‘ଶତାବ୍ଦୀର ବଲ୍‌’ ସ୍ମୃତି ଲେଉଟିଲା

satabdi ball memory returned

ମାଞ୍ଚେଷ୍ଟର୍‌: ଚଳିତ ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷ ବୋଲିଂ ବେଳେ କୁଲଦୀପ ଯାଦବଙ୍କ ଏକ ବଲ୍ ଏବେ ‘ଶତାବ୍ଦୀର ବଲ୍’ ସ୍ମୃତିକୁ ଫେରାଇ ଆଣିଛି। ୨୬ ବର୍ଷ ତଳେ ସେନ୍ ୱର୍ନଙ୍କ ସେହି ବଲ୍ ଓଲ୍ଡ ଟ୍ରାଫୋର୍ଡରେ ମାଇକ୍ ଗ୍ୟାଟିଂକୁ ଆଉଟ୍ କରିବା ପରଠାରୁ ଏହାକୁ ‘ବଲ୍ ଅଫ୍ ଦ ‌ସେଞ୍ଚୁରି’ କୁହାଯାଉଥିଲା। ଏବେ କୁଲଦୀପ ନିଜ କ୍ରିକେଟ୍‌ ଭାଷାରେ ହିଁ ସେହି ଓଲ୍ଡ ଟ୍ରାଫୋର୍ଡ ସ୍ମୃତିକୁ ମନେ ପକାଇ ଦେଇଛନ୍ତି। ସେହି ବଲ୍ ସେନ୍ ୱର୍ନଙ୍କ ଜାଜୁଲ୍ୟମାନ ଖେଳ ଜୀବନର ଭିତ୍ତିଭୂମି ପକାଇଥିଲା। ସେଥିରେ ଫ୍ଲାଇଟ୍‌, ଡ୍ରିଫ୍ଟ, ଡିପ୍ ଏବଂ ଟର୍ନ ସବୁକିଛି ଥିଲା। କୁଲଦୀପଙ୍କ ଚର୍ଚିତ ବଲରେ କିନ୍ତୁ ଟର୍ନ ଅପେକ୍ଷା ଅଧିକ ଡ୍ରିଫ୍ଟ ରହିଥିଲା। ୱର୍ନ ଅବିଶ୍ବସନୀୟ ଟର୍ନ ଜରିଆରେ ଗ୍ୟାଟିଂଙ୍କୁ ଶିକାର କରିଥିଲେ।

କୁଲଦୀପ ରବିବାର ପାକିସ୍ତାନର ବାବର ଆଜମଙ୍କୁ ହିଁ ଏଭଳି ବଲ୍‌ରେ ଶିକାର କରିଥିଲେ। ଲଣ୍ଡନ୍‌ସ୍ଥିତ ଦି ଟାଇମ୍ସ ଏହ‌ାର ଶିରୋନାମାରେ ଲେଖିଛି ‘ବଲ୍ ଅଫ୍ ଦ ସେଞ୍ଚୁରି’ ଜରିଆରେ କୁଲଦୀପ ନିଜ ପରଫେକ୍ଟ ମୁହୂର୍ତ ସଂଗ୍ରହ କରିଛନ୍ତି। କୁଲଦୀପଙ୍କ ବଲ୍ ଘଣ୍ଟାପ୍ରତି ୭୮ କିଲୋମିଟର୍ ବେଗରେ ଥିଲା, ବଲ୍ ପିଚ୍‌ ହେବା ପୂର୍ବରୁ ବାବର ଆଗକୁ ବଢ଼ି ସାରିଥିଲେ। ବଲ୍ କିନ୍ତୁ ୫.୮୦ ଡିଗ୍ରିରେ ଟର୍ନ କରି ତାଙ୍କ ଗେଟ୍ ଭେଦି ଯାଇଥିଲା। ‘ମ୍ୟାଚ୍‌ରେ ମୋଡ଼ ଆଣିଥିଲେ ଜଣେ ମ୍ୟାଚ୍‌ ମୋଡି ପାରୁଥିବା ଖେଳାଳି’ ବୋଲି ଟାଇମ୍ସ ଲେଖିଛି। କୁଲଦୀପଙ୍କ ବଲ ଅତୀତର ସେଭଳି ଅନେକ ବଲ୍‌କୁ ମନେ ପକାଇ ଦେଇଛି। ରବିବାର ବାବର ଆଜମ ବି ବୁଝି ପାରିନଥିଲେ ଏବଂ ଅଫଷ୍ଟମ୍ପ୍ ହରାଇଥିଲେ। ଆଇସିସି ମଧ୍ୟ ଏହି ବଲ୍‌କୁ ‘ସାନ୍‌ଦାର’ ଆଖ୍ୟା ଦେଇ ‘ପ୍ଲେ ଅଫ୍‌ ଦି ଡେ’ ବୋଲି ଦର୍ଶାଇଛି। କୁଲଦୀପଙ୍କ ବଲ୍ ୫.୮୦ ଡିଗ୍ରି ଟର୍ନ କରିଥିବା ବେଳେ ୨୬ ବର୍ଷ ତଳେ ୱର୍ନଙ୍କ ବଲ୍ ସଂଘାତିକ ଭାବେ ୧୪ ଡିଗ୍ରି ଟର୍ନ କରିଥିଲା। ଗତ ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ କରିଥିବା କୁଲଦୀପ ୯ ମ୍ୟାଚ୍‌ରୁ ମାତ୍ର ୪ ୱିକେଟ୍‌ ନେଇ ଚାପରେ ଥିଲେ। ଏବେ ପାକିସ୍ତାନ ବିପକ୍ଷ (୯-୧-୩୨-୨) ପ୍ରଦର୍ଶନ ମଧ୍ୟ ତାଙ୍କ ଆତ୍ମବିଶ୍ବାସକୁ‌ ଫେରାଇ ଆଣିଛି।

ସମ୍ବନ୍ଧିତ ଖବର