ଗ୍ରସ୍ ଆଇଲେଟ୍: ଦୁଇ ଦଳ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ। ଗୋଟିଏ ଦଳ ଅନ୍ୟକୁ ହରାଇବାକୁ ସବୁବେଳେ ପ୍ରସ୍ତୁତ ଓ ଚେଷ୍ଟିତ। ହେଲେ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ଦୟାରେ ଚିରପ୍ରତିଦ୍ବନ୍ଦ୍ବୀ ଇଂଲଣ୍ଡ ସୁପର-୮କୁ ଯିବା ଭଳି ନିଆରା ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ନାମିବ୍ୟା ବିପକ୍ଷ ମହତ୍ବପୂର୍ଣ୍ଣ ଗ୍ରୁପ୍-ବି ମ୍ୟାଚ୍କୁ ଡକୱର୍ଥ ଲୁଇସ୍ ନିୟମରେ ଜିତି ବିଦାୟ ଦ୍ବାରରେ ଥିବା ଇଂଲଣ୍ଡ ତା’ର ସୁପର-୮ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଥିଲା। ରବିବାର ସକାଳେ ଏହି ଗ୍ରୁପ୍ର ଅନ୍ୟତମ ଦାବିଦାର ସ୍କଟଲାଣ୍ଡ୍କୁ ଅଷ୍ଟ୍ରେଲିଆ ୫ ୱିକେଟ୍ରେ ପରାସ୍ତ କରିବା ପରେ ଇଂଲଣ୍ଡ ସୁପର-୮ ପର୍ଯ୍ୟାୟରେ ସ୍ଥାନ ସୁରକ୍ଷିତ କରିନେଇଛି। ଅନ୍ୟପକ୍ଷରେ ପ୍ରଭାବୀ ପ୍ରଦର୍ଶନ କରି କ୍ରିକେଟ୍ପ୍ରେମୀଙ୍କ ମନ ଜିତିଥିବା ସ୍କଟଲାଣ୍ଡ୍ ଗତଥରର ବିଜେତା ଇଂଲଣ୍ଡ ସହ ସମାନ ପଏଣ୍ଟ୍ ପାଇଥିଲେ ମଧ୍ୟ ରନ୍ରେଟ୍ରେ ପଛୁଆ ରହି ଦୁର୍ଭାଗ୍ୟଜନକ ଭାବେ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ଅଷ୍ଟ୍ରେଲିଆ ଲିଗ୍ ପର୍ଯ୍ୟାୟର ସମସ୍ତ ୪ଟି ଯାକ ମ୍ୟାଚ୍ ଜିତି ୮ ପଏଣ୍ଟ୍ ସହ ଗ୍ରୁପ୍ ଟପ୍ପର୍ ଏବଂ ଇଂଲଣ୍ଡ ଦୁଇଟି ବିଜୟ ଓ ଗୋଟିଏ ବାତିଲ ମ୍ୟାଚ୍ରୁ ୫ ପଏଣ୍ଟ୍ ପାଇ ଉପବିଜେତା ଭାବେ ସୁପର-୮ ଟିକେଟ ହାସଲ କରିନେଇଛି।
ଅଷ୍ଟ୍ରେଲିଆର ଦୁର୍ବଳ କ୍ଷେତ୍ରରକ୍ଷଣ ପାଇଁ ଚର୍ଚ୍ଚିତ ଗ୍ରୁପ୍-ବିର ଶେଷ ଲିଗ୍ ମ୍ୟାଚ୍ରେ ରବିବାର କଙ୍ଗାରୁ ଦଳ ଟସ୍ ଜିତି ସ୍କଟଲାଣ୍ଡ୍କୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ସ୍କଟଲାଣ୍ଡ୍ ୩ ରନ୍ରେ ପ୍ରଥମ ୱିକେଟ୍ ହରାଇବା ସତ୍ତ୍ବେ ବ୍ରାଣ୍ଡନ୍ ମ୍ୟାକମୁଲେନଙ୍କ ଦ୍ରୁତ ଅର୍ଦ୍ଧଶତକ ସହ ଅଧିନାୟକ ରିଚି ବେରିଙ୍ଗଟନ୍ଙ୍କ ଅପରାଜିତ ୪୨ ତଥା ଓପନର ଜର୍ଜ ମୁନସିଙ୍କ ବିସ୍ଫୋରକ ୩୫ ରନ୍ ବଳରେ ୫ ୱିକେଟ୍ ହରାଇ ୧୮୦ ରନ୍ର ଆହ୍ବାନଭରା ସ୍କୋର କରିଥିଲା। ଜବାବରେ ଅଷ୍ଟ୍ରେଲିଆ ୩୪ ରନ୍ରେ ୨ ୱିକେଟ୍ ହରାଇ ଆରମ୍ଭରୁ ସଙ୍କଟରେ ପଡ଼ିଥିଲା। ହେଲେ ଓପନର୍ ଟ୍ରାଭିସ୍ ହେଡ୍ଙ୍କ ୬୮ ଏବଂ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ମାର୍କସ ଷ୍ଟୋଇନିସଙ୍କ ଧୂଆଁଧାର ୫୯* ରନ୍ ବଳରେ ୨ ବଲ୍ ପୂର୍ବରୁ ୫ ୱିକେଟ୍ ହରାଇ ୧୮୧ ରନ୍ର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଫଳରେ ଇଂଲଣ୍ଡ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରି ଖେଳି ଯାଇଥିଲା। ଅନ୍ୟପକ୍ଷରେ ସ୍କଟଲାଣ୍ଡ୍ ପ୍ରଶଂସକ ନିରାଶ ହୋଇଥିଲେ।
ସଂକ୍ଷିପ୍ତ ସ୍କୋର୍: ସ୍କଟଲାଣ୍ଡ୍ ୨୦ ଓଭରରେ ୧୮୦/୫ (ବ୍ରାଣ୍ଡନ୍ ମ୍ୟାକମୁଲେନ-୬୦, ରିଚି ବେରିଙ୍ଗଟନ୍-୪୨*, ଜର୍ଜ ମୁନସି-୩୫, ଗ୍ଲେନ୍ ମ୍ୟାକ୍ସୱେଲ୍-୨/୪୪)। ଅଷ୍ଟ୍ରେଲିଆ ୧୯.୪ ଓଭରରେ ୧୮୬/୫ (ଟ୍ରାଭିସ୍ ହେଡ୍-୬୮, ମାର୍କସ ଷ୍ଟୋଇନିସ୍-୫୯*, ଟିମ୍ ଡେଭିଡ୍-୨୪*, ମାର୍କ ୱାଟ୍-୨/୪୨)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/shfhfshfhfh.jpg)