ସ୍ବର୍ଣ୍ଣ ଜିତିବି, ସିନ୍ଧୁଙ୍କ ଭଳି ହେବି: ଶ୍ରୁତି

ରାଜ୍ୟର ଉଦୀୟମାନ ବ୍ୟାଡମିଣ୍ଟନ୍‌ ଖେଳାଳିଙ୍କ ମଧ୍ୟରେ ସମ୍ଭାବନାମୟ ଭବିଷ୍ୟତର ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୁତି ସ୍ବାଇଁ। ଏହି କଟକ ଝିଅ ଏବଂ ସହିଦ ନଗର ଇନ୍‌ଡୋର୍‌ ହଲ ଛାତ୍ରାବାସରେ ରହି ନିଜ ଖେଳ ଜୀବନ ଗଢ଼ୂଛନ୍ତି। ଗତ ସପ୍ତାହରେ ଭୁବନେଶ୍ବରଠାରେ ଓଡ଼ିଶା ଓପନ୍‌ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ବି ଯୁଗଳ ମୁକୁଟ ଜିତିଥିଲେ। ପ୍ରଶିକ୍ଷକ କିରଣଙ୍କ ପ୍ରଶଂସା ମଧ୍ୟ ଶ୍ରୁତିଙ୍କୁ ଉତ୍ସାହିତ କରିଛି। ଆଗାମୀ ଜାତୀୟ ପ୍ରତିଯୋଗିତାରେ ଭଲ କରିବାକୁ ଆତ୍ମବିଶ୍ବାସରେ ଥିବା ଶ୍ରୁତି କହିଛନ୍ତି ‘ସ୍ବର୍ଣ୍ଣ ଜିତିବାକୁ ଶତ ଚେଷ୍ଟା କରିବି’। ପିଭି ସିନ୍ଧୁଙ୍କ ଅଲିମ୍ପିକ୍ ପଦକ ଜିତିବା ପରେ ଭୁବନେଶ୍ବରରେ ହୋଇଥିବା ସାଇ ଚୟନରେ ସାମିଲ ହୋଇ ମୁଁ ପ୍ରଥମ ଥର ସୁଯୋଗ ପାଇଥିଲି। ସେବେଠାରୁ ପଛକୁ ଫେରିଚାହିଁନି। ତାଙ୍କ ଭଳି ହୋଇ ଦିନେ ସୁନାମ ଆଣିବାକୁ ଲକ୍ଷ୍ୟ ରଖିଛି ବୋଲି କହିଥିଲେ ଶ୍ରୁତି। ମୁଁ ଜଣେ ରାଲି ଖେଳାଳି ଏବଂ ଏକକ ଇଭେଣ୍ଟ୍‌ରେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ। ଅଶୋକ କୁମାର ମଲ୍ଲିକଙ୍କଠାରୁ କଟକରେ ବ୍ୟାଡମିଣ୍ଟନ୍‌ର ଏବିସିଡି ଶିଖିଥିବା ଶ୍ରୁତି ସାଇ ଗୁରୁ କିରଣ ସାର୍‌ଙ୍କୁ ତାଙ୍କ ଉନ୍ନତିର ଶ୍ରେୟ ଦିଅନ୍ତି। ପିତା ଶୁଭେନ୍ଦୁ ଶେଖର ଏବଂ ମା’ ଗୀତାଞ୍ଜଳି ସ୍ବାଇଁଙ୍କଠାରୁ ମୁଁ ସମ୍ପୂର୍ଣ୍ଣ ସମର୍ଥନ ପାଇ ବ୍ୟାଡମିଣ୍ଟନ ଖେଳୁଛି ବୋଲି ମଧ୍ୟ ସ୍ବୀକାର କରିଥିଲେ ଶ୍ରୁତି।

ସମ୍ବନ୍ଧିତ ଖବର