ପ୍ୟାରିସ: ଗତଥରର ବିଜୟିନୀ ଇଗା ସ୍ବିତେକ ଚଳିତ ଫ୍ରେଞ୍ଚ୍ ଓପନ୍ରୁ ବୁଧବାର ବିଦାୟ ନେଇଛନ୍ତି। ରୋଲାଁ ଗାରୋସରେ ଗତବର୍ଷ ଟ୍ରଫି କରାୟତ କରିଥିବା ଏହି ପୋଲାଣ୍ଡ ଲଳନା ଏଥର କ୍ବାର୍ଟର ଫାଇନାଲ୍ରୁ ହିଁ ବିଦାୟ ନେଲେ। ଅଷ୍ଟମ ମାନ୍ୟତାପ୍ରାପ୍ତ ସ୍ବିତେକଙ୍କୁ ୬-୪ ଓ ୬-୪ ସିଧାସଳଖ ସେଟ୍ରେ ଗ୍ରିକ୍ର ମାରିଆ ସାକାରି ପରାସ୍ତ କରି ବିଦାୟ ରାସ୍ତା ଦେଖାଇଛନ୍ତି। ଫଳରେ ୨୦୦୭ରେ ଜଷ୍ଟିନ୍ ହେନିନ୍ ଟ୍ରଫି ବଜାୟ ରଖିଥିଲା ବେଳେ ଏଥର ସ୍ବିତେକ୍ ସେହି ସଫଳତା ହାସଲ କରିବାରେ ୧୪ ବର୍ଷ ପରେ ପ୍ରଥମ ମହିଳା ଖେଳାଳି ହେବାର ଆଶା ବାନ୍ଧିଥିଲେ। ହେଲେ ସାକାରି ତାଙ୍କର ସେହି ଆଶା ଧୂଳିସାତ୍ କରିଦେଲେ। ଏଥି ସହିତ ସେମିଫାଇନାଲ୍ରେ ପ୍ରବେଶ କରିଥିବା ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ସାକାରି ଚେକ୍ଗଣରାଜ୍ୟର ବାର୍ବୋରା କ୍ରେସିକୋଭାଙ୍କୁ ଭେଟିବେ। ବୁଧବାର ଅନ୍ୟ ଏକ କ୍ବାର୍ଟର ଫାଇନାଲ୍ରେ ୩୩ ମାନ୍ୟତାପ୍ରାପ୍ତ କ୍ରେସିକୋଭା ୭-୬, ୬-୩ ସିଧାସଳଖ ସେଟ୍ରେ ଆମେରିକାର ୧୭ ବର୍ଷୀୟା ଯୁବତୀ କୋକୋ ଗଫ୍ଙ୍କୁ ପରାସ୍ତ କରିଥିଲେ।
ଏହି ବିଜୟ ପରେ କ୍ରେସିକୋଭାଙ୍କ ନଜର ଏବେ ଫ୍ରେଞ୍ଚ୍ ଓପନ୍ ମହିଳା ଏକକ ବିଜେତାଙ୍କୁ ମିଳୁଥିବା ‘ସୁଜାନ୍ ଲେଙ୍ଗଲେନ୍ କପ୍’ ଉପରେ ରହିଛି। ସେ ଏଠାରେ ବିଜୟିନୀ ହେଲେ ୧୯୮୧ ପରେ ପ୍ରଥମ ଚେକ୍ ଗଣରାଜ୍ୟ ଖେଳାଳି ହେବାର ଗୌରବ ପାଇବେ। ଶେଷ ଥର ଲାଗି ୧୯୮୧ରେ ଚେକ୍ ଗଣରାଜ୍ୟ ଖେଳାଳି ଭାବେ ହାନା ମାନ୍ଦିକୋଭା ‘ସୁଜାନ୍ ଲେଙ୍ଗଲେନ୍ କପ୍’ ତୋଳି ଧରିବାର ସୌଭାଗ୍ୟ ପାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/56s4fh564fs56hfsfsfsfsfsfsfsfsfsfsfsfsfsfsfsfsfsfsfsfsfs.jpg)