ଟୋକିଓ: ଚଳିତ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଇତିହାସ ରଚିଛନ୍ତି ସର୍ବେଶ କୁଶାରେ। ପ୍ରଥମ ଭାରତୀୟ ହାଇଜମ୍ପର୍‌ ଭାବେ ଫାଇନାଲ୍‌ରେ ପହଞ୍ଚିବାରେ ଗୌରବ ଅର୍ଜନ କରିଛନ୍ତି ସେ। ସ୍ଥାନୀୟ ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌ରେ ଏହି ୩୦ ବର୍ଷୀୟ ଭାରତୀୟ ୨.୨୫ ମିଟର ମାର୍କକୁ ନିଜର ଦ୍ବିତୀୟ ପ୍ରୟାଶରେ ପାର୍‌ କରି ୧୩ ଜଣିଆ ଫାଇନାଲିଷ୍ଟଙ୍କ ମଧ୍ୟରେ ନବମ ସ୍ଥାନରେ ରହିଥିଲେ। ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ପୂର୍ବରୁ ୨.୨୭ ମିଟର (୨୦୨୨) ରହିଥିଲା। ଗତ ମାସରେ ଚେନ୍ନାଇରେ ଆୟୋଜିତ ୬୪ତମ ଜାତୀୟ ଅନ୍ତଃରାଜ୍ୟ ଦୌଡ଼କୁଦରେ ୨.୨୪ ମିଟର ଡେଇଁ ବିଜେତା ହୋଇଥିବା ସର୍ବେଶ ଚଳିତ ଋତୁରେ ଦୁଇ ଥର ୨.୨୬ ମିଟର ମାର୍କ ଛୁଇଁଥିଲେ। ତେବେ ଏହି ପ୍ରତିଯୋଗିତାରୁ ଟୋକିଓ ଅଲିମ୍ପିକ୍ସ  ବିଜେତା ଜିଆନ୍‌ମାର୍କୋ ତାମ୍ବେରି (୨.୧୬ ମିଟର) ଯୋଗ୍ୟତା ପର୍ଯ୍ୟାୟରୁ ବିଦାୟ ନେଇଥିଲେ। ସର୍ବେଶ ମଙ୍ଗଳବାର ପଦକ ପାଇଁ ପ୍ରତିଦ୍ବନ୍ଦ୍ବିତା କରିବେ। ୧୦,୦୦୦ ମିଟରରେ ଭାରତୀୟ ଧାବକ ଗୁଲବୀର ସିଂହ (୨୯:୧୩.୩୩) ୧୬ତମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଫ୍ରାନ୍ସର ଜିମି ଗ୍ରେସିଅର (୨୮:୫୫.୭୭) ସ୍ବର୍ଣ୍ଣ, ଇଥିଓପିଆର ୟୋମିଫ କେଜେଲଚା (୨୮.୫୫.୯୩) ରୌପ୍ୟ ଏବଂ ସ୍ବିଡେନ୍‌ର ଆନ୍ଦ୍ରିଜ୍‌ ଆଲ୍‌ମଗ୍ରେନ୍‌ (୨୮:୫୬.୦୨) କାଂସ୍ୟ ଜିତିଥିଲେ।

Advertisment

ପ୍ୟାରିସ୍‌ ଅଲିମ୍ପିକ୍‌ସ ଓ ବୁଦାପେଷ୍ଟ ବିଶ୍ବ ପୁରୁଷ ୧୦୦ ମିଟର ବିଜେତା ‌ଆମେରିକାର ‌ନୋଆ ଲିଲିଜ୍‌ ଟୋକିଓ ବିଶ୍ବ ଦୌଡ଼କୁଦରେ ସ୍ବର୍ଣ୍ଣ ବଜାୟ‌ ରଖିବାରେ ବିଫଳ ହୋଇଛନ୍ତି। ତାଙ୍କୁ ପଛରେ ପକାଇ ଜାମାଇକାର ଓବ୍‌ଲିକ୍‌ ସେଭିଲେ (୯.୭୭) ସ୍ବର୍ଣ୍ଣ ଜିତିଥିଲା ବେଳେ କିଶାନ ଥମ୍ପସନ୍‌ (୯.୮୨) ରୌପ୍ୟ ପାଇଥିଲେ। ନୋଆ (୯.୮୯) ଋତୁ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ବେ କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ।
ସେହିପରି ପ୍ୟାରିସ୍‌ ଅଲିମ୍ପିକ୍‌ସ ଓ ବୁଦାପେଷ୍ଟ ବିଶ୍ବ ମହିଳା ୧୦୦ ମିଟର ବିଜୟିନୀ ଆମେରିକାର ସାକାରି ରିଚାର୍ଡସନ୍‌ (୧୦.୯୪) ପଞ୍ଚମ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଥିଲେ। ଆମେରିକାର ମେଲିସା ଜେଫରସନ୍‌ ଉଡେନ୍‌ (୧୦.୬୧) ସ୍ବର୍ଣ୍ଣ, ଜାମାଇକାର ଟିନା କ୍ଲେଟନ୍‌ (୧୦.୭୬) ରୌପ୍ୟ ଏବଂ ସେଣ୍ଟ୍‌ ଲୁସିଆର ଜୁଲିଏନ୍‌ ଆଲ୍‌ଫ୍ରେଡ୍‌ (୧୦.୮୪) କାଂସ୍ୟ ପାଇଥିଲେ।