ସୟଦ ମୁସ୍ତାକ୍‌ ଅଲୀ ଟେ୍ଵଣ୍ଟି-୨୦:ଅନୁରାଗ ଅଧିନାୟକ, ଓଡ଼ିଶାର ଅଭିଷେକ

ଭୁବନେଶ୍ୱର: ସୟଦ ମୁସ୍ତାକ ଅଲୀ ପୂର୍ବାଞ୍ଚଳ ଟେ୍ଵଣ୍ଟି-୨୦ ପ୍ରତିଯୋଗିତା ଲାଗି ଓଡ଼ିଶା ଦଳ ମଙ୍ଗଳବାର ଘୋଷିତ ହୋଇଛି। ବହୁ ବରିଷ୍ଠ ଓ ଅଭିଜ୍ଞ ଖେଳାଳିଙ୍କ ଅନୁପସ୍ଥିତିରେ ବାମହାତୀ ବ୍ୟାଟସମ୍ୟାନ୍‌ ଅନୁରାଗ ଷଡ଼ଙ୍ଗୀଙ୍କୁ ନେତୃତ୍ୱ ପ୍ରଦାନ କରାଯାଇଥିବାବେଳେ ଯୁବ ବ୍ୟାଟ୍‌ସମ୍ୟାନ୍‌ ଶୁଭ୍ରାଂଶୁ ସେନାପତିଙ୍କୁ ଉପ ଅଧିନାୟକ ଦାୟିତ୍ୱ ମିଳିଛି। ଜାନୁଆରି ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଞ୍ଚିରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଓଡ଼ିଶା ଏଜିରେ ନିଯୁକ୍ତ ରାଜ୍ୟ ରଣଜୀ ଦଳର ପ୍ରମୁଖ ଖେଳାଳିମାନେ ନିଜ ବୃତ୍ତିଗତ ସଂସ୍ଥା ପାଇଁ ଖେଳିବାକୁ ଯାଇଥିବାରୁ ପ୍ରଥମ ଦୁଇ ମ୍ୟାଚ୍‌ ପାଇଁ ଦଳରେ ସ୍ଥାନ ପାଇ ନାହାନ୍ତି। ବିପ୍ଲବ ସାମନ୍ତରାୟ, ଗୋବିନ୍ଦ ପୋଦ୍ଦାର, ବସନ୍ତ ମହାନ୍ତି ଏବଂ ଅରବିନ୍ଦ ସିଂହ ଉପଲବ୍‌ଧ ନ ଥିବାରୁ ଏକାଧିକ ଯୁବ ଖେଳାଳିଙ୍କୁ ନେଇ ଦଳ ଗଠିତ ହୋଇଛି। ବିପ୍ଳବ ଏବଂ ଗୋବିନ୍ଦଙ୍କ ଅନୁପସ୍ଥିତି ନିଶ୍ଚିତ ଅନୁଭବ ହେବ। ସେମାନଙ୍କ ଅଲରାଉଣ୍ଡ୍‌ ଦକ୍ଷତା ଦଳକୁ ସନ୍ତୁଳିତ କରିଥାଏ।

ତଥାପି ଉପଲବ୍‌ଧ ଥିବା ଶ୍ରେଷ୍ଠ ଯୁବ ଖେଳାଳିଙ୍କୁ ନେଇ ଦଳ ଗଠିତ ହୋଇଛି ବୋଲି କହିଛନ୍ତି ଚୟନ ସମିତି ଅଧ୍ୟକ୍ଷ ବିଷ୍ଣୁଦେବ ମହାନ୍ତି। ସବୁଠାରୁ ବଡ଼ କଥା ହୋଇଛି ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ଓଡ଼ିଆ ପୁଅ ଅଭିଷେକ ରାଉତ ଓଡ଼ିଶା ପାଇଁ ପ୍ରଥମ ଥର ଖେଳିବାର ସୁଯୋଗ ପାଇଛନ୍ତି। ମୁମ୍ବାଇରେ ବଢ଼ିଥିବା ଏହି କେନ୍ଦୁଝର ମୂଳ ଅଧିବାସୀ ଖେଳାଳି ଘରୋଇ କ୍ରିକେଟ୍‌ରେ ମହାରାଷ୍ଟ୍ର, ମୁମ୍ବାଇ, ଗୋଆ ପାଇଁ ଖେଳିବା ପରେ ଏବେ ଓଡ଼ିଶା ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି।

ଗତ ଋତୁରେ ଅନ୍ତଃଜିଲ୍ଲା ପ୍ରତିଯୋଗିତା ହୋଇ ନଥିବାରୁ ସିଧାସଳଖ ଟ୍ରାଏଲ୍‌ସରେ ଯୋଗ ଦେଇ ବିରୋଧର ସମ୍ମୁଖୀନ ହୋଇଥିବା ଅଭିଷେକ କିନ୍ତୁ ଭଲ ପ୍ରଦର୍ଶନ କରି ଦଳକୁ ଆସିବାରେ ସକ୍ଷମ ହୋଇଛନ୍ତି। ଉପଯୋଗୀ ବାମହାତୀ ଅଲରାଉଣ୍ଡର୍‌ ପରେଶ ପଟେଲ୍‌, ଲେଗ୍‌ ସ୍ପିନର୍‌ ଲଗ୍ନଜିତ୍‌ ସାମଲ, ବାମହାତୀ ସ୍ପିନର୍‌ ଜୟନ୍ତ ବେହେରା ମଧ୍ୟ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି। ଚଳିତ ଋତୁରେ ଚମତ୍କାର ବ୍ୟାଟିଂ କରିଥିବା ଓ୍ଵିକେଟରକ୍ଷକ ବ୍ୟାଟସମ୍ୟାନ୍‌ ରାଜେଶ ଧୂପରଙ୍କ ସହିତ ଆଶୁତୋଷ ଦାସ ଏବଂ ଦେବାଶିଷ ସାମନ୍ତରାୟ ନୂଆ ମୁହଁ ଭାବେ ଦଳରେ ସ୍ଥାନ ପାଇଛନ୍ତି।
ଓଡ଼ିଶା ପ୍ରଥମ ଦୁଇ ମ୍ୟାଚ୍‌ରେ ବେଙ୍ଗଲ (ଜାନୁଆରି ୮) ଏବଂ ଆସାମ (ଜାନୁଆରି ୧୦) ବିପକ୍ଷରେ ଖେଳିବ। ଶେଷ ଦୁଇ ମ୍ୟାଚ୍‌ ତ୍ରିପୁରା (ଜାନୁଆରି ୧୨) ଏବଂ ଆୟୋଜକ ଝାଡ଼ଖଣ୍ଡ (ଜାନୁଆରି ୧୬) ସହିତ ଖେଳିବ। ଶେଷ ଦୁଇ ମ୍ୟାଚ୍‌ ପାଇଁ ବରିଷ୍ଠ ଖେଳାଳିଙ୍କ ପ୍ରତ୍ୟାବର୍ତନ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ବିଷ୍ଣୁଦେବ ମହାନ୍ତି। ତେବେ ଦଳ ଚୟନକୁ ନେଇ ପୁଣି ଅଭିଯୋଗ ଉଠିଛି। କିଛି ଖେଳାଳି ଚୟନ ଶିବିରରେ ଅଂଶଗ୍ରହଣ ନ କରି ମଧ୍ୟ ଦଳରେ ସ୍ଥାନ ପାଇଥିବାବେଳେ ସଦ୍ୟ ସମାପ୍ତ ରଣଜୀ ଦଳରେ ସ୍ଥାନ ପାଇଥିବା କିଛି ପ୍ରଥମ ପସନ୍ଦର ଖେଳାଳିଙ୍କୁ ବିଚାରକୁ ନିଆଯାଇନଥିବା ଅଭିଯୋଗ ହେଉଛି। ଓଡ଼ିଶା ଦଳ ଜାନୁଆରି ୬ ତାରିଖରେ ରାଞ୍ଚି ଯାତ୍ରା କରିବ ବୋଲି ଓଡ଼ିଶା କ୍ରିକେଟ୍‌ ସଂଘ ପକ୍ଷରୁ ସୂଚନା ଦିଆଯାଇଛି।
ଓଡ଼ିଶା ଦଳ: ସନ୍ଦୀପ ପଟ୍ଟନାୟକ, ଅନୁରାଗ ଷଡ଼ଙ୍ଗୀ (ଅଧିନାୟକ), ରାଜେଶ ଧୂପର, ପରେଶ ପଟେଲ୍‌, ଶୁଭ୍ରାଂଶୁ ସେନାପତି (ଉପ ଅଧିନାୟକ), ଦେବେନ୍ଦ୍ର କହଁର, ପ୍ରୟାସ ସିଂହ ଠାକୁର, ଅଭିଷେକ ରାଉତ, ସୂର୍ଯ୍ୟକାନ୍ତ ପ୍ରଧାନ, ଆଲୋକ ସାହୁ, ଦେବବ୍ରତ ପ୍ରଧାନ, ଜୟନ୍ତ ବେହେରା, ଆଶୁତୋଷ ଦାସ, ଦେବାଶିଷ ସାମନ୍ତରାୟ, ଲଗ୍ନଜିତ୍‌ ସାମଲ। ପ୍ରବଂଧକ: ମେହତାବ ଖାନ୍‌, ପ୍ରଶିକ୍ଷକ: ଶିବ ସୁନ୍ଦର ଦାସ, ଡାକ୍ତର: ଶୁଭକାନ୍ତ ସାହୁ, ଟ୍ରେନର୍‌: ମନୋଜ ବିଶ୍ୱାଳ।

ସମ୍ବନ୍ଧିତ ଖବର