ଆଡିଲେଡ୍ : ବିଶ୍ବକପ୍ ପ୍ରସ୍ତୁତି ନିମନ୍ତେ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ହକି ଦଳ କ୍ରମାଗତ ଦ୍ବିତୀୟ ପରାଜୟ ବରଣ କରିଛି। ଶନିବାର ପ୍ରଥମ ମ୍ୟାଚ୍ରେ ଆକାଶଦୀପ ସିଂହଙ୍କ ହ୍ୟାଟ୍ରିକ୍ ଗୋଲ୍ ସତ୍ତ୍ବେ ଭାରତ ୪-୫ରେ ହାରିଯାଇଥିଲା। କିନ୍ତୁ ରବିବାର ଦ୍ବିତୀୟ ମ୍ୟାଚ୍ରେ ବ୍ଲାକେ ଗୋଭର୍ସଙ୍କ ହ୍ୟାଟ୍ରିକରେ ଘରୋଇ ଦଳ ୭-୪ ଗୋଲ୍ରେ ବିଜୟୀ ହୋଇଛି। ଫଳରେ ୫ ମ୍ୟାଚ୍ ହକି ଶୃଙ୍ଖଳାରେ ଭ୍ରମଣକାରୀ ଭାରତୀୟ ଦଳ ୦-୨ରେ ପଛୁଆ ହୋଇଯାଇଛି। ଅବଶ୍ୟ ବିଶ୍ବର ଏକନମ୍ବର ମାନ୍ୟତାପ୍ରାପ୍ତ ଦଳ ବିପକ୍ଷରେ ୫ ନମ୍ବର ମାନ୍ୟତାପ୍ରାପ୍ତ ଭାରତ ସେମାନଙ୍କ ପରିବେଶରେ ପ୍ରଶଂସନୀୟ ପ୍ରଦର୍ଶନ କରୁଛି। ପ୍ରଥମ ମ୍ୟାଚ୍ରେ ୯ ଗୋଲ୍ ହୋଇଥିଲା ବେଳେ ଦ୍ବିତୀୟ ମ୍ୟାଚ୍ରେ ୧୧ ଗୋଲ୍ ହୋଇଛି। ଏଥିରୁ ଅଷ୍ଟ୍ରେଲିଆ ୧୨ ଏବଂ ଭାରତ ୮ ଗୋଲ୍ କରିଛି। ରବିବାର ଦ୍ବିତୀୟ ମ୍ୟାଚ୍ ଖେଳିବା ଅବସରରେ ଅଷ୍ଟ୍ରେଲୀୟ ଅଧିନାୟକ ଏଡି ଓକେନ୍ଡେନ୍ ଅନ୍ୟୂନ ୪୦୦ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାରେ ବିଶ୍ବର ସପ୍ତମ ଖେଳାଳି ହୋଇଥିଲେ।
ରବିବାର ମ୍ୟାଚ୍ରେ ଅଧିନାୟକ ହର୍ମନପ୍ରୀତ୍ ସିଂହ ତୃତୀୟ ମିନିଟ୍ରେ ପେନାଲ୍ଟିକୁ ଗୋଲ୍ରେ ପରିଣତ କରି ଭାରତକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ହେଲେ ଗୋଭର୍ସ ଏବଂ ଜାକ୍ ୱେଲ୍ଚଙ୍କ ଦୁଇଟି ଗୋଲ୍ କରି ଅଷ୍ଟ୍ରେଲିଆକୁ ପ୍ରତ୍ୟାବର୍ତ୍ତନ କରାଇଥିଲା। ପ୍ରଥମ ମ୍ୟାଚ୍ରେ ବିଜୟ ସୂଚକ ଗୋଲ୍ କରିଥିବା ଗୋଭର୍ସ ଆଜି ମ୍ୟାଚ୍ର ଦ୍ବାଦଶ (ପେନାଲ୍ଟି), ୨୭ତମ ଏବଂ ୫୩ତମ (ପେନାଲ୍ଟି) ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଗୋଭର୍ସଙ୍କ ବ୍ୟତୀତ ୱେଲ୍ଚ (୧୭ତମ ଓ ୨୪ତମ ମିନିଟ୍) ଦୁଇଟି, ଜାକେ ହ୍ବି (୪୮ତମ ମିନିଟ୍) ଏବଂ ଜାକୋବ ଆଣ୍ଡରସନ୍ (୪୯ତମ ମିନିଟ୍) ମଧ୍ୟ ଗୋଟିଏ ଲେଖାଏଁ ଗୋଲ୍ ଯୋଡ଼ି ଅଷ୍ଟ୍ରେଲିଆ ବିଜୟରେ ପ୍ରମୁଖ ଅବଦାନ ରଖିଥିଲେ। ଏଥି ସହିତ ଭାରତ ବିପକ୍ଷରେ ନିଜର ବିଜୟ ଧାରାକୁ ୧୨କୁ ବୃଦ୍ଧି କରିଥିଲା ଅଷ୍ଟ୍ରେଲିଆ।
ଅନ୍ୟପକ୍ଷରେ ହାର୍ଦିକ୍ ସିଂହ (୨୫ତମ ମିନିଟ୍) ଓ ମହମ୍ମଦ ରାହିଲ (୩୬ତମ ମିନିଟ୍, ପେନାଲ୍ଟି) ଭାରତ ପାଇଁ ଗୋଟିଏ ଲେଖାଏଁ ଗୋଲ୍ କରିଥିଲା ବେଳେ ହର୍ମନପ୍ରୀତ୍ ୬୦ତମ ମିନିଟ୍ରେ ବ୍ୟକ୍ତିଗତ ଦ୍ବିତୀୟ ଗୋଲ୍ କରିଥିଲେ। ଭାରତ ଉନ୍ନତ ପ୍ରଦର୍ଶନ କରିଥିଲା। ଏପରିକି ତୃତୀୟ କ୍ବାର୍ଟର ସୁଦ୍ଧା ମାତ୍ର ଗୋଟିଏ ଗୋଲ୍ ବ୍ୟବଧାନ (୩-୪)ରେ ପଛରେ ରହିଥିଲା। ହେଲେ ଚତୁର୍ଥ ତଥା ଶେଷ କ୍ବାର୍ଟରରେ ଅଷ୍ଟ୍ରେଲିଆ ୩ ଗୋଲ୍ ଲଦି ଦେଇଥିଲା ବେଳେ ଭାରତ ଗୋଟିଏ ଶୁଝି ପାରିଥିଲା। ଭାରତର ପ୍ରଥମ ଓ ଶେଷ ଗୋଲ୍ ହର୍ମନପ୍ରୀତ୍ ପେନାଲ୍ଟିରୁ କରିଥିଲେ। ଏଥିସହିତ ଅଷ୍ଟ୍ରେଲିଆଠୁ ଲଗାତାର ୧୨ ମ୍ୟାଚ୍ରେ ପରାଜୟ ବରଣ କରିଥିଲା ଭାରତ। ଶୃଙ୍ଖଳାର ତୃତୀୟ ମ୍ୟାଚ୍ ଆସନ୍ତା ବୁଧବାର ଖେଳାଯିବ।