ସୌରାଷ୍ଟ୍ର ଜିତିଲା ବିଜୟ ହଜାରେ ଟ୍ରଫି

ଫାଇନାଲ୍‌ରେ ମହାରାଷ୍ଟ୍ରକୁ ୫ ୱିକେଟ୍‌ରେ ହରାଇଲା, ଚିରାଗଙ୍କୁ ହ୍ୟାଟ୍ରିକ ୱିକେଟ୍‌; ଜାକସନ୍‌, ଗାଏକ୍ବାଡ ଶ୍ରେଷ୍ଠ

ଅହମ୍ମଦାବାଦ୍‌ : ଋତୁରାଜ ଗାଏକ୍ବାଡଙ୍କ ଶତକ (୧୦୮)କୁ ଫିକା କରିଦେଲେ ସେଲଡନ୍‌ ଜାକସନ୍‌ (୧୩୩)। ଏଥି ସହିତ ମହାରାଷ୍ଟ୍ରକୁ ୫ ୱିକେଟ୍‌ରେ ହରାଇ ସୌରାଷ୍ଟ୍ର ବିଜୟ ହଜାରେ ଟ୍ରଫି ବିଜେତା ହୋଇଯାଇଛି। ଶୁକ୍ରବାର ଅହମ୍ମଦାବାଦ୍‌ରେ ଅନୁଷ୍ଠିତ ଫାଇନାଲ୍‌ ମ୍ୟାଚ୍‌ରେ ସୌରାଷ୍ଟ୍ର ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା। ପୁଣି ଥରେ ଗାଏକ୍ବାଡଙ୍କ ବ୍ୟାଟ୍‌ ଚମକ ଦେଖାଇଥିଲା ବେଳେ ପ୍ରତିଯୋଗିତାରେ ଚତୁର୍ଥ ଶତକ ମାରିଥିଲେ। ୧୩୧ ବଲ୍‌ରୁ ୭ ଚୌକା ଓ ୪ ଛକା ସହାୟତାରେ ୧୦୮ ରନ୍‌ କରି ସେ ରନ୍‌ଆଉଟ୍‌ ହୋଇଥିଲେ। ତାଙ୍କ ବ୍ୟତୀତ ଅଜିମ୍‌ କାଜି ୩୭, ନୌସାଦ୍‌ ଶେଖ ୩୧* ରନ୍‌ କରିବାରୁ ମହାରାଷ୍ଟ୍ର ୯ ୱିକେଟ୍‌ ବିନିମୟରେ ୨୪୮ ରନ୍‌ କରିଥିଲା। ଚିରାଗ ଜାନି ଏହି ପାଳିରେ ହ୍ୟାଟ୍ରିକ୍‌ ୱିକେଟ୍‌ ନେଇଥିଲେ। ୪୯ତମ ଓଭରର ପ୍ରଥମ ତିନି ବଲ୍‌ରେ ସୌରଭ ନୱାଲେ, ରାଜବର୍ଦ୍ଧନ ହଙ୍ଗାରଗେକର ଓ ଭିକି ଓସ୍ତୱାଲ୍‌ଙ୍କୁ ସେ ଆଉଟ୍‌ କରିଥିଲେ। ତାଙ୍କ ବ୍ୟତୀତ ଜୟଦେବ ଉନାଦକତ, ପ୍ରେରକ ମଙ୍କଡ଼, ପାର୍ଥ ଭୁଟ୍‌ ୧ ୱିକେଟ୍‌ ଲେଖାଏଁ ବାଣ୍ଟିନେଇଥିଲେ। ଜବ‌ାବରେ ସୌରାଷ୍ଟ୍ର ପାଇଁ ହର୍ଭିକ ଦେଶାଇ (୫୦) ଓ ସେଲ୍‌ଡନ୍‌ ଜାକସନ୍‌ (୧୩୩*, ୧୩୬ ବଲ୍‌, ୧୨ ଚୌକା, ୫ଛକା) ପ୍ରଥମ ୱିକେଟ୍‌ରେ ୧୨୫ ରନ୍‌ର ଭାଗୀଦାରି ଗଢ଼ି ଦଳ ସ୍ଥିିତି ମଜବୁତ୍‌ କରିଥିଲେ। ଶେଷ ଆଡ଼କୁ ଚିରାଗ ଜାନି (୩୦)ଙ୍କ ସହ ଜାକସନ୍‌ଙ୍କ ଅବିଭାଜିତ ୫୭ ରନ୍ର ଭାଗୀଦାରି ବଳରେ ସୌରାଷ୍ଟ୍ର ୪୬.୩ ଓଭରରେ ୫ ୱିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟ ୨୪୯ରେ ପହଞ୍ଚି ମ୍ୟାଚ୍‌ ଜିତି ନେଇଥିଲା। ମ୍ୟାଚ୍‌ ବିଜୟୀ ପାଳି ‌ପାଇଁ ଜାକସନ୍‌ଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଓ ଗାଏକ୍ବାଡଙ୍କୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ କରାଯାଇଥିଲା।

ସମ୍ବନ୍ଧିତ ଖବର