ଓଡ଼ିଶା ଅସିଚାଳନାରେ ଇତିହାସ ରଚିଲେ ସତୀଶ

ଭୁବନେଶ୍ବର: ଓଡ଼ିଶା ଅସିଚାଳନା ଇତିହାସରେ ୨୦୨୧ ମସିହା ନୂଆ ଫର୍ଦ ଯୋଡ଼ିବାରେ ଲାଗିଛି। ଗତ ସପ୍ତାହରେ କଟକରେ ଜାତୀୟ ଉପକନିଷ୍ଠ ଅସିଚାଳନା ପ୍ରତିଯୋଗିତା ସଫଳତାର ସହ ସମ୍ପନ୍ନ ହୋଇଛି। କିନ୍ତୁ ଏହାର ପୂର୍ବ ସପ୍ତାହରେ ଓଡ଼ିଶା ପ୍ରଥମ ଥର ପାଇଁ ଜାତୀୟ ପଦକ ଜିତି ନୂଆ ଗୌରବ ଆଣିଛି। ଅନ୍ତର୍ଜାତୀୟ ଅସିଚାଳକ ସତୀଶ ଗଡ଼ନାୟକ ପ୍ରଥମ ଥର ପାଇଁ ଓଡ଼ିଶାର ପ୍ରତିନିଧିତ୍ବ କରିବା ସହ ରୌପ୍ୟ ପଦକ ଜିତିଛନ୍ତି। ମାର୍ଚ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଉତ୍ତରାଖଣ୍ଡର ରୁଦ୍ରପୁରଠାରେ ଅନୁଷ୍ଠିତ ୩୧ତମ ଜାତୀୟ ବରିଷ୍ଠ ପ୍ରତିଯୋଗିତାରେ ପୁରୁଷ ଇପି ଇଭେଣ୍ଟରେ ସତୀଶ ଏହି ସଫଳତା ପାଇଛନ୍ତି। ଓଡ଼ିଶା ଦଳକୁ ରୌପ୍ୟ ପଦକ ବିଜେତା କରିବାରେ ସତୀଶ ମୁଖ୍ୟ ଭୂମିକା ତୁଲାଇଥିଲେ। ପୂର୍ବରୁ ନାଭିରୁ ଖେଳୁଥିବା ସତୀଶଙ୍କ ସହ ଓଡ଼ିଶାର ନିତିନ ସ୍ବାଇଁ ଏବଂ ଅନ୍ୟ ରାଜ୍ୟର ୨ ଜଣ ପ୍ରବୀଣ କୁମାର ଓ ଭୂପେନ ସିଂହ ମଧ୍ୟ ରୌପ୍ୟ ପଦକ ହାସଲ କରିଛନ୍ତି।

ଓଡ଼ିଶା ଦଳର ଅନ୍ୟତମ ପ୍ରତିଯୋଗୀ ସାହିଲ କୁମ୍ଭାର ଫଏଲରେ କାଂସ୍ୟ ପଦକ ଜିତିଥିଲେ। ଜାତୀୟ ଅସିଚାଳନା ଇତିହାସରେ ଓଡ଼ିଶା କେବେ ପଦକ ପର୍ଯ୍ୟନ୍ତ ପହଞ୍ଚି ପାରିନଥିବା ବେଳେ ଏଥର ତିନିଟି ପଦକ ଜିତି ନୂଆ ଅଧ୍ୟାୟ ସଂଯୋଗ କରିଛି। ନାଭିରେ କାର୍ଯ୍ୟରତ ସତୀଶ ପୂର୍ବରୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ବହୁ ସଫଳତା ଅର୍ଜନ କରିସାରିଛନ୍ତି। ତାଙ୍କ ପିତା ସଞ୍ଜୟ ଗଡ଼ନାୟକ ଭାରତୀୟ ଦୌଡ଼କୁଦ ଦଳର ପୂର୍ବତନ ପ୍ରଶିକ୍ଷକ ଥିବା ବେଳେ ଏବେ କିଟ୍‌ ବିଶ୍ବବିଦ୍ୟାଳୟର ମୁଖ୍ୟ ଦୌଡ଼କୁଦ ପ୍ରଶିକ୍ଷକ ଭାବେ କାର୍ଯ୍ୟରତ। ଓଡ଼ିଶା ଦଳ ସହ ପ୍ରଶିକ୍ଷକ ଦାୟିତ୍ବରେ ଥିବା ସୁକାନ୍ତ ସେଠୀ ଏବଂ କରିସ୍ମା ରାଉତଙ୍କ ଅବଦାନକୁ ମଧ୍ୟ ଗତ ସପ୍ତାହରେ କଟକ ଜାତୀୟ ପ୍ରତିଯୋଗିତା ବେଳେ ସ୍ବୀକୃତି ପ୍ରଦାନ କରାଯାଇଛି। ଭାରତୀୟ ଅଲିମ୍ପିକ୍‌ ତଥା ଅସିଚାଳନା ସଂଘ ସଭାପତି ରାଜୀବ ମେହେଟା ଉଭୟଙ୍କୁ ୫,୦୦୦ ଟଙ୍କା ଲେଖାଏଁ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ଓଡ଼ିଶା ପଦକ ବିଜେତାମାନେ ମଧ୍ୟ ଜାତୀୟ କ୍ରୀଡ଼ା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ସମସ୍ତ କୃତୀ ଅସିଚାଳକ ଓ ପ୍ରଶିକ୍ଷକଙ୍କୁ ଓଡ଼ିଶା ଅସିଚାଳନା ସଂଘ ସଭାପତି ଅନଙ୍ଗ ଉଦୟ ସି˚ହଦେଓ, ସମ୍ପାଦକ ଦେବେନ୍ଦ୍ର ସାହୁ, ଯୁଗ୍ମ ସମ୍ପାଦକ ସୁମିତ ରଂଜନ ପୁରୋହିତ ଅଭିନନ୍ଦନ ଜ୍ଞାପନ କରିଛନ୍ତି।

ସମ୍ବନ୍ଧିତ ଖବର