ଦ୍ୱିତୀୟ ଦିନିକିଆ ଆଜି

ମର୍କରାମ ଦକ୍ଷିଣ ଆଫ୍ରିକା ଅଧିନାୟକ

ସେଞ୍ଚୁରିଅନ୍‌: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ରବିବାର ଖେଳାଯିବ। ଡର୍ବାନ୍‌ ବିଜୟ ସିହତ ୬ ମ୍ୟାଚ୍‌ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଆ ଥିବାରୁ କୋହଲି ବାହିନୀର ମନୋବଳ ଉଚ୍ଚା ରହିଛି। ଲଗାତାର ଟେଷ୍ଟ୍‍ ପରାଜୟ ପରେ ତୃତୀୟ ଟେଷ୍ଟ୍‍ ଏବଂ ପ୍ରଥମ ଦିନିକିଆ ଜିତି ଭାରତୀୟ ଦଳ ମଧ୍ୟ ପ୍ରାରମ୍ଭିକ ବିଫଳତାକୁ ପଛରେ ପକାଇ ଦେଇଛି। ଅନ୍ୟପକ୍ଷରେ ଆହତ ସମସ୍ୟାରେ ଫସିଯାଇଥିବା ଦକ୍ଷିଣ ଆଫ୍ରିକା ପାଇଁ ଏହି ଶୃଙ୍ଖଳା ନିଶ୍ଚିତ କଷ୍ଟକର ହେବ। ପୂର୍ବରୁ ବିପଜ୍ଜନକ ବ୍ୟାଟ୍‌ସମ୍ୟାନ୍‌ ଏବି ଡି’ଭିଲିୟର୍ସ ଆହତ କାରଣରୁ ପ୍ରଥମ ୩ ଦିନିକିଆରୁ ବାଦ୍‌ ପଡ଼ିଥିଲେ। ଶୁକ୍ରବାର ଅଧିନାୟକ ଫାପ୍‌ ଡୁ ପ୍ଲେସିସ ଏଥିରେ ଯୋଗ ଦେଇଛନ୍ତି। ସେ ସମ୍ପୂର୍ଣ୍ଣ ଭାବେ ସୀମିତ ଓଭର ଶୃଙ୍ଖଳାର ଅବଶିଷ୍ଟ ଭାଗରୁ (ଦିନିକିଆା ଏବଂ ଟେ୍ଵଣ୍ଟି-୨୦) ବାଦ୍‌ ପଡ଼ିବାରୁ ଦକ୍ଷିଣ ଆଫ୍ରିକାକୁ ଶକ୍ତ ଝଟ୍‌କା ଲାଗିଛି। ଗୁରୁବାର ପ୍ରଥମ ଦିନିକିଆ ବେଳେ ଡାହାଣ ହାତ ବିଶି ଆଙ୍ଗୁଠିରେ ଆଘାତ ପାଇଥିଲେ। ଏପରିକି ମାର୍ଚ ପହିଲାରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‍ ଶୃଙ୍ଖଳାରେ ମଧ୍ୟ ସେ ଖେଳିବା ନେଇ ଆଶଙ୍କା ଦେଖା ଦେଇଛି। ବ୍ୟାଟ୍‌ସମ୍ୟାନ୍‌ ଫାରହାନ୍‌ ବେହାରଦିନଙ୍କୁ ତାଙ୍କ ବଦଳରେ ନିଆଯାଇଛି। ଘରୋଇ ଦଳର ନେତୃତ୍ୱ କିନ୍ତୁ ନେବେ ୨୩ ବର୍ଷୀୟ ଯୁବ ବ୍ୟାଟସମ୍ୟାନ୍‌ ଐଦେନ ମର୍କରାମ। ଦିନିକିଆ ଏବଂ ଟେ୍ଵଣ୍ଟି-୨୦ ଶୃଙ୍ଖଳାରେ ସେ ଦଳର ନେତୃତ୍ୱ ନେବେ। ମାତ୍ର ୨ ଦିନିକିଆ ଖେଳିଥିବା ମର୍କରାମଙ୍କ ଏହି ଦାୟିତ୍ୱ ରବିବାରଠାରୁ ଆରମ୍ଭ ହେବ। ଦକ୍ଷିଣ ଆଫ୍ରିକାର ୨୦୧୯ ବିଶ୍ୱକପ୍‌ ଯୋଜନାରେ ମଧ୍ୟ ମର୍କରାମଙ୍କୁ ନେତୃତ୍ୱ ରହିଥିଲା। ୨୦୧୪ରେ ଦକ୍ଷିଣ ଆଫ୍ରିକାକୁ ସେ ୧୯ ବର୍ଷରୁ କମ୍‌ ବିଶ୍ୱ ବିଜେତା କରାଇଥିଲେ। ଘରୋଇ କ୍ରିକେଟ୍‌ରେ ମଧ୍ୟ ତାଙ୍କ ନେତୃତ୍ୱ ଅଭିଜ୍ଞତା ରହିଛି। ଅନ୍ୟପକ୍ଷରେ ସେଞ୍ଚୁରିଅନ ପଡ଼ିଆ ଭାରତ ପାଇଁ ଅଧା ଅଧା ସଫଳତା ରଖିଥିଲେ ମଧ୍ୟ ୨୦୦୩ ବିଶ୍ୱକପ୍‌ରେ ପାକିସ୍ତାନ ବିପକ୍ଷ ବିଖ୍ୟାତ ବିଜୟ ସ୍ମୃତି ରଖିଛି। ଏହି ପଡ଼ିଆରେ ଭାରତ ୧୧ ମ୍ୟାଚ୍‌ ଖେଳି ୪ ଜିତି ୫ ହାରିଛି। କିନ୍ତୁ କେବଳ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ଦେଖିଲେ ଭାରତ ଏଠାରେ ୫ ଖେଳି ୨-୨ରେ ଜୟ ପରାଜୟ ପ୍ରଦର୍ଶନ ରଖିଛି। କିନ୍ତୁ ଶେଷ ଥର ପାଇଁ ଭାରତ ୨୦୦୧-୦୨ରେ ତ୍ରିରାଷ୍ଟ୍ରୀୟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାଠାରୁ ଜିତିଥିଲା। ଏହା ପରଠାରୁ ୨ଟି ହାରିବା ସହିତ ଗୋଟିଏ ବର୍ଷାରେ ଧୋଇଯାଇଥିଲା। ରବିବାର ଭାରତ ନିଶ୍ଚିତ ଆହତ ଦକ୍ଷିଣ ଆଫ୍ରିକାର ଦୁର୍ବଳତାର ଫାଇଦା ଉଠାଇ ୨-୦ରେ ଆଗୁଆ ହୋଇଯିବା ଲକ୍ଷ୍ୟରେ ରହିବ। ଏହି ମ୍ୟାଚ୍‌ ଦିନବେଳା ଖେଳାଯିବାର ଥିବାରୁ ସେଞ୍ଚୁରିଅନରେ ଦର୍ଶକ ଭରପୁର ରହିବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର