ନୂଆଦିଲ୍ଲୀ: ଖୋ ଖୋ ବିଶ୍ବକପର ପ୍ରଥମ ସଂସ୍କରଣ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଟ୍ରଫି ଜିତି ଇତିହାସ ରଚିଥିବା ବେଳେ ସୋମବାର ଭାରତୀୟ ଖୋ ଖୋ ମହାସଂଘ (କେକେଏପ୍ଆଇ) ପକ୍ଷରୁ ଭାରତର ଯୁଗଳ ସଫଳତା ପଛରେ ଯେଉଁମାନଙ୍କ ଯୋଗଦାନ ଥିଲା ସେମାନଙ୍କୁ ଧନ୍ୟବାଦ ଜଣାଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସଫଳତା ପଛରେ ଥିବା ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରାଯାଇଛି। ଓଡ଼ିଶା ୨୦୨୫ରୁ ୨୦୨୭ ପର୍ଯ୍ୟନ୍ତ ଜାତୀୟ ଖୋ ଖୋ ଦଳର ମୁଖ୍ୟ ପ୍ରାୟୋଜକ ରହିଛି। ଆଗକୁ ମଧ୍ୟ ତାହା ଜାରି ରହିବ ବୋଲି ମହାସଂଘ ପକ୍ଷରୁ ଆଶା ପ୍ରକାଶ କରାଯାଇଥିଲା।
ଖୋ ଖୋ ବିଶ୍ବକପ୍ର ପ୍ରଥମ ସଂସ୍କରଣରେ ଭାରତକୁ ଐତିହାସିକ ସଫଳତା ମିଳିବା ପରେ ଖେଳାଳିଙ୍କୁ ମହାସଂଘ ପକ୍ଷରୁ କେତେ ପରିମାଣର ପୁରସ୍କାର ରାଶି ପ୍ରଦାନ କରାଯିବ ସେ ନେଇ ପ୍ରଶ୍ନ କରାଯିବାରୁ କେକେଏଫ୍ଆଇର ସଭାପତି ସୁଧାଂଶୁ ମିତ୍ତଲ କହିଥିଲେ, ପ୍ରଥମେ ଦେଖିବାକୁ ପଡ଼ିବ ଦଳରେ ସାମିଲ ଥିବା ଖେଳାଳିଙ୍କୁ ସେମାନଙ୍କ ରାଜ୍ୟ ପକ୍ଷରୁ କେତେ ପରିମାଣର ପୁରସ୍କାର ରାଶି ପ୍ରଦାନ କରାଯାଉଛି। ଖୋ ଖୋ ବିଶ୍ବକପ୍ର ଦ୍ବିତୀୟ ସଂସ୍କରଣ ୨୦୨୬-୨୭ରେ ଇଂଲାଣ୍ଡର ବର୍ମିଂହାମରେ ହେବ ବୋଲି ଶ୍ରୀ ମିତ୍ତଲ ଘୋଷଣା କରିଥିଲେ। ଖୋ ଖୋ ବିଶ୍ବକପ୍ ବିଜେତା ଭାରତୀୟ ପୁରୁଷ ଓ ମହିଳା ଦଳ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବେ। ଏନେଇ ସମୟ ଲୋଡ଼ାଯାଇଥିବା ଶ୍ରୀ ମିତ୍ତଲ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ କେକେଏଫ୍ଆଇ ସାଧାରଣ ସମ୍ପାଦକ ଏମ୍ଏସ୍ ତ୍ୟାଗୀଙ୍କ ସମେତ ଅନ୍ୟ ଅଧିକାରୀ ତଥା ଭାରତୀୟ ମହିଳା ଓ ପୁରୁଷ ଦଳର ପ୍ରଶିକ୍ଷକ ଓ ଅଧିନାୟକ ଉପସ୍ଥିତ ଥିଲେ।
ବିଶ୍ୱ ବିଜୟିନୀ ୩ ଓଡ଼ିଆଙ୍କୁ ସାମନ୍ତଙ୍କ ଅଭିନନ୍ଦନ
ଭୁବନେଶ୍ୱର: ପାରମ୍ପରିକ କ୍ରୀଡ଼ା ଖୋ ଖୋରେ କିସ୍ ବିଶ୍ୱବିଦ୍ୟାଳୟର ୩ ଖେଳାଳି ପାବନି ଶବର, ଶୁଭଶ୍ରୀ ସିଂହ ଓ ମାଗାଇ ମାଝୀ ଇତିହାସ ରଚିଛନ୍ତି। ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ପ୍ରଥମ ଖୋ ଖୋ ବିଶ୍ୱକପ୍ରେ ଉଭୟ ପୁରୁଷ ଓ ମହିଳାରେ ଆୟୋଜକ ଭାରତ ବିଜେତା ହୋଇଛି। ଏଥିରେ ପୁରୁଷ ବର୍ଗରେ କିସ୍ ଛାତ୍ର ପାବନୀ ଏବଂ ମହିଳା ଦଳରେ ଶୁଭଶ୍ରୀ ଓ ମାଗାଇ ସାମିଲ ହୋଇଥିଲେ। ଏହା ଦ୍ୱାରା ଭାରତ ସହ ଓଡ଼ିଶା କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିହୋଇଛି। କିସ୍ ଛାତ୍ରଛାତ୍ରୀଙ୍କ ଏହି ସଫଳତାର ଖବର ପାଇବା ପରେ ସେମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦିଲ୍ଲୀ ପହଞ୍ଚିଥିଲେ। ତିନି ବିଶ୍ୱ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନେ କେବଳ କିସ୍ ନୁହେଁ, ଓଡ଼ିଶା, ଭାରତ ଏବଂ ସମଗ୍ର ଜନଜାତିଙ୍କ ପାଇଁ ଗର୍ବ ଓ ଗୌରବ ବୋଲି ପ୍ରକାଶ କରିଛନ୍ତି। ଭାରତ ବିଜେତା ହେବା ପରେ ଏହି ଐତିହାସିକ ସଫଳତା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ ଯୋଗେ ଶୁଭେଚ୍ଛା ଜଣାଇ ଥିବାରୁ ଶ୍ରୀ ସାମନ୍ତ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ସଫଳତା ଲାଗି ଖେଳାଳିମାନେ ଶ୍ରୀ ସାମନ୍ତ ଓ କିସ୍କୁ ଏହାର ଶ୍ରେୟ ଦେଇଛନ୍ତି। ବାଲେଶ୍ୱର ନୀଳଗିରି ଅଞ୍ଚଳର ଶୁଭଶ୍ରୀ ଓ ରାୟଗଡ଼ା କାସନଦରର ମାଗାଇ ୨୦୧୩ରୁ ଖୋ ଖୋ ଖେଳିବା ଆରମ୍ଭ କରିଥିଲେ। ସେହିପରି ଗଜପତି ଜିଲ୍ଲାରୁ ଆସି କିସ୍ରେ ପଢ଼ୁଥିବା ପାବନି ପାଠ ପଢ଼ା ସହ ଖୋ ଖୋ ରେ ନିଜର ରୁଚି ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/01/21/YiuKk40DGoyYaD1mJK5C.jpg)