରିକେଟ୍ ଖେଳିବାକୁ ରାଜି ହେଉନଥିବା ବେଳେ କଲେଜ୍‌ ପିଇଟି କରୁଣା ମ୍ୟାଡମ୍‌ ହିଁ ମୋତେ ପ୍ରଥମେ ସରିତା ସହ ପରିଚିତ କରାଇଥିଲେ। ସରିତା ପ୍ରଥମ ଖେଳାଳି ଥିଲା ଯିଏ କ୍ରିକେଟ୍‌ ଖେଳିବାକୁ ରାଜି ହୋଇଥିଲା’ ବୋଲି ପ୍ରକାଶ କରିଥିଲେ ତାଙ୍କ ଆଦ୍ୟ ଗୁରୁ ଅରୁଣ ନାୟକ। ପ୍ରଥମେ ପେସ୍‌ ବୋଲିଂ କରୁଥିଲା। ରାଜ୍ୟ ୧୯ ବ‌ର୍ଷରୁ କମ୍‌ ଦଳରୁ ‌ଖେଳିବା ପରେ ମୁଁ ତା ବ୍ୟାଟିଂ ଉପରେ କାମ କରିଥିଲି ଏବଂ ସେ ‌ତୁରନ୍ତ ଉନ୍ନତି କରିଥିଲା। ଏବେ ସେ ଓଡ଼ିଶାର ଜଣେ ଆଗଧାଡ଼ିର ବ୍ୟାଟର୍‌, ଚଳିତ ଋତୁରେ ସେ ଚମତ୍କାର ଫର୍ମରେ ବି ରହିଛି। ବୃତ୍ତିରେ କ୍ରୀଡ଼ା ଶିକ୍ଷୟତ୍ରୀ ଥିଲେ ବି କଠିନ ପରିଶ୍ରମ, ଅଭ୍ୟାସ ବଳରେ ନିଜ ଖେଳକୁ ଉତ୍‌ଥାନ ପଥରେ ରଖିଛନ୍ତି’ ବୋଲି ପ୍ରକାଶ କରିଥ‌ିଲେ ଅରୁଣ ସାର୍‌।

ପରିଶ୍ରମୀ ଖେଳାଳି
ସରିତା ଜଣେ ପରିଶ୍ରମୀ କ୍ରିକେଟର୍‌ ବୋଲି ମତ ଦିଅନ୍ତି ତାଙ୍କ ଅନ୍ୟତମ ମାର୍ଗଦର୍ଶକ ତଥା ପୂର୍ବତନ ଖେଳାଳି କୃଷ୍ଣଚନ୍ଦ୍ର ଦାନି। ଦୀର୍ଘ ୧୨ ବର୍ଷ ହେବ ସେ ଓଡ଼ିଶା କ୍ରିକେଟ୍ ପାଇଁ ଖେଳି ଆସୁଛି। ରାଜ୍ୟ ବୟସ ବର୍ଗ (୧୯ ବର୍ଷରୁ କମ୍‌) ଠାରୁ ଆରମ୍ଭ କରି ରାଜ୍ୟ ସିନିୟର୍‌ ଓ ପୂର୍ବାଞ୍ଚଳ ଦଳରେ ବି ପ୍ରତିନିଧିତ୍ବ କରିବାର‌ ଗୌରବ ପାଇଛନ୍ତି। ସରିତା ଟେକନିକାଲି ଷ୍ଟାଇଲିସ୍‌ ଓ ପରଫେକ୍ଟ କ୍ରିକେଟର୍‌ ବୋଲି କହିଥିଲେ ଏହି ପୂର୍ବତନ ସିକେ ନାୟିଡୁ କ୍ରିକେଟର୍‌। ସରିତା ଜଣେ ନିର୍ଭରଯୋଗ୍ୟ ବ୍ୟାଟର୍‌ ଏବଂ ଓପନିଂ/ଫାଷ୍ଟ୍ ଡାଉନ୍ ପାଇଁ ଉପଯୋଗୀ। ଓଡ଼ିଶା ଦଳକୁ ସେ ୨୦୧୬ରେ ଏଲିଟ୍‌ ଫାଇନାଲରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ପ୍ରତି ମ୍ୟାଚ୍‌ରେ ସ୍କୋର୍ କରିଥି‌େଲ‌। ଆଗକୁ ବଢ଼ିବାକୁ ତାକୁ ଅତିରିକ୍ତ ପ୍ରଦର୍ଶନ ଦେବାର ଆବଶ୍ୟକତା ରହିଛି‌ ବୋଲି ପ୍ରକାଶ କରିଥିଲେ ଓଡ଼ିଶାର ଶ୍ରେଷ୍ଠ ପ୍ରଦର୍ଶନ ଉପବିଜେତା ଦଳର ପ୍ରଶିକ୍ଷକ ରଶ୍ମିତା ମହାନ୍ତି। ସରିତା ଜଣେ ଭଲ ଖେଳାଳି, ଭଲ ମଣିଷ, ଭାରି ଶାନ୍ତ ସ୍ବଭାବର ପିଲା। ଏବେ ସେ ବୋଲିଂ ଛାଡ଼ି ଦେଇଛି ବୋଲି କହିଥିଲେ ରାଜ୍ୟର ଏହି ପ୍ରଥମ ମହିଳା କ୍ରିକେଟ୍ ପ୍ରଶିକ୍ଷକ।

ଆଦର୍ଶ ବିଦ୍ୟାଳୟର ଆଦର୍ଶ କ୍ରୀଡ଼ା ଶିକ୍ଷୟିତ୍ରୀ
ବଲାଙ୍ଗୀରର ତୋଲିଗୋଠ ପଡ଼ାର ଏକ ବ୍ୟବସାୟୀ ପରିବାରରୁ ଆସିଥିବା ସରିତାଙ୍କ ଜନ୍ମ ୧୯୯୦ ଜୁନ୍‌ ୫ ତାରିଖରେ। ପିତା କୃଷ୍ଣଚନ୍ଦ୍ର ମେହେର ପୂର୍ବରୁ ଓଏସ୍‌ଆର୍‌ଟିସିରେ ଥିଲେ, ଏବେ ସୁନା ବ୍ୟବସାୟୀ, ମା’ ନିରୋଦ ଗୃହିଣୀ। ମହିମୁଣ୍ଡାର ଆଦର୍ଶ ବିଦ୍ୟାଳୟ ସଂଗଠନରେ କ୍ରୀଡ଼ା ଶିକ୍ଷୟିତ୍ରୀ ଥିବାରୁ ନିଜ ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ଓ ଉଦାହରଣ ପାଲଟିଛନ୍ତି ସରିତା। ହାର୍ଡ ହିଟିଂ ବ୍ୟାଟର୍‌ ଓ ଚମତ୍କାର ଆଉଟ୍‌ଫିଲ୍ଡର। ଏମ୍‌ପିଏଡ୍‌ ପାଇଁ ସେ ସାମୟିକ ଭାବେ କ୍ରିକେଟ୍‌ରୁ ଦୂରେଇ ନଥିଲେ ନିଶ୍ଚିତ ଭାରତ ‌ପାଇଁ ଖେଳିସାରିଥା’ନ୍ତା। ଏବେ ଭାଗ୍ୟ ଉପରେ ସବୁକିଛି ନିର୍ଭର କରୁଛି। ମୁଁ କିନ୍ତୁ ଆଶାବାଦୀ ରହିଛି ସେ କେବେ ନା କେବେ ଭାରତୀୟ ଦଳରୁ ଖେଳିବ ବୋଲି ପ୍ରକାଶ କରିଥିଲେ ଅରୁଣ ନାୟକ।

୧୨ ବର୍ଷର ଖେଳ ଜୀବନ, ତଥାପି ଜାଜ୍ବଲ୍ୟମାନ
କେବଳ ରାଜ୍ୟ ପାଇଁ ଖେଳିବାରେ ସରିତାଙ୍କ ଖେଳ ଜୀବନ ୧୨ ବର୍ଷରେ ପହଞ୍ଚିଛି। ଓଡ଼ିଶା ପାଇଁ ଲିଷ୍ଟ୍‌ ‘ଏ’ରେ ୫୫ ମ୍ୟାଚ୍‌ରୁ ୪ ଅର୍ଦ୍ଧଶତକ ସହ ୯୭୭ ରନ୍‌ କରିଛନ୍ତି ଏବଂ ସର୍ବୋଚ୍ଚ ରହିଛି ୭୨ ରନ୍‌। ପୂର୍ବାଞ୍ଚଳ ପାଇଁ ଖେଳିଥିବା ଦୁଇ ପ୍ରଥମ ଶ୍ରେଣୀ ମ୍ୟାଚ୍‌ରୁ‌ ଗୋଟିଏ ଅର୍ଦ୍ଧଶତକ ସହ ୬୩ ରନ୍ କରିଛନ୍ତି। ଜାତୀୟ ମହିଳା ଟି-୨୦ରେ ସେ ଓଡ଼ିଶା ପାଇଁ ୫୦ ମ୍ୟାଚ୍‌ରୁ ୬୦୮ ରନ୍ କରିଛନ୍ତି। ସମ୍ପ୍ରତି ଶେଷ ହୋଇଥିବା ଓସିଏ ମହିଳା ଲିଗ୍‌ରେ ୯ ମ୍ୟାଚ୍‌ରୁ ୫୧.୭୧ ହାରରେ ୩୬୨ ରନ୍‌ ସଂଗ୍ରହ କରି ଶୀର୍ଷରେ ଅଭିଯାନ ଶେଷ କରିଛନ୍ତି। ଜିଲ୍ଲା ଦଳ ପାଇଁ ଶତକ ହାସଲ କରିଥିବା ସରିତା ଏବେ କିଟ୍‌ରେ ଚାଲିଥିବା ବରିଷ୍ଠ ବର୍ଗର ଟ୍ରାଏଲ୍ସରେ ଶତକ ମାରି ଚମତ୍କାର ଫର୍ମକୁ ଜାରି ରଖିଥିବାର ଝଲକ ଦେଖାଇଛନ୍ତି।

ସମ୍ବନ୍ଧିତ ଖବର