ଦୋହା : ବିଶ୍ବକପ ଫୁଟବଲରେ ଆର୍ଜେଣ୍ଟିନା ପରି ଏକ ଶକ୍ତିଶାଳୀ ଦଳକୁ ହରାଇବା ପରେ ସାଉଦି ଆରବରେ ଏବେ ଉତ୍ସବ ଜାରି ରହିଛି । କେବଳ ସାଧାରଣ ଲୋକ ନୁହଁନ୍ତି, ସାଉଦି ଯୁବରାଜ ମହମ୍ମଦ ବିନ ସଲମାନ ମଧ୍ୟ ଅତ୍ୟନ୍ତ ଖୁସି ହୋଇଯାଇଛନ୍ତି । ମଙ୍ଗଳବାରଦିନ ସାଉଦି ଆରବ ଜିତିବା ପରେ ଯୁବରାଜ ଖିୁସି ହୋଇ ବୁଧବାରଦିନକୁ ଜାତୀୟ ଛୁଟି ଘୋଷଣା କରିଦେଇଥିଲେ ।
ତେବେ ସାଉଦି ଯୁବରାଜ ନିଜ ଦେଶର ଫୁଟବଲ ଖେଳାଳିମାନଙ୍କୁ ଗୋଟିଏ ଲେଖାଏଁ ରଲ୍ସ ରଏସ କାର ଉପହାର ଦେଇଥିବା ଚର୍ଚ୍ଚା ହୋଇଥିଲା । ଏପରିକି ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମ ଏହି ଖବର ପ୍ରକାଶ କରିଥିଲେ । କିନ୍ତୁ ପରେ ଏହି ଖବରର ସତ୍ୟତା ନାହିଁ ବୋଲି ଜଣାପଡ଼ିଥିଲା । ସାଉଦି ଫୁଟବଲ ଟିମର ଜଣେ ସଦସ୍ୟ ସାଲେ ଅଲ-ସେହରି ଏପରି ଖବରକୁ ଖଣ୍ଡନ କରିଥିଲେ ।
ଚଳିତ ବିଶ୍ବକପରେ ଏକ ବଡ଼ ବିପର୍ଯ୍ୟୟ କରି ସାଉଦି ଆରବ ଗତ ମଙ୍ଗଳବାରଦିନ ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳି ଲିଏନେଲ ମେସିଙ୍କ ନେତୃତ୍ବାଧିନ ଆର୍ଜେଣ୍ଟିନାରୁ ୨-୧ରେ ପରାସ୍ତ କରିଥିଲା । ଆର୍ଜେଣ୍ଟିନା ପକ୍ଷରୁ ପ୍ରଥମେ ଗୋଲ ଦିଆଯିବା ପରେ ସାଉଦି ଆରବ ଲଗାତାର ୨ଟି ଗୋଲ ଦେଇ ବିଜୟୀ ହୋଇଥିଲା ।