ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: ପପୁଙ୍କ ଶ୍ରେଷ୍ଠ ପ୍ରଦର୍ଶନ, ଓଡ଼ିଶାର ତୃତୀୟ ବିଜୟ

କଟକ: ଗୋଟିଏ ପରେ ଗୋଟିଏ ଶ୍ରେଷ୍ଠ ପ୍ରଦର୍ଶନ ଦେଇଚାଲିଥିବା ବାମହାତୀ ସ୍ପିନର ପପୁ ରାଏଙ୍କ ଯୋଗୁଁ ଓଡ଼ିଶା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ତୃତୀୟ ବିଜୟ ପାଇଛି। ବୁଧବାର ଡ୍ରିମ୍ସ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୭ ଵିକେଟରେ ଆସାମକୁ ହରାଇଦେଇଛି। ଟସ୍‌ ଜିତି ଓଡ଼ିଶା ବୋଲି˚ କରିଥିଲା। ବ୍ୟାଟ୍ସମ୍ୟାନମାନଙ୍କ ଛୋଟଛୋଟ ଭାଗୀଦାରି ବଳରେ ଆସାମ ୯ ଵିକେଟ୍‌ ବିନିମୟରେ ୧୪୨ ରନ୍‌ କରିଥିଲା। ଶିବଶଙ୍କର ରଏ ୪୭, ଜିତୁମଣି କାଲିଟା ୩୧ ରନ୍‌ କରିଥିଲା ବେଳେ ଓଡ଼ିଶା ପାଇଁ ପପୁ ରାଏ ପୁଣି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ୨୧ ରନ୍‌ ବିନିମୟରେ ୪ ଵିକେଟ ଦଖଲ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୂର୍ଯ୍ୟକାନ୍ତ ପ୍ରଧାନ, ଦେବବ୍ରତ ପ୍ରଧାନ, ବିପ୍ଲବ ସାମନ୍ତରାୟ, ପ୍ରୟାସ ସି˚ହ ଗୋଟିଏ ଲେଖାଏଁ ଵିକେଟ୍‌ ନେଇଥିଲେ। ୧୪୩ ରନ୍‌ର ଲକ୍ଷ୍ୟକୁ ପିଛା କରିଥିବା ଓଡ଼ିଶା ୧୬.୫ ଓଭରରେ ୩ ଵିକେଟ୍‌ ହରାଇ ମ୍ୟାଚ୍‌ ଜିତିଯାଇଥିଲା। ସନ୍ଦୀପ ପଟ୍ଟନାୟକ ୨୧, ରାଜେଶ ଧୂପର ୨୭, ବିପ୍ଲବ ସାମନ୍ତରାୟ ୪୯ ରନ୍‌ କରି ଆଉଟ ହୋଇଥିଲା ବେଳେ ଅନୁରାଗ ଷଡ଼ଙ୍ଗୀ ଅପରାଜିତ ୪୩ ରନ୍‌ କରି ଦଳକୁ ଜିତାଇଥିଲେ। ଅରବିନ୍ଦ ସି˚ହ କୌଣସି ରନ୍‌ ନକରି ଅପରାଜିତ ରହିଥିଲେ। ୫ ମ୍ୟାଚ୍‌ରୁ ତୃତୀୟ ବିଜୟ ସତ୍ତ୍ବେ ୮ ଦଳୀୟ ଗ୍ରୁପ୍‌-ଡି’ରେ ଓଡ଼ିଶା ପଞ୍ଚମ ସ୍ଥାନରେ ରହିଛି। ପରାଜୟ ସତ୍ତ୍ବେ ଆସାମ ସମାନ ପଏଣ୍ଟ୍‌ ପାଇ ଓଡ଼ିଶା ଉପରକୁ ଚତୁର୍ଥରେ ରହିଛି। ସେହିପରି ଓଡ଼ିଶା ଓ ଆସାମ ଭଳି ସମାନ ୧୨ ପଏଣ୍ଟ୍‌ ସତ୍ତ୍ବେ ବେଙ୍ଗଲ ଓ ଛତିଶଗଡ଼ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାରେ ରହିଥିଲା ବେଳେ ଅପରାଜେୟ ସହ ସର୍ବାଧିକ ୨୦ ପଏଣ୍ଟ୍‌ ସହ କର୍ଣ୍ଣାଟକ ଗ୍ରୁପ୍‌ ଶୀର୍ଷରେ ଦୃଢ଼ ରହିଛି।

ରିଦ୍ଧିମାନଙ୍କ ଶତକ; ବେଙ୍ଗଲ, ହରିଆଣା, କର୍ଣ୍ଣାଟକ ବିଜୟୀ
ଭାରତୀୟ ଟେଷ୍ଟ୍‌ ଦଳର ପୂର୍ବତନ ଵିକେଟ୍‌ ରକ୍ଷକ ରିଦ୍ଧିମାନ ଶାହା ବୁଧବାର ସୟଦ ମୁସ୍ତାକ ଅଲ୍ଲୀ ଟ୍ବେଣ୍ଟି-୨୦ରେ ଶତକ ଅର୍ଜନ କରିଛନ୍ତି। ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ରିଦ୍ଧିମାନଙ୍କ ଆକର୍ଷଣୀୟ ପାଳି ଯୋଗୁଁ ବେଙ୍ଗଲ ୧୦୭ ରନ୍‌ରେ ଅରୁଣାଚଳ ପ୍ରଦେଶକୁ ହରାଇଛି। ରିଦ୍ଧିମାନ (୧୨୯ ରନ୍‌, ୬୨ ବଲ୍‌, ୧୬ ଚୌକା ଓ ୪ ଛକା)ଙ୍କ ଦମ୍‌ଦାର ଶତକ ବଳରେ ବେଙ୍ଗଲ ୬ ଵିକେଟ୍‌ ବିନିମୟରେ ୨୩୪ ରନ୍‌ କରିଥିଲା। ତାଙ୍କ ବ୍ୟତୀତ ଅଭିମନ୍ୟୁ ଇଶ୍ବରନ୍‌ ୩୧, ବିବେକ ସି˚ହ ୪୯ ରନ୍‌ର ଯୋଗଦାନ କରିଥିଲେ। ଜବାବରେ ଅରୁଣାଚଳ ୧୨୭ ରନ୍‌ରେ ସୀମିତ ରହିଥିଲା। କ୍ଷୀତିଜ ଶର୍ମା ୫୪ ଓ ଡୋରିଆ ୪୩ ରନ୍‌ କରିଥିଲେ। ବାରବାଟୀରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ କର୍ଣ୍ଣାଟକ ୪ ଵିକେଟରେ ଛତିଶଗଡ଼କୁ ହରାଇଛି। ଛତିଶଗଡ଼ ହରିପ୍ରୀତ୍‌ ସି˚ହ ଭାଟିଆଙ୍କ ୭୯ ରନ୍‌ ସହାୟତାରେ ୧୭୧ ରନ୍‌ କରିଥିଲା। କର୍ଣ୍ଣାଟକ ୧୭୨ ରନ୍‌ର ଲକ୍ଷ୍ୟକୁ ୪ ବଲ୍‌ ପୂର୍ବରୁ ହାସଲ କରିଥିଲା। ଡ୍ରିମ୍ସରେ ଅନୁଷ୍ଠିତ ମ୍ୟାଚ୍‌ରେ ହରିୟାଣା ୩୯ ରନ୍‌ରେ ମିଜୋରାମ୍‌କୁ ପରାସ୍ତ କରିଛି। ଗୁନତସଭିର ସି˚ହଙ୍କ ଅପରାଜିତ ଶତକ (୧୦୦*) ବଳରେ ହରିୟାଣା ୨ ଵିକେଟ ବିନିମୟରେ ୨୦୫ ରନ୍‌ କରିଥିଲା। ତେବେ ମିଜୋରାମ ନିର୍ଧାରିତ ଓଭର ବେଳକୁ ୫ ଵିକେଟ ହରାଇ ୧୬୬ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତରୁଵର କୋହଲି ୬୩, ଅଖିଲ ରାଜପୁତ ୫୯ ରନ୍‌ର ଅର୍ଧଶତକୀୟ ପାଳି ଖେଳିଥିଲେ ବି ଦଳକୁ ଜିତାଇପାରିନଥିଲେ।

ସମ୍ବନ୍ଧିତ ଖବର