କଟକ: କଳାହାଣ୍ଡି କପ୍‌ର ଦ୍ୱିତୀୟ ଦିନ ସୋନପୁର, ଭଦ୍ରକ, ଗଜପତି, ପାରାଦୀପ, ସମ୍ବଲପୁର, ଢେଙ୍କାନାଳ, କେନ୍ଦ୍ରାପଡ଼ା ଓ ବରଗଡ଼ ବିଜୟୀ ହୋଇଛନ୍ତି। ଏହିସବୁ ମ୍ୟାଚଗୁଡ଼ିକରେ କୋରାପୁଟର ଶୁଭମ୍‌ ରଥ, ଭଦ୍ରକର କ୍ଷମାସାଗର ବଳ, ପାରାଦୀପର କିଶାନ ରଥ, ଢେଙ୍କାନାଳର ବିକାଶ ରାଉତ, କେନ୍ଦ୍ରାପଡ଼ାର ସଂଜୀବ ସାହୁ, ବରଗଡ଼ର ବାଦଲ ପରଦେଶୀ ନିସାଦ ୫ ଲେଖାଏଁ ଓ୍ଵିକେଟ୍‌ ସଫଳତା ପାଇଥିଲା ବେଳେ ୯ ଜଣ ଅର୍ଧଶତକ ଅର୍ଜନ କରିଛନ୍ତି।
ସନ୍‌ସାଇନ୍‌ ପଡ଼ିଆରେ ସୋନପୁର ୧୧୦ ରନ୍‌ରେ କୋରାପୁଟକୁ ହରାଇଛି। ସୋନପୁର ୪୮.୧ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୩୧୯ ରନ୍‌ କରିଥିଲା। ଚନ୍ଦ୍ରମଣି ବିଶ୍ୱାଳ ୭୮, ଆଶିଷ ମଲ୍ଲିକ ୭୫, ପୁରୁଷୋତ୍ତମ ପାତ୍ର ୫୮ ରନ୍‌ କରିଥିଲା ବେଳେ କୋରାପୁଟର ଶୁଭମ୍‌ ରଥ ୫ ଓ୍ଵିକେଟ୍‌ ନେଇଥିଲେ। ଜବାବରେ କୋରାପୁଟ ୪୪.୨ ଓଭରରେ ୨୦୯ ରନ୍‌ କରି ସମସ୍ତ ଓ୍ଵିକେଟ୍‌ ହରାଇଥିଲା। ଅମିତ ରାଉତ ସର୍ବାଧିକ ୩୨ ରନ୍‌ କରିଥିଲେ। ଭବାତୋଷ ପରମାଣିକ ୩ ଓ୍ଵିକେଟ୍‌ ପାଇଥିଲେ।
ଏସ୍‌ସିବି ମେଡିକାଲ୍‌ ପଡ଼ିଆରେ ଭଦ୍ରକ ୧୧୭ ରନ୍‌ରେ ନୟାଗଡ଼କୁ ପରାସ୍ତ କରିଛି। ଭଦ୍ରକ ୨୨୫ ରନ୍‌ କରିଥିଲା ବେଳେ ଅବିନାଶ ସିଂହ ୩୫ ଓ ସାହିଲ ଖାନ୍‌ ୩୦ ରନ୍‌ ଯୋଡ଼ିଥିଲେ। ନୟାଗଡ଼ର ବାପୁନି ନାୟକ ୪ ଓ୍ଵିକେଟ୍‌ ପାଇଥିଲେ। ଜବାବରେ ନୟାଗଡ଼ ୧୦୮ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇଥିଲା। କ୍ଷମାସାଗର ବଳ ୬ ଓ୍ଵିକେଟ ହାସଲ କରିଥିଲେ।
ଡ୍ରିମ୍ସରେ ଗଜପତି ୪ ଓ୍ଵିକେଟ୍‌ରେ ନୂଆପଡ଼ାକୁ ହରାଇଛି। ରୋହିତ ପାଟିଲ୍‌ଙ୍କ ୯୧ ଓ ଅଭିଷେକ ଯାଦବଙ୍କ ୪୮ ରନ୍‌ ସହାୟତାରେ ନୂଆପଡ଼ା ୨୩୧ ରନ୍‌ ରିଥିଲା। ଗଜପତିର ଆଶିଷ ରାଏ ୩ ଓ୍ଵିକେଟ ଅକ୍ତିଆର କରିଥିଲେ। ଜବାବରେ ଗଜପତି ୬ ଓ୍ଵିକେଟ ବିନିମୟରେ ମ୍ୟାଚ୍‌ ଜିତିଯାଇଥିଲା। ଜ୍ୟୋତି ରଂଜନ ଦଳାଇ ୯୪ ଓ ସୌରଭ କାନୋଜିଆ ୬୧ ରନ୍‌ କରିଥିଲେ।
ନିମପୁର ପଡ଼ିଆରେ ପାରାଦୀପ ୮୭ ରନ୍‌ରେ ଫୁଲବାଣୀକୁ ହରାଇଛି। ପାରାଦୀପ ୨୩୦ ରନ୍‌ କରିଥିଲା। କିଶାନ ରଥ ୭୯ ରନ୍‌ କରିଥିଲା ବେଳେ ଫୁଲବାଣୀର ଦେବାଶିଷ ମଲ୍ଲିକ ଓ ରଶ୍ମିରଂଜନ ସାହୁ ୩ ଲେଖାଏଁ ଓ୍ଵିକେଟ୍‌ ହାସଲ କରିଥିଲେ। ଜବାବରେ ଫୁଲବାଣୀ ୧୫୭ ରନ୍‌ରେ ସୀମିତ ରହିଥିଲା। ବିଜୟୀ ଦଳର କିଶାନ ରଥ ୫ ଓ୍ଵିକେଟ ପାଇଥିଲେ।
ବିଡ଼ାନାସୀରେ ସମ୍ବଲପୁର ୧୨୭ ରନ୍‌ରେ ଦେଓଗଡ଼କୁ ପରାସ୍ତ କରିଛି। ସମ୍ବଲପୁର ୪୧.୧ ଓଭରରେ ୨୧୩ ରନ୍‌ କରିଥିଲା। ସୟଦ ଜାକି ୪୫, ଅବିନାଶ ନନ୍ଦ ୪୦ ରନ୍‌ର ଯୋଗଦାନ ଦେଇଥିଲେ। ଦେଓଗଡ଼ର ଆଶିଷ ପଟ୍ଟନାୟକ ଓ ରାଜେଶ୍ୱର ମହାନ୍ତି ତିନିଟି ଲେଖାଏଁ ଓ୍ଵିକେଟ ପାଇଥିଲେ। ତେବେ ସୟଦ ଜାକି ଓ ଦେବବ୍ରତ ପ୍ରଧାନଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଦେଓଗଡ଼ ୮୬ ରନ୍‌ରେ ସୀମିତ ରହିଥିଲା। ଉଭୟ ୪ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ।
ବୋସ୍‌ ପଡ଼ିଆରେ ଢେଙ୍କାନାଳ ୨ ଓ୍ଵିକେଟ୍‌ରେ ମାଲକାନଗିରିକୁ ହରାଇଛି। ମାଲକାନଗିରି ୧୧୩ ରନ୍‌ କରିଥିଲା ବେଳେ ଢେଙ୍କାନାଳର ବିକାଶ ରାଉତ ୫ ଓ ମୁସ୍ତାକ ବେଗ୍‌ ୪ ଓ୍ଵିକେଟ୍‌ କବ୍‌ଜା କରିଥିଲେ। ଜବାବରେ ଢେଙ୍କାନାଳ ୮ ଓ୍ଵିକେଟ ହରାଇ ୨୪ତମ ଓଭରରେ ବିଜୟୀ ହୋଇଥିଲା। ସୁଜିତ ବେଉରା ୪୪ ରନ୍‌ କରିଥିଲେ।
ରେଭେନ୍ସା ବିଶ୍ୱବିଦ୍ୟାଳୟ ୨ ନମ୍ବର ପଡ଼ିଆରେ କେନ୍ଦ୍ରାପଡ଼ା ୭ ଓ୍ଵିକେଟରେ ଗଞ୍ଜାମକୁ ପରାସ୍ତ କରିଛନ୍ତି। ଗଞ୍ଜାମ ୮୦ ରନ୍‌ରେ ସମସ୍ତ ଓ୍ଵିକେଟ ହରାଇଥିଲା ବେଳେ ସୋମନାଥ ପ୍ରଧାନ ୩୧ ରନ୍‌ କରିଥିଲେ। କେନ୍ଦ୍ରାପଡ଼ାର ସଂଜୀବ ସାହୁ ୬ ଓ୍ଵିକେଟ ଅକ୍ତିଆର କରିଥିଲେ। ୮୧ ରନ୍‌ର ସହଜ ଲକ୍ଷ୍ୟକୁ କେନ୍ଦ୍ରାପଡ଼ା ୩ ଓ୍ଵିକେଟ ବିନିମୟରେ ହାସଲ କରିନେଇଥିଲା।
ରେଭେନ୍ସା ବିଶ୍ୱବିଦ୍ୟାଳୟ ୧ ନମ୍ବର ପଡ଼ିଆରେ ବରଗଡ଼ ୭ ଓ୍ଵିକେଟ୍‌ରେ ବୌଦ୍ଧକୁ ପରାସ୍ତ କରିଛି। ମନୋଜ ନାୟକଙ୍କ ୫୬ ରନ୍‌ ସହାୟତାରେ ବୌଦ୍ଧ ୧୩୦ ରନ୍‌ କରିଥିଲା ବେଳେ ବରଗଡ଼ର ବାଦଲ ପରଦେଶୀ ନିସାଦ ୬ ଓ୍ଵିକେଟ୍‌ ଦଖଲ କରିଥିଲେ। ଜବାବରେ ଦେବେନ୍ଦ୍ର କୁଅଁରଙ୍କ ୬୪ ରନ୍‌ ସହାୟତାରେ ବରଗଡ଼ ୨୦ତମ ଓଭରରେ ମ୍ୟାଚ୍‌ ଜିତିଯାଇଥିଲା।