ମୁଲ୍ତାନ୍: ଚତୁର୍ଥ ଦିନ ଅପରାହ୍ଣ ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ପାଳି ସରି ନଥିବା ମୁଲ୍ତାନ୍ ଟେଷ୍ଟ୍ ଶେଷ ଦିନରେ ଫଳାଫଳ ଦେଇଛି। ବିଶ୍ବ କ୍ରିକେଟ୍ରେ ବି ପାକିସ୍ତାନ ପ୍ରଥମ ଦେଶ ଭାବେ ୫୦୦ରୁ ଊର୍ଧ୍ବ ରନ୍ ସଂଗ୍ରହ କରିବା ପରେ ପାଳି ବ୍ୟବଧାନରେ ହାରି ଅଲୋଡ଼ା କୀର୍ତ୍ତିମାନ କରିଛି। ଭ୍ରମଣକାରୀ ଇଂଲଣ୍ଡ ଦଳ ଅସାଧାରଣ ବ୍ୟାଟିଂ ଓ ବୋଲିଂ ବଳରେ ଏକ ପାଳି ଓ ୪୭ ରନ୍ରେ ଏହି ଟେଷ୍ଟ୍କୁ ଜିତି ୩ ମ୍ୟାଚ୍ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଦ୍ବିତୀୟ ଦ୍ରୁତତମ ତ୍ରିଶତକ ଅର୍ଜନ କରିଥିବା ହ୍ୟାରି ବ୍ରୁକ୍ (୩୧୭) ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।
ପାକିସ୍ତାନର ପ୍ରଥମ ପାଳି ୫୫୬ ରନ୍ ଜବାବରେ ଇଂଲଣ୍ଡ ଗୁରୁବାର ୮୨୩/୭ରେ ପାଳି ଘୋଷଣା କରିଥିଲା। ଏହା ପରେ ଘରୋଇ ଦଳ ଦ୍ବିତୀୟ ପାଳିରେ ୮୨/୬ରେ ସଂଘର୍ଷ କରିଥିଲା। ଆଘା ସଲମାନ୍ (୬୩) ଓ ଆମିର ଜମାଲ୍ (୫୫*) କେବଳ ଇଂଲଣ୍ଡ ବିଜୟକୁ ବିଳମ୍ବିତ କରିପାରିଥିଲେ। ଶୁକ୍ରବାର ସକାଳେ ପାକିସ୍ତାନ ୧୫୨/୬ରୁ ଖେଳିବା ପରେ ୨୨୦ ରନ୍ରେ ସମସ୍ତ ୱିକେଟ୍ ହରାଇ ଦେଇଥିଲା। ଶୁକ୍ରବାର ଶେଷ ୩ ୱିକେଟ୍ ଦଖଲ କରିଥିଲେ ଜ୍ୟାକ୍ ଲିଚ୍। ଆହତ କାରଣରୁ ଆବ୍ରାର ଅହମ୍ମଦ ବ୍ୟାଟିଂ ପାଇଁ ଆସିପାରି ନଥିଲେ। ଟେଷ୍ଟ୍ କ୍ରିକେଟ୍କୁ ପ୍ରତ୍ୟାବର୍ତନ କରି ୭ ୱିକେଟ୍ ଦଖଲ କରିଥିବା ଜ୍ୟାକ୍ ଲିଚ୍ (୩/୧୬୦ ଓ ୪/୩୦) ଶେଷ ଦିନର ନାୟକ ସାଜିଥିଲେ।
ସଂକ୍ଷିପ୍ତ ସ୍କୋର୍: ପାକିସ୍ତାନ ପ୍ରଥମ ପାଳି-୫୫୬। ଇଂଲଣ୍ଡ ପ୍ରଥମ ପାଳି-୮୨୩/୭, ଘୋଷିତ (ହ୍ୟାରି ବ୍ରୁକ୍-୩୧୭, ଜୋ ରୁଟ୍-୨୬୨, ବେନ୍ ଡକେଟ୍-୮୪, ଜ୍ୟାକ୍ କ୍ରଲି-୭୮, ସୈମ ଆୟୁବ-୨/୧୦୧, ନସିମ୍ ସାହା-୨/୧୫୭)। ପାକିସ୍ତାନ ଦ୍ବିତୀୟ ପାଳି: ୫୪.୫ ଓଭରରେ ୨୨୦ (ସୌଦ ସକିଲ୍-୨୯, ସଲମାନ ଆଘା-୬୩, ଆମିର ଜମାଲ୍-୫୫*, ଜ୍ୟାକ୍ ଲିଚ୍-୪/୩୦, ଗସ୍ ଆଟକିନସନ୍-୨/୪୬, ବ୍ରାଏଡନ୍ କର୍ସ-୨/୬୬, କ୍ରିସ୍ ୱକ୍ସ-୧/୪୧)।
ରେକର୍ଡ...ରେକର୍ଡ...
ଟେଷ୍ଟ୍ କ୍ରିକେଟ୍ ଇତିହାସରେ ପାକିସ୍ତାନ ପ୍ରଥମ ଦଳ ଭାବେ ୫୦୦+ ସ୍କୋର୍ କରିବା ସତ୍ତ୍ବେ ପାଳି ବ୍ୟବଧାନରେ ହାରିଯାଇଛି। ପୂର୍ବରୁ ୨୦୨୩ ମସିହାରେ ଗାଲେ ଟେଷ୍ଟ୍ରେ ଆୟର୍ଲାଣ୍ଡ୍ ୪୯୨ ରନ୍ ସ୍କୋର୍ କରିବା ପରେ ଶ୍ରୀଲଙ୍କା ନିକଟରୁ ହାରିଯାଇଥିଲା। ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୫୫୦+ ସ୍କୋର୍ କରି ହାରିବାରେ ପାକିସ୍ତାନ ଦ୍ବିତୀୟ ଦଳ ହୋଇଛି। ୨୦୨୨ ମସିହାରେ ଲିସେଷ୍ଟର୍ସାୟର ୫୮୪ ରନ୍ ସଂଗ୍ରହ କରିବା ପରେ ଗ୍ଲାମରଗନ୍ ନିକଟରୁ ଏକ ପାଳି ଓ ୨୮ ରନ୍ରେ ହାରିଥିଲା।
୨୦୨୨ ମସିହା ମେ' ମାସରେ ବ୍ରେଣ୍ଡନ୍ ମ୍ୟାକଲମ୍ ଇଂଲଣ୍ଡର ମୁଖ୍ୟ ପ୍ରଶିକ୍ଷକ ହେବା ପରଠାରୁ ଇଂଲଣ୍ଡ ତୃତୀୟ ଥର ୫୫୦ ରନ୍ରୁ ଊର୍ଧ୍ବ ରନ୍ ପାଳି ବରଣ କରିଛି। କିନ୍ତୁ ଇଂଲଣ୍ଡ ସମସ୍ତ ୩ ମ୍ୟାଚ୍ ଜିତିଛି। ୨୦୨୨ରେ ପୂର୍ବ ଦୁଇ ଟେଷ୍ଟକୁ ଇଂଲଣ୍ଡ ଦଳ ନ୍ୟୁଜିଲାଣ୍ଡ୍ (ନଟିଂହାମ) ଓ ପାକିସ୍ତାନ (ରାୱଲପିଣ୍ଡି) ନିକଟରୁ ହାରିଥିଲା। ସର୍ବାଧିକ ରନ୍ ବରଣ କରି ହାରିବାରେ ପାକିସ୍ତାନ ଯୁଗ୍ମ ପଞ୍ଚମରେ ରହିଛି। ଶୀର୍ଷ ୪ ମୋଟ ପରାଜୟରେ ମଧ୍ୟ ପାକିସ୍ତାନ ଦୁଇ ଥର ରହିଛି।
ଏସିଆରେ ଇଂଲଣ୍ଡ ଦୁଇ ଥର ପାଳି ବ୍ୟବଧାନରେ ବିଜୟ ପାଇଛି। ପୂର୍ବରୁ ୧୯୭୬ରେ ଭାରତ ବିପକ୍ଷ ଦିଲ୍ଲୀ ଟେଷ୍ଟରେ ଇଂଲଣ୍ଡ ଏକ ପାଳି ଓ ୨୫ ରନ୍ରେ ବିଜୟୀ ହୋଇଥିଲା।
ଗତ ଡିସେମ୍ବରରୁ ଆରମ୍ଭ କରିଥିବା ଅଭିଯାନକୁ ଆଗକୁ ନେଇ ପାକିସ୍ତାନ କ୍ରମାଗତ ଭାବେ ଷଷ୍ଠ ଟେଷ୍ଟ୍ ହାରିଛି। ଏହା ପାକିସ୍ତାନର ଯୁଗ୍ମ ଦୀର୍ଘତମ। ୨୦୧୬-୧୭ ଓ ୨୦୧୮-୧୯ରେ ମଧ୍ୟ ପାକିସ୍ତାନ କ୍ରମଗାତ ଭାବେ ୬ ଟେଷ୍ଟ୍ ହାରିଥିଲା। ଏହି ଦଳ ଏବେ ୨୦୨୧ରେ ଦକ୍ଷିଣ ଆଫ୍ରିକାକୁ ହରାଇବା ପରଠାରୁ ଘରୋଇ ମାଟିରେ କ୍ରମାଗତ ୧୧ ଟେଷ୍ଟ୍ରେ ବିଜୟଶୂନ୍ୟ ବି ରହିଛି। ୧୯୬୯-୧୯୭୫ ମଧ୍ୟରେ ପାକିସ୍ତାନ ମଧ୍ୟ ସମାନ ୧୧ ଟେଷ୍ଟ୍ ହାରିଥିବାରୁ ଏହାର ସମକକ୍ଷ ହୋଇଛି।
ସାନ୍ ମାସୁଦ ନିଜ ସମସ୍ତ ୬ ଟେଷ୍ଟ୍ ନେତୃତ୍ବରେ ଦଳକୁ ପରାଜୟ ଦେଇଛନ୍ତି। ବିଶ୍ବ କ୍ରିକେଟ୍ରେ ଅନ୍ୟ ମାତ୍ର ୪ ଅଧିନାୟକ ରହିଛନ୍ତି ଯିଏ ଆରମ୍ଭରୁ ୬ରୁ ଊର୍ଦ୍ଧ୍ବ ଟେଷ୍ଟ୍ ହାରିଥିଲେ। ସେମାନେ ହେଲେ-ଖାଲେଦ ମାସୁଦ (୧୨), ଖାଲେଦ ମେହମ୍ମୁଦ (୯), ମହମ୍ମଦ ଆଶ୍ରଫୁଲ (୮) ଓ ଗ୍ରେମ୍ କ୍ରିମର୍ (୬)।
ମୁଲ୍ତାନ ଟେଷ୍ଟ୍ରେ ଉଭୟ ଦଳ ପ୍ରଥମ ପାଳିରେ ମିଳିତ ଭାବେ ୧୩୭୯ ରନ୍ ସଂଗ୍ରହ କରିଥିଲେ। ଫଳାଫଳ ଦେବାରେ ଏହା ତୃତୀୟ ସର୍ବୋଚ୍ଚ ମୋଟ ଟେଷ୍ଟ୍ ସ୍କୋର୍। ପୂର୍ବ ଦୁଇଟି ଟେଷ୍ଟ୍ରେ ୧୨୩୬ ରନ୍ ସହ ଫଳାଫଳ ମିଳିଥିଲା। ୨୦୧୬ରେ ଚେନ୍ନାଇରେ ଭାରତ-ଇଂଲଣ୍ଡ ଏବଂ ୨୦୨୨ରେ ପାକିସ୍ତାନ-ଇଂଲଣ୍ଡ ଏହି ସ୍କୋର୍ ସହ ଫଳାଫଳ ଦେଇଥିଲା।