ଭୁବନେଶ୍ବର: ଭାରତ ଦ୍ବିତୀୟ ଥର ଲାଗି ଇଣ୍ଟରକଣ୍ଟିନେଣ୍ଟାଲ କପ୍ ବିଜେତା ହୋଇଛି। ପ୍ରଥମ ଥର ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଚତୁଃରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ ୧୦୧ ମାନ୍ୟତାପ୍ରାପ୍ତ ଭାରତ ୨-୦ ଗୋଲ୍ରେ ନିଜଠୁ ଉଚ୍ଚମାନ୍ୟତାପ୍ରାପ୍ତ ଲେବାନନ୍ (୯୯)କୁ ପରାସ୍ତ କରିଛି। ଲିଗ୍ ପର୍ଯ୍ୟାୟରେ ଏହି ଦଳ ସହ ଅମୀମାଂସିତ ରଖିଥିବା ଭାରତ ରବିବାର କୌଣସି ସୁଯୋଗ ଦେଇନଥିଲା। ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍) ଓ ଲାଲଲିଆଞ୍ଜୁଆଲା ଚାଙ୍ଗ୍ଟେ (୬୫ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇ ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟରେ ଶେଷ ହୋଇଥିଲା। ଏହି ଅର୍ଦ୍ଧରେ ଭାରତ ଆକ୍ରମଣାତ୍ମକ ଖେଳ ଖେଳି ଅନେକ ଥର ଲେବାନନ୍ର ଗୋଲ୍ପୋଷ୍ଟର ନିକଟତର ହୋଇଥିଲା। ହେଲେ ଅଳ୍ପ ଅଳ୍ପରେ ଗୋଲ୍ ଦେବାରୁ ବଞ୍ଚିତ ହୋଇଥିଲା।
ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଭାରତ ଗୋଲ୍ ଦେଇ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଡାହାଣପଟୁ ଲାଲଲିଆଞ୍ଜୁଆଲା ଚାଙ୍ଗଟେଙ୍କ ତଳୁଆ ପାସ୍କୁ ଅଧିନାୟକ ସୁନିଲ ଛେତ୍ରୀ (୪୬ ମିନିଟ୍) ସିଧା ଲେବାନନର ଗୋଲ୍ପୋଷ୍ଟ୍କୁ ବଲ୍ ପଠାଇ ଦେଇଥିଲେ। ଏହା ପରେ ଚାଙ୍ଗ୍ଟେ (୬୫ ମିନିଟ୍)ଙ୍କ ଗୋଲ୍ରେ ଭାରତ ସ୍ଥିତି ୨-୦ କରିନେଇଥିଲା। ଦୁଇ ଗୋଲ୍ ବରଣ କରିବା ପରେ ଲେବାନନ୍ ପ୍ରତିଆକ୍ରମଣ ଆରମ୍ଭ କରିଥିଲେ ମଧ୍ୟ ଭାରତର ରକ୍ଷଣଭାଗ ଭେଦ କରିପାରନଥିଲା। ଏମିତିବି ଭାରତ ଶେଷ ପର୍ଯ୍ୟନ୍ତ ନିଜ ଆକ୍ରମଣ ଜାରି ରଖିଥିଲା। ୮୮ତମ ମିନିଟ୍ରେ ଛେତ୍ରୀ ଓ ଚାଙ୍ଗଟେଙ୍କ ବଦଳ ଖେଳାଳି ଭାବେ ଶୁଭାଶିଷ ବୋଷ ଓ ନନ୍ଦକୁମାର ଶେକର ପଡ଼ିଆରେ ପ୍ରବେଶ କରିଥିଲେ। ଦୁଇଟି ଯାକ ଗୋଲ୍ରେ ଅବଦାନ ରଖିଥିବା ଚାଙ୍ଗଟେ ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସନ୍ଦେଶ ଝିଙ୍ଗାନ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଏହି ବିଜୟ ସହ ଭାରତ ୩ ଦିନ ପରେ ବେଙ୍ଗାଲୁରୁରେ ଆରମ୍ଭ ହେବାକୁଥିବା ସାଫ୍ ଚାମ୍ପିଅନ୍ସିପ୍ ପୂର୍ବରୁ ନିଜ ମନୋବଳକୁ ଦୃଢ଼ କରିଛି। ଚଳିତ ମାସ ୨୧ରୁ ଜୁଲାଇ ୪ ପର୍ଯ୍ୟନ୍ତ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତାର ଭାରତ ଗ୍ରୁପ୍-ଏ'ରେ କୁଏତ, ନେପାଳ ଓ ପାକିସ୍ତାନ ସହ ରହିଛି। ସୂଚନାଯୋଗ୍ୟ ଯେ ୨୦୧୮ରେ ମୁମ୍ବାଇରେ ଆୟୋଜିତ ଇଣ୍ଟରକଣ୍ଟିନେଣ୍ଟାଲ କପ୍ର ପ୍ରଥମ ସଂସ୍କରଣର ଫାଇନାଲ୍ରେ ଭାରତ ୨-୦ ଗୋଲ୍ରେ କେନିୟାକୁ ହରାଇ ବିଜେତା ଟ୍ରଫି କରାୟତ୍ତ କରିଥିଲା। କିନ୍ତୁ ଏହା ପର ସଂସ୍କରଣ (୨୦୧୯, ଅହମଦାବାଦ)ରେ ଭାରତ ଶେଷ ସ୍ଥାନରେ ରହିଥିଲା। ରବିବାର ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ବିଜେତା ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘର ସଭାପତି କଲ୍ୟାଣ ଚୌବେ, ସମ୍ପାଦକ ଶାଜି ପ୍ରଭାକରନ, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ୍ ଓ କ୍ରୀଡ଼ା ଓ ଯୁବସେବା ସଚିବ ଆର୍ ଭିନିଲ କ୍ରିଷ୍ଣା, ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ। ଟ୍ରଫି ପ୍ରଦାନ ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଦଳ ପାଇଁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି।
ଛେତ୍ରୀ.. ଛେତ୍ରୀ..ଇଣ୍ଡିଆ..ଇଣ୍ଡିଆ..କମ୍ପିଲା କଳିଙ୍ଗ
ରବିବାର ଛୁଟି ଥିବାରୁ ଭୁବନେଶ୍ବରରେ ପ୍ରଥମ ଥର ଆୟୋଜିତ ଅନ୍ତର୍ଜାତୀୟ ଫୁଟ୍ବଲ୍ ମ୍ୟାଚ୍କୁ ହାତଛଡ଼ା କରିନଥିଲେ ରାଜଧାନୀବାସୀ। ପୂର୍ବ ମ୍ୟାଚ୍ଗୁଡ଼ିକ ଅପେକ୍ଷା ଫାଇନାଲ୍ ମ୍ୟାଚ୍ରେ କଳିଙ୍ଗ ଷ୍ଟାଡିୟମ ଦର୍ଶକ ଭର୍ତ୍ତି ରହିଥିଲା। ସମସ୍ତଙ୍କ ନଜରରେ ଅଧିନାୟକ ସୁନିଲ ଛେତ୍ରୀ। ମ୍ୟାଚ୍ ଆରମ୍ଭ ହେଉ ହେଉ ଛେତ୍ରୀ..ଛେତ୍ରୀ... ଏବଂ ଇଣ୍ଡିଆ... ଇଣ୍ଡିଆରେ...କଳିଙ୍ଗ ଷ୍ଟାଡିୟମ କମ୍ପି ଉଠିଥିଲା। ଦର୍ଶକଙ୍କ ଉତ୍ସାହକୁ ଭାରତୀୟ ଖେଳାଳି ନିରାଶ କରିନଥିଲେ। ଭାରତକୁ ବିଜେତା କରି ନିଜ ଘରୋଇ ଦର୍ଶକଙ୍କ ଖୁସିକୁ ଦ୍ବିଗୁଣିତ କରିଦେଇଥିଲେ। ଓଡ଼ିଶା ଦର୍ଶକ ନିଜ ମାଟିରେ ପ୍ରଥମ ଥର ଲାଗି କୌଣସି ପ୍ରତିଯୋଗିତାର ବିଜେତା ଟ୍ରଫି ଭାରତୀୟ ତୋଳି ଧରିବାର ମୁହୂର୍ତ୍ତକୁ ନିଜ ମୋବାଇଲ କ୍ୟାମେରାରେ ତୋଳି ଧରିବାକୁ ଭୁଲି ନଥିଲେ। ଫାଇନାଲ୍ ମ୍ୟାଚ୍ରେ ଅଫିସିଆଲ୍ ଭାବେ ୧୨,୬୦୦ ଦର୍ଶକ ଉପସ୍ଥିତ ଥିଲେ।
କଳିଙ୍ଗରେ ସାଫ୍ ପ୍ରତିନିଧି
ରବିବାରର ଫାଇନାଲ୍ ମ୍ୟାଚ୍କୁ ସାଉଦି ଆରବ ଫୁଟ୍ବଲ୍ ମହାସଂଘ (ସାଫ୍)ର ପ୍ରତିନିଧି ସହସମ୍ପାଦକ ଇବ୍ରାହିମ ଅଲ୍କାବା, ବରିଷ୍ଠ ପରାମର୍ଶଦାତା ହିଚାମ ଏଥ ଅମ୍ରାନି ଏବଂ ଡିଜିଏସ୍ ସହ ସମ୍ପାଦକ ନୋରା ଅଲ୍ସୁୱେମାନ ପ୍ରମୁଖ ଉପଭୋଗ କରିଥିଲେ। ଏହି ଅବସରରେ ଏମାନଙ୍କ ସହ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା ଏବଂ ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘର ସମ୍ପଦକ ଶାଜି ପ୍ରଭାକରନ ଏସିଆରେ ଫୁଟ୍ବଲ୍ର ବିକାଶ ଉପରେ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳ ଓଡ଼ିଶାରେ ଫୁଟ୍ବଲ୍ ବିକାଶ ମିସନ ଏବଂ ସାଫ୍ ଚାମ୍ପିଅନ୍ସିପ୍ରେ ଭାଗୀଦାରି ନେଇ ଏସୀୟ ଫୁଟ୍ବଲ୍ ମହାସଂଘ ତରଫରୁ ଆଲୋଚନା କରିଥିଲେ। ଏସୀୟ ଚାମ୍ପିଅନ୍ସିପ୍ ଭାରତରେ ଚଳିତ ମାସ ୨୧ରୁ ଖେଳାଯିବ। ଏସୀୟ ଫୁଟ୍ବଲ୍ରେ ସାଉଦି ଆରବର ଅବଦାନ ଅଧିକ ରହିଛି। ସାଉଦି ଆରବ ସହ ଭାରତର ଚୁକ୍ତି ଅନୁଯାୟୀ ପ୍ରଥମ ଥର ଲାଗି ଚଳିତ ବର୍ଷ ସନ୍ତୋଷ ଟ୍ରଫି ରିୟାଦରେ ଅନୁଷ୍ଠିତ ହୋଇଥିଲା। ‘‘ସାଫ୍ ପ୍ରତିନିଧିମାନେ ଓଡ଼ିଶା ଆସିଥିବାରୁ ଆମେ ବହୁତ ଖୁସି। ସେମାନଙ୍କୁ ସ୍ବାଗତ କରୁଛୁ। ରାଜ୍ୟରେ ଫୁଟ୍ବଲ୍ର ବିକାଶ ଲାଗି ସେମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲୁ’’ ବୋଲି କ୍ରୀଡ଼ା ସଚିବ ଆର୍ ଭିନିଲ କ୍ରିଷ୍ଣ ପ୍ରକାଶ କରିଛନ୍ତି। ‘‘ଅତି ସୁନ୍ଦର କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ଲେବାନନ୍ ଫାଇନାଲ୍ ମ୍ୟାଚ୍ ଦେଖି ଗୌରବାନ୍ବିତ। ଏଠାକାର ଭିିତ୍ତିଭୂମି ଚମତ୍କାର ରହିଛି। ଆମକୁ ଆତିଥ୍ୟ ମିଳିଥିବାରୁ ଓଡ଼ିଶା ଓ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଉଛୁ’’ ବୋଲି ସାଫ୍ର ସହ ସମ୍ପାଦକ ଇବ୍ରାହିମ ଅଲ୍କାବା କହିଛନ୍ତି।