ଭୁବନେଶ୍ବର: ସ୍ଥାନୀୟ ରସୁଲଗଡ଼ ୟୁଥ୍ କ୍ଲବ୍ ପକ୍ଷରୁ ୨୩ତମ ସନ୍ତୋଷ ସ୍ମାରକୀ କ୍ରିକେଟ୍ ପ୍ରତିଯୋଗିତା ରବିବାର ଶେଷ ହୋଇଯାଇଛି। ଫାଇନାଲ୍‌ରେ କଟକର ମ୍ୟାଜିକ୍ ଏକାଦଶକୁ ୭୩ ରନ୍‌ରେ ପରାସ୍ତ କରି ଭୁବନେଶ୍ବରର ସହିଦ ନଗର ଏକାଦଶ ବିଜେତା‌ ହୋଇଛି। ସୁମନ୍ତ‌ ସେଠୀ ୭୨ ରନ୍‌ ଏବଂ ନିର୍ମଳ ବେହେରା ୭୦ ରନ୍‌ କରିବାରୁ ସହିଦ ନଗର ଦଳ ୧୫ ଓଭରରେ ୮ ୱିକେଟ୍‌ ହରାଇ ୨୩୮ ରନ୍‌ କରିଥିଲା।

Advertisment

ପ୍ରତିପକ୍ଷର ସୁନିଲ ଦଳାଇ ୩ ଓଭରରେ ୩ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ମ୍ୟାଜିକ୍ ଏକାଦଶ ୧୨ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୫ ରନ୍‌ କରିଥିଲା। କିଶୋର ଦାସ ୨୩ ବଲ୍‌ରୁ ୭୪ ରନ୍‌ କରିଥିଲେ। ରଂଜିତ କୁଣ୍ଡୁ ୩ ଓଭରରେ ୪ ୱିକେଟ୍‌ ଦଖଲ କରିଥିଲେ। ନିର୍ମଳ ବେହେରା ଫାଇନାଲ୍ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପ୍ରତିଯୋଗିତାରେ ନିର୍ମଳ ମୋଟ ୧୬୪ ରନ୍ ସଂଗ୍ରହ କରିବା ସହ ୧୨ ୱିକେଟ୍ ଦଖଲ କରି ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିଲେ। କୈଳାସ ରାଉଳ ଓ ରଜତ ଜଗଦେବ ଅମ୍ପାୟାରିଂ କରିଥିଲେ। ସମ୍ବିତ ରାଉତରାୟ ରେଫରି ଥିଲେ। ଉଦ୍‌ଯାପନୀ ଉତ୍ସବରେ ବିଧାୟକ ଦେବୀରଂଜନ ତ୍ରିପାଠୀ, ସୁରେଶ କୁମାର ରାଉତରାୟ, କର୍ପୋରେଟର୍‌ ସ୍ମୃତିଶିଖା ବରିଶଲଙ୍କ ସହିତ ବୁଦ୍ଧପ୍ରକାଶ ମହାପାତ୍ର, ସଂଜୟ ପାଇକରାୟ, ପ୍ରକାଶ ରାଉତରାୟ, ତପନ ରାଉତରାୟ, ପ୍ରଦୀପ ବରିଶଲ, ଯଜ୍ଞାଶିଷ ମହାପାତ୍ର ଅତିଥି ଭାବେ ଅଂଶଗ୍ରହଣ କରିଥିଲେ।