ହୋବାର୍ଟ: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ପର୍ଯ୍ୟାୟ ମୁକାବିଲାର ଦ୍ବିତୀୟ ଦିନରେ ପୁଣି ଏକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଦ୍ବିତୀୟ ଦିନରେ ସ୍କଟ୍‌ଲାଣ୍ଡ ୪୨ ରନ୍‌ରେ ଦୁଇ ଥରର ବିଶ୍ବ ବିଜେତା ୱେଷ୍ଟଇଣ୍ଡିଜ୍‌କୁ ହରାଇ ଏହି ବିପର୍ଯ୍ୟୟ କରିଛି। ୱେଷ୍ଟ୍‌ଇଣ୍ଡିଜ୍‌ ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଜର୍ଜ ମୁନ୍‌ସି ଗୋଟିଏ ପଟରୁ ପାଳି ସମ୍ଭାଳି ରନ୍‌ ଗତି ବଢ଼ାଇଥିଲା‌ ବେଳେ ଅନ୍ୟପଟରେ ମିଚେଲ୍‌ ଜନ୍ସ, ରିଚି ବେରିଙ୍ଗଟନ୍‌ ଓ କାଲମ୍‌ ମ୍ୟାକଲିଓଡ୍‌ ଦ୍ରୁତ ଭାବରେ ରନ୍‌ ବାହାର କରି ଦଳକୁ ୧୬୦ରେ ପହଞ୍ଚାଇଥିଲେ। ଜର୍ଜ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୬୬* ରନ୍‌ କରିଥିଲେ। ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ୱେଷ୍ଟ୍‌ଇଣ୍ଡିଜ୍‌ର କାୟଲ୍‌ ମାୟର୍ସ, ଇଭିନ୍‌ ଲିୱିସ୍‌ ଓ ବ୍ରାଣ୍ଡନ୍‌ କିଙ୍ଗ୍‌ଙ୍କ ବ୍ୟାଟ୍‌ରୁ କିଛି ସଟ୍‌ ଦେଖିବାକୁ ମିଳିଥିଲା ବେଳେ ଅନ୍ୟମାନେ ବିଫଳ ହୋଇଥିଲେ। ତଳ ଆଡ଼କୁ ଅଭିଜ୍ଞ ଖେଳାଳି ଜାସନ୍‌ ହୋଲ୍ଡର ଭଲ ଖେଳିଥିଲେ ବି ଶେଷ ପର୍ଯ୍ୟନ୍ତ ଦଳକୁ ଉଦ୍ଧାର ପାଇଁ ସଂଘର୍ଷ କରି ଫେଲ୍‌ ମାରିଥିଲେ। ଦଳ ମାତ୍ର ୧୧୯ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ଏହି ପାଳିରେ ବର୍ଷା ଯୋଗୁଁ ଖେଳ ପାଖାପାଖି ୨୦ ମିନିଟ୍‌ ପର୍ଯ୍ୟନ୍ତ ବନ୍ଦ ରିହିବାରୁ ଏହାର ଫାଇଦା ବୋଲରମାନେ ଉଠାଇଥିଲେ। ମାର୍କ ୱାଟ୍‌, ବ୍ରାଡ୍‌ ହ୍ବିଲ୍‌ ଓ ମିଚେଲ୍‌ ଲିସ୍କ ୱେଷ୍ଟଇଣ୍ଡିଜ୍‌ ପାଳି ବିପର୍ଯ୍ୟୟରେ ବଡ଼ ଭୂମିକା ନେଇଥିଲେ।

Advertisment

ସଂକ୍ଷିପ୍ତ ସ୍କୋର: ସ୍କଟଲାଣ୍ଡ ୨୦ ଓଭରରେ ୧୬୦/୫ (ଜର୍ଜ ମୁନ୍‌ସି ୬୬*, ମିଚେଲ୍‌ ଜୋନ୍ସ ୨୦, କାଲମ୍‌ ମ୍ୟାକ୍‌‌ଲିଓଡ୍‌ ୨୩, ଅଲ୍‌ଜାରି ଜୋସେଫ୍‌ ୨/୨୮, ଜାସନ୍‌ ହୋଲ୍ଡର୍‌ ୨/୧୪, ଓଡିଆନ୍‌ ସ୍ମିଥ୍‌ ୧/୩୧)। ୱେଷ୍ଟ୍‌ଇଣ୍ଡିଜ୍‌ ୧୮.୩ ଓଭରରେ ୧୧୮/୧୦ (କାୟଲ୍‌ ମାୟର୍ସ ୨୦, ବ୍ରାଣ୍ଡନ୍‌ କିଙ୍ଗ୍‌ ୧୭, ଜାସନ୍‌ ହୋଲ୍ଡର ୩୮, ମାର୍କ ୱାଟ୍‌ ୩/୧୨, ବ୍ରାଡ୍‌ ହ୍ବିଲ୍‌ ୨/୩୨, ମିଚେଲ୍‌ ଲିସ୍କ ୨/୧୫)।

ଜିମ୍ବାୱେର ବିଜୟ ଅଭିଯାନ
ଏଠାରେ ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚ୍‌ରେ ଜିମ୍ବାୱେ ୩୧ ରନ୍‌ରେ ଆ‌ୟର୍ଲାଣ୍ଡକୁ ପରାସ୍ତ କରିଛି। ଜିମ୍ବାୱେ ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିଲା ବେଳେ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୩୭ ରନ୍‌ ଭିତରେ ଦଳର ୩ ୱିକେଟ୍‌ ଚାଲିଯିବା ପରେ ମଧ୍ୟକ୍ରମରେ ସିକନ୍ଦର ରାଜା କିଛି ଚମତ୍କାର ସଟ୍‌ ଖେଳି ଦଳକୁ ସୁବିଧାଜନକ ସ୍ଥିତିରେ ପହଞ୍ଚାଇଥିଲେ। ଶେଷ ବଲ୍‌ରେ ସିକନ୍ଦର ଆଉଟ ହେବା ବେଳକୁ ୪୮ ବଲ୍‌ରୁ ୮୨ ରନ୍‌ର ବିସ୍ଫୋରକ ପାଳି ଖେଳିଥିଲେ। ତାଙ୍କ ପାଳିରେ ୫ ଛକା ଓ ୫ ଚୌକା ସାମିଲ ଥିଲା। ଆୟର୍ଲାଣ୍ଡ ସମ୍ମୁଖରେ ଧାର୍ଯ୍ୟ ହୋଇଥିବା ୧୭୫ ରନ୍‌ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଏହି ଦଳ ନିୟମିତ ଭାବରେ ୱି‌କେଟ୍‌ ହରାଇଥିଲା। ମଧ୍ୟକ୍ରମରେ କର୍ଟିସ୍‌ କାମ୍ଫର୍‌ ଜର୍ଜ ଡକ୍‌ରେଲ୍‌ ଓ ଗାରିଥ୍‌ ଡେଲାନି ଅଧିକ ବଲ୍‌ ଖେଳିଥିଲେ ବି ତାହାକୁ ବଡ଼ ରନ୍‌ରେ ପରିଣତ କରିପାରିନଥିଲେ। ଶେଷରେ ଦଳ ୯ ୱିକେଟ୍‌ ବିନିମୟରେ ୧୪୩ ରନ୍‌ କରି ଅଟକିଯାଇଥିଲା।

ସଂକ୍ଷିପ୍ତ ସ୍କୋର: ଜିମ୍ବାୱେ ୨୦ ଓଭରରେ ୧୭୪/୭ (ୱିସ୍‌ଲି ମଧିଭିରେ ୨୨, ସିକନ୍ଦର ରାଜା ୮୨, ଲ୍ୟୁକ ଜୋଙ୍ଗୱି ୨୦*, ଜୋସ୍‌ ଲିଟିଲ୍‌ ୩/୨୪, ମାର୍କ ଆଡେର୍‌ ୨/୩୯, ସିମି ସିଂହ ୨/୩୧)। ଆୟର୍ଲାଣ୍ଡ ୨୦ ଓଭରରେ ୧୪୩/୯ (କର୍ଟିସ୍‌ କାମ୍ଫର୍‌ ୨୭, ଜର୍ଜ ଡକ୍‌ରେଲ୍‌ ୨୪, ଗାରିଥ୍‌ ଡେଲାନି ୨୪, ରିଚାର୍ଡ ଗାରଭା ୨/୨୨, ଟେଣ୍ଡାଇ ଛତାରା ୨/୨୨, ବ୍ଲେସିଂ ମୁଜାରବନି ୩/୨୩)।