ୱେଲିଂଟନ୍: ଚଳିତ ନ୍ୟୁଜିଲାଣ୍ଡ୍ ବିପକ୍ଷ ପ୍ରଥମ ଟେଷ୍ଟ୍ରେ ଭାରତୀୟ ଖେଳାଳି ବ୍ୟାଟ୍ ଟେକି ଦେଇଛନ୍ତି। ବ୍ୟାଟ୍ସମ୍ୟାନ୍ଙ୍କ ବିଫଳତା କାରଣରୁ ହିଁ ତୃତୀୟ ଦିନରୁ ଭାରତ ଉପରେ ପରାଜୟ ଆଶଙ୍କାର ବୋଝ ପଡ଼ିଛି। କେନ୍ ୱିଲିୟମ୍ସନ୍ଙ୍କ ଘରୋଇ ଦଳ ଏହି ଟେଷ୍ଟ୍କୁ ନିଜ ନିୟନ୍ତ୍ରଣରେ ରଖିଛି। ଭାରତ ନିଜ ଦ୍ବିତୀୟ ପାଳିରେ ୪ ୱିକେଟ୍ ହରାଇ ସାରିଥିଲା ବେଳେ ୩୯ ରନ୍ ପଛରେ ବି ପଡ଼ିଛି।
ଭାରତର ପ୍ରଥମ ପାଳି ୧୬୫ ରନ୍ ଜବାବରେ ନ୍ୟୁଜିଲାଣ୍ଡ୍ ରବିବାର ସକାଳେ ୨୧୬/୫ରୁ ଖେଳିଥିଲା। ହେନରି ନିକୋଲ୍ସ, ବିଜେ ୱାଟଲିଙ୍ଗ, ଟିମ୍ ସାଉଦିଙ୍କୁ ଯଥାକ୍ରମେ ଅଶ୍ବିନ, ବୁମରା, ଈଶାନ୍ତ ସଅଳ ଆଉଟ୍ କରି ଭାରତକୁ ପ୍ରତ୍ୟାବର୍ତନ ସୁଯୋଗ ଦେଇଥିଲେ। ନ୍ୟୁଜିଲାଣ୍ଡ୍ ହଠାତ ୨୨୫/୭ରେ ପହଞ୍ଚିଯାଇଥିଲା। ଏହି ସମୟରେ କିନ୍ତୁ କଲିନ୍ ଗ୍ରାଣ୍ଡହୋମ୍ (୪୩, ୭୪ ବଲ୍) ଏବଂ କାଇଲ୍ ଜାମିସନ୍ (୪୪, ୪୫ ବଲ୍, ୧ ଚୌକା, ୪ ଛକା)ଙ୍କ ମଧ୍ୟରେ ହୋଇଥିବା ୭୧ ରନ୍ ଭାଗୀଦାରି ନ୍ୟୁଜିଲାଣ୍ଡ୍କୁ ଲେଉଟାଣୀ ସୁଯୋଗ ଆଣି ଦେଇଥିଲା। ଶେଷ ଭାଗରେ ଅଜାଜ ପଟେଲ୍ (୪*, ୨୦ ବଲ୍)ଙ୍କୁ ସାଥୀ କରି ଟ୍ରେଣ୍ଟ୍ ବୋଲଟ୍ (୩୮, ୨୪ ବଲ୍, ୫ ଚୌକା, ୧ ଛକା) ଦଶମ ୱିକେଟ୍ରେ ୩୮ ରନ୍ ଯୋଡ଼ିବା ମଧ୍ୟ ଘରୋଇ ଦଳକୁ ଦୃଢ଼ ସ୍ଥିତିରେ ପହଞ୍ଚାଇ ଦେଇଥିଲା। ନ୍ୟୁଜିଲାଣ୍ଡ୍ ପ୍ରଥମ ପାଳି ୩୪୮ ରନ୍ରେ ଶେଷ ହୋଇଥିଲା। ବୋଲଟଙ୍କୁ ଆଉଟ୍ କରି ଈଶାନ୍ତ ନିଜର ପଞ୍ଚମ ୱିକେଟ୍ ଅକ୍ତିଆର କରି ବିଦେଶ ମାଟିରେ ଭାରତ ପାଇଁ ଏକାଧିକ କୀର୍ତ୍ତିମାନରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରବିଚନ୍ଦ୍ରନ୍ ଅଶ୍ବିନଙ୍କୁ ୩, ବୁମରା ଓ ସାମିଙ୍କୁ ୧-୧ ୱିକେଟ୍ ମିଳିଥିଲା।
ପ୍ରଥମ ପାଳିରେ ଭାରତ ୧୮୩ ରନ୍ ପଛରେ ପଡ଼ି ମଧ୍ୟାହ୍ନ ଭୋଜନ ବିରତି ପରେ ଦ୍ବିତୀୟ ପାଳି ଖେଳିବାକୁ ଆସିଥିଲା। ପୃଥ୍ବୀ ସ’ (୧୪), ଚେତେଶ୍ବର ପୂଜାରା (୧୧), ବିରାଟ କୋହଲି (୧୯)ଙ୍କ ବିଫଳତା କାରଣରୁ ଭାରତ ଅଡୁଆରେ ପଡ଼ିଥିଲା। ପୃଥ୍ବୀଙ୍କ ବିଦେଶ ବିଫଳତା ସହିତ ଅଧିନାୟକ କୋହଲିଙ୍କ ନ୍ୟୁଜିଲାଣ୍ଡ୍ ନିରାଶା ଯାତ୍ରା ଭାରତକୁ ନିମ୍ନଗାମୀ କରିଛି। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ମୟଙ୍କ ଅଗ୍ରୱାଲ୍ (୫୮, ୯୯ ବଲ୍, ୭ ଚୌକା, ୧ ଛକା) କିନ୍ତୁ ଭଲ ଖେଳିବା ସତ୍ତ୍ବେ ଏହାକୁ ବଡ଼ ପାଳିରେ ରୂପାନ୍ତର କରିପାରିନଥିଲେ। ରବିବାର ଷ୍ଟମ୍ପ୍ସ ଅପସାରଣ ବେଳକୁ ଭାରତ ୪ ୱିକେଟ୍ରେ ୧୪୪ ରନ୍ କରିଥିଲା। ହାତରେ ୬ ୱିକେଟ୍ ଥାଇ ଦଳ ତଥାପି ୩୯ ରନ୍ ପଛରେ ରହିଛି। ଆଉ ଦୁଇ ଦିନ ଖେଳ ଥିବାରୁ ଭାରତ ଏହି ଟେଷ୍ଟ୍ରେ ବର୍ତିବା ସମ୍ଭାବନା କ୍ଷୀଣ ରହିଛି। ନ୍ୟୁଜିଲାଣ୍ଡ୍ ପକ୍ଷରୁ ବିସ୍ଫୋରକ ବ୍ୟାଟିଂ କରିବା ପରେ ଟ୍ରେଣ୍ଟ୍ ବୋଲଟ୍ ୩ ୱିକେଟ୍ ନେଇ ଭାରତକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଛନ୍ତି।