ଚାନ୍ଦିମାଳ ନ ରହିବା ଠିକଣା ନିଷ୍ପତ୍ତି ନୁହେଁ

ସୌରଭ ଗାଙ୍ଗୁଲି

ଦିଲ୍ଲୀ ଟେଷ୍ଟ୍‍ରେ ଭାରତ ଜିତିବାକୁ କିଛି ସମୟ ମାତ୍ର ରହିଛି ବୋଲି ଅନୁଭବ କରିଥିଲା। କିନ୍ତୁ ଶ୍ରୀଲଙ୍କା ଧୈର୍ଯ୍ୟର ସହ ପ୍ରତିରୋଧ କରି ମ୍ୟାଚ୍‌କୁ ଅମୀମାଂସିତ ରଖିବାରେ ସକ୍ଷମ ହୋଇଥିଲା। ପ୍ରଥମ ପାଳିରେ ମାଥ୍ୟୁସ ଓ ଚାନ୍ଦିମାଳଙ୍କ ଭଳି ବରିଷ୍ଠ ଶତକ ମାରିବା ପରେ ଦ୍ୱିତୀୟ ପାଳିରେ କନିଷ୍ଠ ଖେଳାଳିମାନେ ଲଢ଼ୁଆ ବ୍ୟାଟିଂ କରି ପରାଜୟ ଏଡ଼ାଇଥିଲେ। ଦକ୍ଷିଣ ଆଫ୍ରିକା ଗସ୍ତକୁ ନଜରରେ ରଖି ଭାରତ ୫ ବୋଲର ତତ୍ୱରୁ ଓହରି ରୋହିତ ଶର୍ମାଙ୍କୁ ମଧ୍ୟକ୍ରମରେ ଖେଳାଇଥିଲା। ସେ ଭଲ ରନ୍‌ କରିଥିଲେ। ଉମେଶ, ଭୁବି, ସାମି, ଈଶାନ୍ତ ଭଲ ବୋଲିଂ କରିଥିଲେ। ରବି ଅଶ୍ୱିନ୍‌ଙ୍କ ଦକ୍ଷତାକୁ ମିଶାଇଲେ ଭାରତ ଯେ ଦକ୍ଷିଣ ଆଫ୍ରିକାରେ ୨୦ ଓ୍ଵିକେଟ୍‌ ନେବାକୁ ସକ୍ଷମ ସେ ଭରସା ଦେଖାଇଥିଲା। ବ୍ୟାଟିଂରେ ବିରାଟ କୋହଲିଙ୍କ ବୈଦ୍ୟୁତିକ ଖ୍ୟାତି କେପ୍‌ ଟାଉନ୍‌, ଜୋହାନେସ୍‌ବର୍ଗ ଓ ସେଞ୍ଚୁରିଅନ୍‌ରେ ଜାରି ରଖିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ହେବ। ମୁରଲୀ ବିଜୟ, ଶିଖର ଧାଓ୍ଵନଙ୍କ ସହିତ ଚେତେଶ୍ୱର ପୂଜାରା ଫର୍ମରେ ରହିବା ଦକ୍ଷିଣ ଆଫ୍ରିକା ପାଇଁ ଆହ୍ଵାନ ହେବ। ଅଜିଙ୍କ୍ୟ ରାହାଣେଙ୍କ ଫର୍ମ ଚିନ୍ତାଜନକ ଥିଲେ ମଧ୍ୟ ମୁଁ ଦୃଢ଼ ନିଶ୍ଚିତ ଏହା କିଛି ସମୟର କଥା। ସେ ଏହି ପର୍ଯ୍ୟାୟରୁ ବାହାରିଯିବେ।

ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଭାରତ ଏବେ ଶ୍ରୀଲଙ୍କା ବିପକ୍ଷରେ ସୀମିତ ଓଭର ଶୃଙ୍ଖଳା ଖେଳିବାକୁ ଯାଉଛି। କୋହଲି ଏବେ ନିଜ ହକ୍‌ର ବିଶ୍ରାମ ପାଇଛନ୍ତି। ନୂଆ ଅଧିନାୟକ ଏବଂ କିଛି ନୂଆ ମୁହଁକୁ ନେଇ ଭାରତ ଖେଳିବ। ଯାହାକି ଏହି ଶୃଙ୍ଖଳାକୁ ଆଦର୍ଶ ମୁକାବିଲାର ରୂପ ଦେଇଛି। ମୁମ୍ବାଇ ଇଣ୍ଡିଆନ୍‌ସକୁ ଆଇପିଏଲ୍‌ ବିଜେତା କରାଇଥିବା ରୋହିତ ଶର୍ମାଙ୍କ ପାଖରେ ନେତୃତ୍ୱ ନେବାର ଅଭିଜ୍ଞତା କମ୍‌ ନାହିଁ। ସୀମିତ ଓଭରରେ ରୋହିତ ସବୁବେଳେ ଜ୍ୱଳନ୍ତ ପ୍ରଦର୍ଶନ କରିଥନ୍ତି। ସେ ନିଶ୍ଚିତ ପ୍ରଦର୍ଶନରେ ଉଦାହରଣ ଛାଡ଼ି ଦଳର ନେତୃତ୍ୱ ନେବେ। ଶ୍ରୀଲଙ୍କା ମଧ୍ୟ ନୂଆ ଅଧିନାୟକଙ୍କ ନେତୃତ୍ୱରେ ଖେଳିବ। ଦୀନେଶ ଚାନ୍ଦିମାଳ ଦଳରେ ନ ରହିବା ଶ୍ରୀଲଙ୍କା ପାଇଁ ଠିକଣା ନିଷ୍ପତ୍ତି ହୋଇନପାରେ। ନୂଆ ପ୍ରଶିକ୍ଷକ ଓ ଅଧିନାୟକ ସମ୍ଭବତଃ କିଛି ନୂଆ କର୍ମନୀତି ଆଣିବାକୁ ଚେଷ୍ଟା କରିଥିବେ। ଶ୍ରୀଲଙ୍କା ଦଳରେ ମଧ୍ୟ କିଛି ମଜାଳିଆ ଖେଳାଳି ରହିଛନ୍ତି। ଯେତେ ଶୀଘ୍ର ଏମାନେ ସଫଳ ହେବେ, ଶ୍ରୀଲଙ୍କା ପାଇଁ ସେତେ ଭଲ ହେବ। (ଗେମ୍‌ପ୍ଳାନ୍‌)।

ସମ୍ବନ୍ଧିତ ଖବର