ଭୁବନେଶ୍ବର: ସୋମବାର କଳିଙ୍ଗ ଷ୍ଟାଡିୟମ୍‌ରେ ଚଳିତ ଋତୁର ଦ୍ବିତୀୟ ଆଇଏସ୍‌ଏଲ୍ ମ୍ୟାଚ୍‌ ଖେଳାଯିବ। ଘରୋଇ ଦଳ ଓଡ଼ିଶା ଏଫ୍‌ସି ସହିତ ମୁହାଁମୁହିଁ ହେବ ଚେନ୍ନାୟିନ୍‌ ଏଫ୍‌ସି। ଏହି ମ୍ୟାଚ୍‌ରେ ଏକ ଅପୂର୍ବ ସଂଯୋଗ ଦେଖିବାକୁ ମିଳିବ। ଓଡ଼ିଶା ଏଫ୍‌ସିର ନିୟମିତ ଖେଳାଳି ତାମିଲନାଡୁର ନନ୍ଦକୁମାର ସେକର ନିଜ ରାଜ୍ୟ ଦଳ ଚେନ୍ନାୟିନ୍ ବିପକ୍ଷରେ ଖେଳିବେ। ଚଳିତ ଋତୁରେ ଓଡ଼ିଶା ଏଫ୍‌ସିର ସମସ୍ତ ୧୦ ମ୍ୟାଚ୍‌ ଖେଳିଥିବାରୁ ଅବଶିଷ୍ଟ ମ୍ୟାଚ୍‌ଗୁଡିକରେ ବି ନିଜ ପ୍ରଦର୍ଶନ ଜାରି ରଖିବେ‌ ବୋଲି ଆଶାବାଦୀ ଅଛନ୍ତି। ‘ମୁଁ ଚେନ୍ନାୟିନ୍‌ ଏଫ୍‌ସି ବିପକ୍ଷରେ ଖେଳିବାକୁ ଉତ୍ସାହିତ ରହିଛି। ଗତ ମ୍ୟାଚ୍‌ରେ ପ୍ରଶଂସକଙ୍କଠାରୁ ମିଳିଥିବା ସମର୍ଥନ ଲାଗି ମୁଁ ପ୍ରଥମେ ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ସେହି ଚମତ୍କାର ସମର୍ଥନ ମିଳିବାରୁ ଦଳ ଭଲ ଖେଳିଥିଲା’ ବୋଲି କହିଛନ୍ତି ନନ୍ଦକୁମାର। ସୂଚନାଯୋଗ୍ୟ, ଷ୍ଟାଡିୟମ୍‌ ପ୍ରସ୍ତୁତିରେ ବିଳମ୍ବ ହେବାରୁ ଓଡ଼ିଶା ଏଫ୍‌ସି ନିଜର ପ୍ରଥମ ୩ ଘରୋଇ ମ୍ୟାଚ୍‌ ପୁନେରେ ଖେଳିବା ପରେ ଗତ ଡିସେମ୍ବର ୨୭ ତାରିଖରେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଜାମ୍‌ସେଦପୁର ଏଫ୍‌ସିକୁ ୨-୧ ଗୋଲ୍‌ରେ ପରାସ୍ତ କରିଥିଲା। ଚେନ୍ନାୟିନ୍‌ ଏଫ୍‌ସି ବିପକ୍ଷ ପ୍ରଥମ ଚରଣ ମୁକାବିଲା ଚେନ୍ନାଇରେ ଖେଳାଯାଇଥିଲା। ଯେଉଁ ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଏଥର ଦଳ ଉନ୍ନତ ଫଳାଫଳ ଆଶା ରଖିଛି। ‘ପୂର୍ବ ମ୍ୟାଚ୍‌ ତୁଳନାରେ ଆମେ ଉନ୍ନତ ଫଳାଫଳ ଆଶା ରଖିଛୁ। ଚେନ୍ନାଇରେ ଭଲ ମ୍ୟାଚ୍‌ ହୋଇଥିଲା। ଆମେ ସୋମବାର ନିଶ୍ଚିତ ଅଧିକ ଉନ୍ନତ ଖେଳିବାକୁ‌ ଚେଷ୍ଟା କରିବୁ। ବାହାର ପ୍ରଶଂସକମାନେ ମୋ ସହିତ ଓଡ଼ିଶା ଏଫ୍‌ସିକୁ ସମର୍ଥନ କରିପାରନ୍ତି’ ବୋଲି କହିଥିଲେ ଏହି ତାମିଲ ତାରକା।

Advertisment

ଏଟିକେ ଶୀର୍ଷକୁ ଉଠିଲା: ମୁମ୍ବାଇ ଆରେନାରେ ଖେଳାଯାଇଥିବା ଶନିବାର ମ୍ୟାଚ୍‌ରେ ୨ ଥର ବିଜେତା ଏଟିକେ ୨-୦ ଗୋଲ୍‌ରେ ମୁମ୍ବାଇ ସିଟି ଏଫ୍‌ସିକୁ ପରାସ୍ତ କରି ପଏଣ୍ଟ ଟେବୁଲ୍ ଶୀର୍ଷକୁ ଉଠିଛି। ଏଟିକେ ଏବଂ ଗୋଆ ୧୧ ଲେଖାଏଁ ମ୍ୟାଚ୍‌ ଖେଳି ୨୧ ପଏଣ୍ଟ ସହ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି। ବେଙ୍ଗାଲୁରୁ ଏଫସି (୧୯) ଓ ମୁମ୍ବାଇ ସିଟି (୧୬) ପରବର୍ତୀ ୨ ସ୍ଥାନରେ ରହିଛନ୍ତି।