ଆଇପିଏଲ୍ ଫାଇନାଲ୍ ବେଳେ ହୃଦ୍‌ଘାତରେ ଚାଲିଗଲେ ସୌରାଷ୍ଟ୍ର କ୍ରିକେଟର୍‌ ଅଭି

ଅହମ୍ମଦାବାଦ: ଶୁକ୍ରବାରର ଆଇପିଏଲ୍ ଫାଇନାଲ୍ ବେଳେ ଏକ ଦୁଃଖଦ ଘଟଣା ଘଟିଥିଲା। ଏହି ପ୍ରତୀକ୍ଷିତ ମ୍ୟାଚ୍ ଦେଖୁଥିଲା ବେଳେ ହୃଦ୍‌ଘାତରେ ସୌରାଷ୍ଟ୍ର ରଣଜୀ ତାରକା ଅଭି ବାରୋଟଙ୍କ ଅକାଳ ବିୟୋଗ ଘଟିଥିଲା। ମାତ୍ର ୫ ଦିନ ପୂର୍ବରୁ ରିଲାଏନ୍ସ ଜି-୧ କ୍ରିକେଟ୍ ପ୍ରତିଯୋଗିତାରେ କେବଳ ୪୩ ବଲ୍‌ରୁ ୭୨ ରନ୍‌ର ପାଳି ଖେଳିଥିଲେ ସେ। ୨୯ ବର୍ଷୀୟ ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ ବାରୋଟ ଏକଦା ଭାରତୀୟ ୧୯ ବର୍ଷରୁ କମ୍ ଦଳର ନେତୃତ୍ବ ନେଇଥିଲା ବେଳେ ରଣଜୀ ଟ୍ରଫି ବିଜେତା ସୌରାଷ୍ଟ୍ର ଦଳର ସଦସ୍ୟ ମଧ୍ୟ ଥିଲେ।

ଶୁକ୍ରବାର ଅହମ୍ମଦାବାଦସ୍ଥିତ ନିଜ ବାସଭବନରେ ଚେନ୍ନାଇ ସୁପରକିଙ୍ଗ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ଫାଇନାଲ୍ ମ୍ୟାଚ୍ ଦେଖୁଥିଲା ବେଳେ ରାତି ୧୦ଟାରେ ହଠାତ୍ ଏକ ବଡ଼ ଧରଣର ହୃଦ୍‌ଘାତରେ ଟଳି ପଡ଼ିଥିଲେ ସେ। ଏହି ଖବର ସୌରାଷ୍ଟ୍ର କ୍ରିକେଟ୍ ସଂଘ ସହ ସମସ୍ତ କ୍ରିକେଟ୍ ଜଗତକୁ ସ୍ତବ୍ଧ କରି ଦେଇଛି। ସୌରାଷ୍ଟ୍ର କ୍ରିକେଟ୍ ସଂଘ ସଭାପତି ଜୟଦେବ ଶାହ ଗଭୀର ଶୋକପ୍ରକାଶ କରିଛନ୍ତି। ବାରୋଟ ୨୦୧୧ ମସିହାରେ ଗୁଜୁରାଟ ପକ୍ଷରୁ ପ୍ରଥମଶ୍ରେଣୀ କ୍ରିକେଟ୍ ଜୀବନ ଆରମ୍ କରିଥିଲେ। ଏହା ପରେ ହରିୟାଣାରୁ ବି କିଛି ମ୍ୟାଚ୍ ଖେଳିଥିଲେ ସେ। ତେବେ ପରବର୍ତ୍ତୀ ସମୟରେ ନିଜ ରାଜ୍ୟକୁ ଫେରି ‌ସୌରାଷ୍ଟ୍ର ଦଳର ପ୍ରତିନିଧିତ୍ବ କରିଥିଲେ। ସେ ୩୮ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳିଥିଲେ। ମୃତ୍ୟୁ ବେଳକୁ ତାଙ୍କ ପାଖରେ ପତ୍ନୀ ଓ ମା’ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର