ସରୱନ୍‌ ୱେଷ୍ଟ୍‌ଇଣ୍ଡିଜ୍‌ ଦଳର ନୂଆ ମାର୍ଗଦର୍ଶକ

ବର୍ବ‌ାଡସ୍‌: ବିଶ୍ବକପ୍‌ ପୂର୍ବରୁ ୱେଷ୍ଟ୍‌ଇଣ୍ଡିଜ୍‌ ଦଳକୁ ମାର୍ଗ ଦେଖାଇବେ ପୂର୍ବତନ ବ୍ୟାଟ୍ସମ୍ୟାନ୍ ରାମନରେଶ ସରୱନ୍‌। ତେଣୁ ବିଶ୍ବକପ୍‌ ପୂର୍ବରୁ ବାଂଲାଦେଶ ଓ ଆୟର୍ଲାଣ୍ଡକୁ ନେଇ ଆୟୋଜିତ ତ୍ରିକୋଣୀୟ ଦିନିକିଆ ଶୃଙ୍ଖଳା ଲାଗି ୱେଷ୍ଟ୍‌ଇଣ୍ଡିଜ୍‌ କ୍ରିକେଟ୍‌ ବୋର୍ଡ ସରୱନ୍‌ଙ୍କୁ ଜାତୀୟ ଦଳର ମାର୍ଗଦର୍ଶକ (ମେଣ୍ଟର) ଭାବେ ନିଯୁକ୍ତ କରିଛି। ୧୩ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍‌ ଖେଳିବା ପରେ ସରୱନ୍‌ ୨୦୧୬ରେ ଅବସର ନେଇଥିଲେ। ନୂଆ ନିଯୁକ୍ତି ପରେ ସେ ଆସନ୍ତା ମାସରେ ଆୟର୍ଲାଣ୍ଡ ଗସ୍ତ ପୂର୍ବରୁ ବାର୍ବାଡସ୍‌ରେ ଚାଲିଥିବା ପ୍ରଶିକ୍ଷଣ ଶିବିରରେ ‌ଯୋଗଦେଇଛନ୍ତି। ସୋମବାର ୱେଷ୍ଟ୍‌ଇଣ୍ଡିଜ୍‌ ବୋର୍ଡ ବିଶ୍ବକପ୍‌ ଲାଗି ସହଯୋଗୀ ଅଧିକାରୀଙ୍କ ନାମ ଘୋଷଣା କରିଥିଲା। କିନ୍ତୁ ଏହି ଦଳରେ ସରୱନ୍‌ଙ୍କ ନାଁ ନାହିଁ। ଫଳରେ ବିଶ୍ବକପ୍‌ରେ ସେ ଦଳ ସହ ଇଂଲଣ୍ଡ ଗସ୍ତ କରିବେ କି ନାହିଁ ସ୍ପଷ୍ଟ ହୋଇନି। ସୀମିତ ଓଭରିଆ‌ କ୍ରିକେଟ୍‌ରେ ସରୱନ୍‌ ଜଣେ ଶ୍ରେଷ୍ଠ ଫିନିସର୍‌। ବିଶ୍ବକପ୍‌ ପୂର୍ବରୁ ଖେଳାଳିମାନେ ତାଙ୍କଠୁ ଭଲ ଜ୍ଞାନ ପାଇପାରିବେ। ସେ ମଧ୍ୟ ଖେଳାଳିମାନଙ୍କ ମନସ୍ତତ୍ବ ସଜାଡ଼ି ପାରିବେ। ଯାହାକି ବିଶ୍ବକପ୍‌ରେ ଦଳକୁ ଅଗକୁ ବଢ଼ିବାରେ ସହଯୋଗ କରିବ ବୋଲି କ୍ରିକେଟ୍ ୱେଷ୍ଟ୍‌ଇଣ୍ଡିଜ୍‌ର ସଭାପତି ରିକି ସ୍କେରିଟ କହିଛନ୍ତି। ବୋର୍ଡ ନିର୍ଦେଶକ ତଥା ପୂର୍ବତନ ୱିକେଟ୍‌ରକ୍ଷକ ଜିମି ଆଦାମ ଯେତେବେଳେ ମୋତେ ଫୋନ୍‌ କରି ଏହି ଦାୟିତ୍ବ ପ୍ରଦାନ କରିବାକୁ କହିଲେ ମୁଁ ନିଜକୁ ନିୟନ୍ତ୍ରଣ କରିପାରିଲିନି। ୱେଷ୍ଟ୍‌ଇଣ୍ଡିଜ୍‌ କ୍ରିକେଟ୍‌ ଦଳକୁ ସହଯୋଗ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି। ମେଣ୍ଟର ଭାବେ ବୈଷୟିକ ପଦ୍ଧତିରେ କିଭଳି ଅଧିକରୁ ଅଧିକ ସହାୟତା ମିଳିପାରିବ ଚେଷ୍ଟା କରିବି ବୋଲି କହିଛନ୍ତି ସରୱନ୍‌।

ସମ୍ବନ୍ଧିତ ଖବର