ସମ୍ବିତଙ୍କୁ ଦ୍ବିତୀୟ ଆଇଏମ୍‌ ନର୍ମ

ଭୁବନେଶ୍ବର: ଓଡ଼ିଶାର ଅନ୍ତର୍ଜାତୀୟ ଚେସ୍‌ ଖେଳାଳି ସମ୍ବିତ ପଣ୍ଡା ନିଜର ଦ୍ବିତୀୟ ଇଣ୍ଟରନ୍ୟାସ୍‌ନାଲ୍‌ ନର୍ମ ହାସଲ କରିଛନ୍ତି। ଦୁବାଇରେ ଅଗ‌ଷ୍ଟ ୨୭ରୁ ସେପ୍ଟେମ୍ବର ୪ ପର୍ଯ୍ୟନ୍ତ ଆୟୋଜିତ ଦୁବାଇ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ସେ ଏହା ପାଇଛନ୍ତି। ମୋଟ ୯ ରାଉଣ୍ଡରୁ ସେ ୪ ବିଜୟ ଓ ୪ ଡ୍ର’ ସହ ୬ ପଏଣ୍ଟ କରାୟତ୍ତ କରିଥିଲେ। ଚତୁର୍ଥ ରାଉଣ୍ଡରେ ଏହି ୭ ବର୍ଷରୁ କମ୍‌ ଜାତୀୟ ବିଜେତା (୨୦୧୧) ଇଜିପ୍ଟ ଗ୍ରାଣ୍ଡ ମାଷ୍ଟର (ଜିଏମ୍‌) ଆଦ୍‌ଲି ଅହମ୍ମଦଙ୍କୁ ସହ ଡ୍ର ରଖିଥିଲା ବେଳେ ଅଷ୍ଟମ ଓ ନବମ ରାଉଣ୍ଡରେ ଯଥାକ୍ରମେ ଦୁଇ ଜିଏମ୍‌ ଆର୍ଜେଣ୍ଟିନାର ସାଣ୍ଡ୍ରୋ ମାରେକୋ ଓ ଭାରତର ତେଜାସ କୁମାରଙ୍କୁ ପରାସ୍ତ କରିଥିଲେ। ୬ ପଏଣ୍ଟ ସହ ୩୦ତମ ସ୍ଥାନରେ ରହି ‌ସମ୍ବିତ ଆଇଏମ୍‌ ନର୍ମ ପାଇଥିଲେ। ସେ ୨୩୦୦-୨୪୦୦ ରେଟିଂରେ ଶ୍ରେ‌ଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ପୂର୍ବରୁ କାନପୁର ବରିଷ୍ଠ ଜାତୀୟ ଓପନ୍‌ ପ୍ରତିଯୋଗିତାରେ ସେ ପ୍ରଥମ ଆଇମ୍‌ ନର୍ମ ପାଇଥିଲେ। ସେ ଆଉ ଗୋଟିଏ ଆଇଏମ୍‌ ନର୍ମ ପାଇଲେ ଇଣ୍ଟରନ୍ୟାସ୍‌ନାଲ ମାଷ୍ଟର ମୁକୁଟ କରାୟତ୍ତ କରିବେ। ଏହି ସଫଳତା ଲାଗି ତାଙ୍କୁ ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ) ସଭାପତି ଗୋବିନ୍ଦ ଚନ୍ଦ୍ର ମହାପାତ୍ର, ସମ୍ପାଦକ ଦେବବ୍ରତ ଭଟ୍ଟ, ସଂଘର ସମସ୍ତ ସଦସ୍ୟ, ସର୍ବଭାରତୀୟ ଚେସ୍‌ ମହାସଂଘର ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତି ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର