ଆଜିଠୁ ଦ୍ବିତୀୟ ଆସେସ୍‌ ଟେଷ୍ଟ୍‌

ଲର୍ଡସ୍‌ (ଲଣ୍ଡନ): ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ ଆସେସ୍‌ ଶୃଙ୍ଖଳାର ଦ୍ବିତୀୟ ଟେଷ୍ଟ୍‌। ପ୍ରଥମ ଟେ‌ଷ୍ଟକୁ ଜିତି ଆଗୁଆ ରହିଥିବା ଭ୍ରମଣକାରୀ ଅଷ୍ଟ୍ରେଲିଆ ଲର୍ଡସ୍‌ ଲଢ଼େଇରେ ବି ଘରୋଇ ଇଂଲଣ୍ଡକୁ ପରାସ୍ତ କରି ଅଗ୍ରଣୀ ବ୍ୟବଧାନ ଆଗେଇ ନେବା ଲକ୍ଷ୍ୟରେ ରହିଛି। ମଙ୍ଗଳବାର ଅତିଥି ଦଳ ୧୨ ଜଣିଆ ଦଳ ଘୋଷଣା କରିଥିଲା ବେଳେ ବୁଧବାର ଟସ୍‌ ପୂର୍ବରୁ ଚୂଡାନ୍ତ ଏକାଦଶ ବାଛିବ ବୋଲି କହିଛି। ତେବେ ଦ୍ରୁତ ବୋଲର ଜେମ୍‌ସ ପାଟିନ୍‌ସନ୍‌ ଦ୍ବିତୀୟ ଟେଷ୍ଟ୍‌ ଦଳରୁ ବାଦ୍‌ ପଡ଼ିଥିଲା ବେଳେ ପ୍ରଥମ ଟେଷ୍ଟ୍‌ ଖେଳିନଥିବା ଉଭୟ ଜୋସ୍‌ ହାଜ୍‌ଲେଉଡ୍‌ ଓ ମିଚେଲ ଷ୍ଟାର୍କ ପ୍ରତ୍ୟାବର୍ତନ କରିଛନ୍ତି। ଉଭୟେ ଦ୍ରୁତ ବୋଲିଂ ମଙ୍ଗ ସମ୍ଭାଳିବେ। ତେବେ ଟିମ୍‌ ପେନ୍‌ ପଦାର୍ପଣର ୯ ବର୍ଷ ପରେ ଲର୍ଡସ୍‌ ପଡ଼ିଆକୁ ଫେରିବେ। ୯ ବର୍ଷ ପୂର୍ବରୁ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ସହ ପାଇନ୍‌ ଲର୍ଡସ୍‌ରେ ଟେଷ୍ଟ ପଦାର୍ପଣ କରିଥିଲେ। ଏହାପରେ ସ୍ମିଥ୍‌ ଏଠାରେ ଦୁଇଟି ଟେଷ୍ଟ ଖେଳିଥିଲା ବେଳେ ପେନ୍‌ ପ୍ରଥମ ଥର ପାଇଁ ଏହି ପଡ଼ିଆକୁ ଫେରିବେ। ତେବେ ସେ କେବଳ ଦଳର ଜଣେ ସଦସ୍ୟ ଭାବେ ନୁହେଁ, ବରଂ ଅଧିନାୟକ ଭାବେ ଏହି ଟେଷ୍ଟ ଖେଳିବେ। ଅଷ୍ଟ୍ରେଲିଆ ଏଠାରେ ୨୦୦୯ ଓ ୨୦୧୩ରେ ମ୍ୟାଚ୍‌ ଜିତିଥିଲା। ଲର୍ଡସ୍‌ ଅଷ୍ଟ୍ରେଲିଆ ପାଇଁ ଶୁଭ ସାବ୍ୟସ୍ତ ହୋଇଆସିଥିବାରୁ ପ୍ରଥମ ଟେଷ୍ଟ୍‌ର ଉଭୟ ପାଳିରେ ଶତକ ଜମାଇଥିବା ସ୍ମିଥ୍‌ଙ୍କ ଉପରେ ଲର୍ଡସ୍‌ରେ ମଧ୍ୟ ନଜର ରହିବ। ଅନ୍ୟପକ୍ଷରେ ଜେମ୍‌ସ ଆଣ୍ଡରସନ୍‌ଙ୍କ ଆହତ ଏବଂ ବିଜୟ ସୁଯୋଗ ହାତଛଡ଼ା କରିଥିବା ଇଂଲଣ୍ଡ ଐତିହାସିକ ଲର୍ଡସ୍‌ ପଡ଼ିଆରେ ଅଷ୍ଟ୍ରେଲିଆ ନିକଟରୁ ପ୍ରତିଶୋଧ ନେଇ ଶୃଙ୍ଖଳା ବରାବର କରିବା ଲକ୍ଷ୍ୟରେ ରହିବ। ଆଣ୍ଡରସନ୍‌ଙ୍କ ଆହତ ଯୋଗୁଁ ଜୋଫ୍ରା ଆର୍ଚରଙ୍କ ଖେଳିବା ସମ୍ଭାବନା ଅଧିକ ରହିଛି।

ସମ୍ବନ୍ଧିତ ଖବର