ଗାଙ୍ଗୁଲିଙ୍କ ବଦାନ୍ୟତା: ଦୈନିକ ୧୦,୦୦୦ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଇସ୍କନକୁ ଦେଲେ ସହାୟତା

ଭୁବନେଶ୍ବର: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ବର୍ତମାନର ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ସାମ୍ପ୍ରତିକ କୋଭିଡ୍‌-୧୯ ଲଢ଼େଇ ବେଳେ ନିଜ ବଦାନ୍ୟତା ଦେଖାଇଛନ୍ତି। ଏହି ମହାମାରୀ ଦ୍ବାରା ପ୍ରଭାବିତ ୧୦,୦୦୦ ଲୋକଙ୍କ ଖାଇବା ଲାଗି ସେ ଇସ୍କନ୍‌ର କୋଲକାତା କେନ୍ଦ୍ରକୁ ସହାୟତା ପ୍ରଦାନ କରିଛନ୍ତି। କରୋନା ସୁରକ୍ଷା ନେଇ ସଚେତନ ଥିବା ଗାଙ୍ଗୁଲି ନିଜେ ମାସ୍କ ଓ ଗ୍ଲୋଭ୍‌ ପରିଧାନ କରି ଇସ୍କନ୍‌ର ସିଟି କେନ୍ଦ୍ର ବୁଲିବା ବେଳେ ଏଭଳି ସହାୟତାର ହାତ ବଢ଼ାଇଛନ୍ତି। ‘‘ସୌରଭ ଦା ନିଜ ଆଡୁ ଆସି ହାତ ବଢ଼ାଇଥିଲେ। ଫଳରେ ଆମେ ପୂର୍ବ ସହାୟତା ତୁଳନାରେ ଦୁଇ ଗୁଣା (୨୦,୦୦୦) ଲୋକଙ୍କୁ ଏବେ ଖାଦ୍ୟ ଦେଇପାରୁଛୁ’’ ବୋଲି ଇସ୍କନ୍‌ର ଉପସଭାପତି ତଥା ମୁଖପାତ୍ର ରାଧାରମଣ ଦାସ ପ୍ରକାଶ କରିଛନ୍ତି। ପୂର୍ବରୁ ଗାଙ୍ଗୁଲି ବେଲୁର ମଠ ଯାଇ ଏହି କେନ୍ଦ୍ରକୁ ୨୦,୦୦୦ କିଲୋଗ୍ରାମ ଚାଉଳ ମଧ୍ୟ ପ୍ରଦାନ କରିଥିଲେ। ‘ମୁଁ ଦାଦାଙ୍କ ଅନେକ କ୍ରିକେଟ୍ ପାଳି ଦେଖିଛି, କିନ୍ତୁ ଦୈନିକ ୧୦,୦୦୦ ଲୋକଙ୍କ ଖାଇବା ବ୍ୟବସ୍ଥା କରିବା ନିଶ୍ଚିତ ଏକ ସବୁଠାରୁ ବଡ଼ ପାଳି ହେବ। ଇସ୍କନ୍‌ ଏଥିପାଇଁ ଚିର ଋଣୀ’ ବୋଲି କହିଛନ୍ତି ଶ୍ରୀ ଦାସ।

ଦେଶବ୍ୟାପୀ ଇସ୍କନ୍‌ ୪ ଲକ୍ଷ ଲୋକଙ୍କୁ ଦୈନିକ ଖାଦ୍ୟ ଯୋଗାଉଛି ବୋଲି ସେ ସୂଚନା ଦେଇଥିଲେ। ‘ଆମେ ସମସ୍ତେ ଜାଣିଛେ କରୋନା ସଙ୍କଟ ମାନବ ସମାଜ ଆଗରେ ଏକ ଅପ୍ରତ୍ୟାଶିତ ଆହ୍ବାନ ଆଣି ଛିଡ଼ା କରିଛି। ବିଶେଷ କରି ଦୈନିକ ରୋଜଗାର କରି ଚଳୁଥିବା ଲୋକଙ୍କ ପାଇଁ ଏହା ବଡ଼ ସଙ୍କଟ ଆଣିଛି। ‌ଗାଙ୍ଗୁଲିଙ୍କ ନେତୃତ୍ବରେ ଦେଶ ଅନେକ ବଡ଼ ସଫଳତା ପାଇଛି, ଏବେ ତାଙ୍କ ଉତ୍ସାହରେ ଇସ୍କନ୍‌ର ସାଧୁମାନେ ଦୀର୍ଘତମ ଟେଷ୍ଟ୍ ମ୍ୟାଚ୍‌ ‌ଖେଳିବାକୁ ପ୍ରସ୍ତୁତ। କୋଲକାତାର ଭୋକିଲା ପରିବାରକୁ ଏଭଳି ପରିସ୍ଥିତିରୁ ବାହାର କରିବା ଆମ ଦାୟିତ୍ବ’ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର