ସଇନିଙ୍କ ସ୍ବପ୍ନର ଯାତ୍ରା, ୨୦୦ ଟଙ୍କାରୁ ନୀଳ ଜର୍ସି

ନୂଆଦିଲ୍ଲୀ: ୨୦୧୯ ଆଇପିଏଲ୍‌ର ପ୍ରଥମ ମ୍ୟାଚ୍। ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରକୁ ଭେଟୁଥିଲା ଚେନ୍ନାଇ ସୁପରକିଙ୍ଗ୍ସ। ବେଙ୍ଗାଲୁରୁ ବିପର୍ଯ୍ୟୟ ପରେ ଚେନ୍ନାଇ ମାତ୍ର ୭୧ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରୁଥିଲା। ସେନ୍ ୱାଟସନଙ୍କ ଭଳି ଦୁର୍ଦ୍ଧର୍ଷ ବ୍ୟାଟ୍ସମ୍ୟାନ୍ ଚେନ୍ନାଇ ପାଇଁ ପାଳି ଆରମ୍ଭ କରିଥିଲେ। ହେଲେ ପ୍ରଥମ ବଲ୍‌ରେ ହିଁ ୱାଟସନ୍ ୧୫୧ କିଲୋମିଟର ବେଗରେ ଆସିଥିବା ବାଉନ୍ସରରେ ଘାଇଲା ହୋଇ ତଳେ ପଡ଼ି ଯାଇଥିଲେ। ଜଣେ ଯୁବ ଭାରତୀୟ ବୋଲର ହିଁ ନିଜ ଶାଣିତ ବାଉନ୍ସରରେ ତାଙ୍କୁ ଚକିତ କରି ଦେଇଥିଲେ। ହରିଆଣାର କର୍ନାଲରୁ ଆସିଥିବା ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ସେହି ଯୁବ ବୋଲର ଥିଲେ ନଭଦୀପ ସଇନି। ଗତ ୬ ବର୍ଷ ଧରି ସଇନି ଘରୋଇ କ୍ରିକେଟ୍‌ରେ ସ୍ଥିର ପ୍ରଦର୍ଶନ ଦେଇ ଆସୁଛନ୍ତି। ୨୦୧୯ ଆଇପିଏଲ୍‌ରେ ସେ ନିଜ ଗତି ଏବଂ ନିୟମିତ ଭାବେ ୧୫୦ କିଲୋମିଟର ବେଗରେ ବଲ୍ ପକାଇବା ଦକ୍ଷତା ନେଇ ଭାରତୀୟ ଚୟନକର୍ତାଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଭାରତ ‘ଏ’ ଦଳରେ ସାମିଲ ହୋଇ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇଥିବା ସଇନି ସେଠାରେ ମଧ୍ୟ ବହୁତ ଭଲ ପ୍ରଦର୍ଶନ କରିଥିଲେ। ୱେଷ୍ଟଇଣ୍ଡିଜ୍ ‘ଏ’ ବିପକ୍ଷ ଦ୍ବିତୀୟ ଅଣଆନୁଷ୍ଠାନିକ ଏକଦିବସୀୟ ମ୍ୟାଚ୍‌ରେ ସେ ୪୬ ରନ୍ ଦେଇ ୫ ୱିକେଟ୍ କରାୟତ କରିଥିଲେ। ୨୬ ବର୍ଷୀୟ ସଇନି ଏହି ପ୍ରଦର୍ଶନର ପୁରସ୍କାର ପାଇଛନ୍ତି। ୱେଷ୍ଟଇଣ୍ଡିଜ୍ ଗସ୍ତ ଲାଗି ଭାରତୀୟ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳରେ ତାଙ୍କୁ ସ୍ଥାନ ମିଳିଛି।

ଭାରତୀୟ ଦଳକୁ ସଇନିଙ୍କ ସ୍ବପ୍ନର ଯାତ୍ରା କିନ୍ତୁ ପରୀ କାହାଣୀଠାରୁ କୌଣସି ଗୁଣରେ କମ୍ ନୁହେଁ। ୨୦୧୩ ମସିହା ପର୍ଯ୍ୟନ୍ତ ସେ ଚମଡ଼ା ବଲ୍ କ୍ରିକେଟ୍ ଖେଳି ନ ଥିଲେ। ଏପରିକି କୌଣସି ବୟସ ବର୍ଗ ଘରୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ ବି କରି ନଥିଲେ। କର୍ନାଲରେ ଆୟୋଜିତ ହେଉଥିବା କେତେକ ଟେନିସ୍ ବଲ୍ କ୍ରିକେଟ୍‌ ପ୍ରତିଯୋଗିତାରେ ଖେଳି ମ୍ୟାଚ୍ ପିଛା ସେ ମାତ୍ର ୨୦୦ ଟଙ୍କା ରୋଜଗାର କରୁଥିଲେ। କର୍ନାଲ ପ୍ରିମିୟର ଲିଗ୍‌ରେ ଖେଳୁଥିଲା ବେଳେ ଦିଲ୍ଲୀ ଦ୍ରୁତ ବୋଲର ସୁମିତ ନରୱାଲଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ସଇନିଙ୍କ ଗତି ହିଁ ନରୱାଲଙ୍କୁ ପ୍ରଭାବିତ କରିଥିଲା। ଏହା ପରେ ସେ ସିଧା ଦିଲ୍ଲୀ ରଣଜୀ ଦଳର ନେଟ୍ସରେ ବୋଲିଂ କରିବାର ସୁଯୋଗ ପାଇଥିଲେ। ଏହିଠାରେ ହିଁ ତାଙ୍କ ଖେଳ ଜୀବନ ନୂଆ ମୋଡ଼ ନେଇଥିଲା। ପୂର୍ବତନ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଯୁବ ସଇନିଙ୍କ ବୋଲିଂ ଦକ୍ଷତାରେ ଏତେ ଖୁସି ହୋଇଯାଇଥିଲେ ଯେ ତାଙ୍କ ପାଇଁ ହଳେ ପେସାଦାର ଜୋତା କିଣି ଦେଇଥିଲେ। ଏପରିକି ଚୟନକର୍ତାଙ୍କ ସହ ଝଗଡ଼ା କରି ସାଇନିଙ୍କୁ ସେ ଦିଲ୍ଲୀ ରଣଜୀ ଦଳରେ ସ୍ଥାନ ଦେଇଥିଲେ। ଗମ୍ଭୀରଙ୍କ ଦୃଢ଼ ସମର୍ଥନ ବଳରେ ସାଇନି ୨୦୧୩-୧୪ରେ ଦିଲ୍ଲୀ ରଣଜୀ ଦଳରେ ପଦାର୍ପଣ କରିଥିଲେ। ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ୨୦୧୭-୧୮ ଋତୁରେ ତାଙ୍କ ବଳିଷ୍ଠ ପ୍ରଦର୍ଶନ ବଳରେ ହିଁ ଦିଲ୍ଲୀ ରଣଜୀ ଟ୍ରଫିର ଫାଇନାଲ୍ ‌ଖେଳିଥିଲା। ସେହିବର୍ଷ ସେ ଘରୋଇ କ୍ରିକେଟ୍‌ର ସର୍ବାଧିକ ୱିକେଟ୍ (୩୪) ସଂଗ୍ରହକାରୀ ହୋଇଥିଲେ। ବେଙ୍ଗଲ ବିପକ୍ଷ ସେମିଫାଇନାଲରେ ୭ ୱିକେଟ୍ ନେଇ ସେ ଦିଲ୍ଲୀକୁ ପାଳି ବିଜୟୀ କରାଇଥିଲେ। ନିଜ ସଫଳତାର ଶ୍ରେୟ ସଇନି ଗମ୍ଭୀରଙ୍କୁ ହିଁ ଦିଅନ୍ତି। ଗମ୍ଭୀରଙ୍କ ବିଷୟରେ କଥା ହେଲା ବେଳେ ମୁଁ ସବୁବେଳେ ଭାବବିହ୍ବଳ ହୋଇଯାଏ। ସତ କହିବାକୁ ଗଲେ ଦିଲ୍ଲୀ ପକ୍ଷରୁ ପ୍ରଥମ କିଛି ମ୍ୟାଚ୍ ଖେଳିବା ପରେ ପରିଶ୍ରମ କରିବା ଜାରି ରଖିଲେ ମୁଁ ଦିନେ ଭାରତୀୟ ଦଳରେ ସ୍ଥାନ ପାଇବି ବୋଲି ଗମ୍ଭୀର ମୋତେ କହିଥିଲେ। ମୁଁ ମୋ ଦକ୍ଷତା ଜାଣିବା ପୂର୍ବରୁ ସେ ମୋତେ ପୂରା ତଉଲି ନେଇଥିଲେ। ପଛକୁ ଫେରି ଚାହିଁଲା ବେଳେ ମୋତେ ଏଥିନେଇ ବହୁତ ଖୁସି ଲାଗେ ବୋଲି ଭାରତୀୟ ଦଳକୁ ଡାକରା ପାଇବା ପରେ ସଇନି ନିଜ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର