ଟୋକିଓ: ପ୍ରଥମ କରି ଅଲିମ୍ପିକ୍ କ୍ରୀଡ଼ାରେ ଅଂଶ ଗ୍ରହଣ କରିଥିବା ଭାରତୀୟ କୁସ୍ତି ଖେଳାଳି ସତୀଶ କୁମାର ଆଜି +୯୧ କେଜି ମ୍ୟାଚ୍ରେ ଜାମାଇକାର ରିକାର୍ଡୋ ବ୍ରାଉନ୍ଙ୍କୁ ପ୍ରାରମ୍ଭିକ ପ୍ରତିଦ୍ବନ୍ଦ୍ବିତାରେ ଅନାୟାସରେ ପରାସ୍ତ କରି କ୍ବାର୍ଟର୍ଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଜାପାନର ଟୋକିଓରେ ଚାଲିଥିବା ୨୦୨୦ ଅଲିମ୍ପିକ୍ସ୍ରେ ଉଭୟ ସତୀଶ ଓ ରିକାର୍ଡୋ ହେଉଛନ୍ତି ପ୍ରଥମ କରି ଭାଗ ନେଇଥିବା ଖେଳାଳି। କିନ୍ତୁ, ଏଥିରେ ସତୀଶ ୪-୧ରେ ବ୍ରାଉନ୍ଙ୍କ ଠାରୁ ଅଗ୍ରଣୀ ରହି ବିଜୟୀ ହୋଇଛନ୍ତି।
ଭାରତ ପକ୍ଷରୁ ଦୁଇଥର ‘ଏସିଆନ୍ ଚାମ୍ପିଅନ୍ସିପ୍’ରେ କାଂସ୍ୟ ପଦକ ହାସଲ କରିଥିବା ୩୨ ବର୍ଷିୟ ସତୀଶ ଏହି ଖେଳରେ ଉତ୍ତମ ରୂପେ ପାଦଚାଳନା କରିପାରୁ ନ ଥିବା ୩୧ ବର୍ଷିୟ ବ୍ରାଉନ୍ଙ୍କୁ ଦକ୍ଷତାର ସହ ମୁକାବିଲା କରିଥିଲେ।
/sambad/media/post_attachments/wp-content/uploads/2021/07/sk-1024x614.jpg)
୨୦୧୮ ‘କମନ୍ୱେଲ୍ଥ୍ ଗେମ୍ସ୍’ରେ ରୌପ୍ୟ ପଦକ ଜିଣିଥିବା ସତୀଶ ଡାହଣ ହାତ ଚାଳନା କରି ବ୍ରାଉନ୍ଙ୍କ ଉପରେ ଆଧିପତ୍ୟ ଜାହିର କରିବାରୁ ସେ ସନ୍ତୁଳନ ରକ୍ଷା କରି ନ ପାରି ବାରମ୍ବାର ଭୁଲ୍ କରି ବସୁଥିଲେ। ସମ୍ଭବତ ସତୀଶଙ୍କୁ ପରାସ୍ତ କରିବା ଲାଗି ବ୍ରାଉନ୍ ଦ୍ରୁଢ଼ ମୁଷ୍ଟି ପ୍ରହାର ଦେବାର ସୁଯୋଗ ଖୋଜୁଥିଲେ। ମାତ୍ର, ସେତେଟା ଚଳଚଞ୍ଚଳ ହୋଇ ନ ପାରିବାରୁ ତାହା ସମ୍ଭବ ହେଲା ନାହିଁ।
ଏହା ପରେ ସତୀଶ ଉଜ୍ବେକିସ୍ତାନର ବାଖୋଦିର ଜାଲୋଲୋଭ୍ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ। ଜାଲୋଲୋଭ୍ ଗତ ୧୬ଟି ପ୍ରତିଦ୍ବନ୍ଦ୍ବିତାରେ ମହମ୍ମଦ୍ ଅବ୍ଦୁଲ୍ଲାୟେଭ୍ଙ୍କୁ ୫-୦ରେ ପରାସ୍ତ କରିଛନ୍ତି।