ସାଉଦି ଆରବ ମୁହାଁ ବେଞ୍ଜେମା, ମେସି

ମାଦ୍ରିଦ୍‌: ରିଅଲ୍‌ ମାଦ୍ରିଦ୍‌ ଛାଡ଼ିବା ସ୍ପଷ୍ଟ ହେବା ପରେ ଫ୍ରାନ୍ସ ଖେଳାଳି କରିମ୍‌ ବେଞ୍ଜେମାଙ୍କ ସହ ଆର୍ଜେଣ୍ଟିନାର ଲିଓନେଲ୍‌ ମେସି ସାଉଦି ଆରବ ମୁହାଁ ହେଉଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ସାଉଦିର ଟେଲିଭିଜନ୍‌ ଚ୍ୟାନେଲ୍‌ ଅଲ୍‌ ଇଖବାରିଆ ସୂଚନା ଅନୁଯାୟୀ, ୩୫ ବର୍ଷିୟ ବେଞ୍ଜେମା ସାଉଦିର ଜିଦାହ ସହରସ୍ଥିତ ଅଲ୍‌ ଇତିହାଦ୍‌ କ୍ଲବ୍‌ ସହିତ ଚୁକ୍ତି କରିସାରିଛନ୍ତି। ସେହିପରି ଅଲ୍‌ ହିଲାଲ୍‌ କ୍ଲବ୍‌ର ବରିଷ୍ଠ ଅଧିକାରୀମାନେ ଫ୍ରାନ୍ସରେ ପହଞ୍ଚିଥିଲା ବେଳେ ମେସିଙ୍କ ସହିତ ଚୁକ୍ତି ସ୍ବାକ୍ଷର କରିବା ଯୋଜନାରେ ରହିଛନ୍ତି। ଆସନ୍ତା ଶନିବାର ପ୍ୟାରିସ୍‌ ସେଣ୍ଟ ଜର୍ମେନ୍‌ (ପିଏସ୍‌ଜି) ପାଇଁ ଶେଷ ମ୍ୟାଚ୍‌ ଖେଳିବେ। ତେଣୁ ମ୍ୟାଚ୍‌ ପୂର୍ବରୁ ମେସିଙ୍କ ବାପା ଓ ତାଙ୍କ ଏଜେଣ୍ଟ ଜର୍ଜଙ୍କ ସହିତ ଅଲ୍‌ ହିଲାଲ୍‌ର ଅଧିକାରୀମାନେ ସାକ୍ଷାତ କରି ଚୁକ୍ତି ସ୍ବାକ୍ଷର ପ୍ରକ୍ରିୟା ଶୀଘ୍ର ଶେଷ କରିବାକୁ ଚାହୁଁଛନ୍ତି। ସାଉଦି ଲିଗ୍‌ ବିଜେତା ଅଲ୍‌ ଇତିହାଦ୍‌ ସଭାପତି ଓ ଉପ ସଭାପତି ବର୍ତ୍ତମାନ ସ୍ପେନ୍‌ରେ ପହଞ୍ଚିଛନ୍ତି। ସେଠାରେ ବେଞ୍ଜେମାଙ୍କ ସହିତ ଏହି କ୍ଲବ୍‌ ଦୁଇ ବର୍ଷିୟା ଚୁକ୍ତି କରିବ। ସୂଚନାଯୋଗ୍ୟ, ବେଞ୍ଜେମା ୨୦୦୯ରେ ଲିୟନ କ୍ଲବ୍‌ ଛାଡ଼ି ରିଅଲ୍‌ ମାଦ୍ରିଦ୍‌ରେ ଯୋଗ‌ଦେଇଥିଲେ।

ବାର୍ସି‌ଲୋନା ଫେରିବାକୁ ଚାହାନ୍ତି ମେସି
ମେସିଙ୍କ ସହ ଚୁକ୍ତି କରିବାକୁ ସାଉଦି କ୍ଲବ୍‌ ଅଲ୍‌ ହିଲାଲ୍‌ ଉଦ୍ୟମ କରୁଥିଲେ ବି ସେ ପୁଣି ଥରେ ବାର୍ସିଲୋନା ଏଫ୍‌ସିକୁ ଫେରିଯିବାକୁ ଚାହୁଁଛନ୍ତି। ଗଣମାଧ୍ୟମ ସହ କଥା ହେବା ବେଳେ ମେସିଙ୍କ ବାପା ଓ ତାଙ୍କ ଏଜେଣ୍ଟ ଜର୍ଜ ଏବିଷୟରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର