ଓ’କିଫ୍‌ଙ୍କୁ ଶାସ୍ତ୍ରୀଙ୍କ ଜବାବ: ତୁମେ କ୍ୟାଣ୍ଟିନ୍‌ ଖୋଲିଲେ ମୟଙ୍କ କଫି ଚାଖିବେ

ମେଲ୍‌ବର୍ନ: ଏଠାରେ ଚାଲିଥିବା ତୃତୀୟ ଟେ‌ଷ୍ଟ୍‌ର ପ୍ରଥମ ଦିନ ଖେଳ ବେଳେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ମୟଙ୍କ ଅଗ୍ରୱାଲ୍‌ଙ୍କ ବିଷୟରେ ଖରାପ ମନ୍ତବ୍ୟ ଦେବା ପରେ କ୍ଷମା ମାଗିନେଇଥିବା ‘ଫକ୍ସ କ୍ରିକେଟ୍‌’ ଭାଷ୍ୟକାର ତଥା ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି କେରି ଓ’କିଫ୍‌ଙ୍କୁ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ମୁହଁତୋଡ଼ ଜବାବ ଦେଇଛନ୍ତି। ମୟଙ୍କଙ୍କ ଗତବର୍ଷର ରଣଜୀ ତ୍ରିଶତକ ‘ରେଳବାଇ କ୍ୟାଣ୍ଟିନ୍‌ ଷ୍ଟାଫ୍‌’ଙ୍କ ବିପକ୍ଷରେ ଥିଲା ବୋଲି କିଫ୍ କହିଥିଲେ। ମୟଙ୍କଙ୍କୁ ଗୌଣ ନଜରରେ ଦେଖି ସମାଲୋଚନା କରିଥିବାରୁ ଓ’କିଫ୍‌ ବିଭିନ୍ନ ଆଡୁ ବି‌ରୋଧର ସମ୍ମୁଖୀନ ହୋଇଥିଲେ। ତେବେ ଗୁରୁବାର ଶାସ୍ତ୍ରୀ ଦୃଢ଼ ଜବାବ ରଖିଛନ୍ତି। ସେ ଓ’କିଫ୍‌ଙ୍କୁ ଚେତାଇ ଦେଇଛନ୍ତି ଯେ ତୁମେ ଯେତେବେଳେ ତୁମର କ୍ୟାଣ୍ଟିନ୍‌ ଖୋଲିବ, ସେତେବେଳେ ମୟଙ୍କ ତୁମ କ୍ୟାଣ୍ଟିନ୍‌ରେ କଫିର ସ୍ବାଦ ଚାଖିବେ ବୋଲି ଶାସ୍ତ୍ରୀ କହିଛନ୍ତି। ଏହାପରେ ତୁମ କଫି ସ୍ବାଦିଷ୍ଟ ନା ଭାରତ ରେଳ କ୍ୟାଣ୍ଟିନ୍‌ର କଫି ସ୍ବାଦିଷ୍ଟ ତାହା ମୟଙ୍କ ତୁଳନା କରିବେ ବୋଲି ଶାସ୍ତ୍ରୀ କହିଥିଲେ। ଶାସ୍ତ୍ରୀ ଫକ୍ସ କ୍ରିକେଟ୍‌ ଜରିଆରେ ଏହି ଆହ୍ବାନ ଦେଇଥିଲା ବେଳେ ତାଙ୍କ ପାଖରେ ଓ’କିଫ୍‌ ମଧ୍ୟ ବସିଥିଲେ। ଅବଶ୍ୟ ଶାସ୍ତ୍ରୀଙ୍କ ଏଭଳି ଜବାବରେ ଓ’କିଫ୍‌ ସ୍ମିତହାସ୍ୟ ଦେଇଥିଲେ।

ସମ୍ବନ୍ଧିତ ଖବର