ପୁରୀରେ ଦ୍ବିତୀୟ ଜଗନ୍ନାଥ ମନ୍ଦିର ବିବାଦ, ଜିଲ୍ଲାପାଳଙ୍କ ନିକଟରେ ପକ୍ଷ ରଖିଲେ ଇସ୍କନ୍‌ ଓ ଅଭିଯୋଗକାରୀ

ପୁରୀ,: ସିପସରୁବାଲି ମୌଜାରେ ନିର୍ମିତ ହେବାକୁ ଥିବା ବହୁଚର୍ଚ୍ଚିତ ଦ୍ବିତୀୟ ଜଗନ୍ନାଥ ମନ୍ଦିର ବିବାଦ ସଂପର୍କିତ ମାମଲାର ଆଜି ଶୁଣାଣି କରାଯାଇଛି। ପୁରୀ ଜିଲ୍ଲାପାଳ ତଥା ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ (ପିକେଡିଏ) ଉପାଧ୍ୟକ୍ଷଙ୍କ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଇସ୍କନ୍‌, ଅଭିଯୋଗକାରୀ ଓ ପିକେଡିଏ କର୍ତ୍ତୃପକ୍ଷ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ନିଜ ନିଜର ପକ୍ଷ ରଖିବା ସହିତ ସତ୍ୟପାଠ ମଧ୍ୟ ଦାଖଲ କରିଛନ୍ତି। ଇସ୍କନ୍‌ ପକ୍ଷରୁ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ବଂଶୀଧର ବାଗ, ଅଭିଯୋଗକାରୀଙ୍କ ପକ୍ଷରୁ ଆଇନଜୀବୀ ଅଶୋକ ଦାସ ଓ ପିକେଡି ପକ୍ଷରୁ ପ୍ଲାନିଂ ବୋର୍ଡର ସଦସ୍ୟ ସେମାନଙ୍କ ପକ୍ଷ ରଖିଥିଲେ। ସମସ୍ତ ପକ୍ଷର ଯୁକ୍ତି ଶୁଣିବା ପରେ ସେ ସଂକ୍ରାନ୍ତୀୟ ତଥ୍ୟ ଦାଖଲ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଇସ୍କନ୍‌ ପକ୍ଷରୁ ଦାଖଲ କରାଯାଇଥିବା ଯୁକ୍ତି ଓ ସତ୍ୟପାଠରେ ପ୍ରସ୍ତାବିତ ଜାଗାରେ କୌଣସି ଜଗନ୍ନାଥ ମନ୍ଦିର ବା ଦ୍ବିତୀୟ ଜଗନ୍ନାଥ ମନ୍ଦିର ନିର୍ମାଣ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ବଂଶୀଧର ବାଗଙ୍କ ସୂଚନା ମୁତାବକ, ଇସ୍କନ୍‌ର ପ୍ରସ୍ତାବିତ ମନ୍ଦିରରେ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ମୂର୍ତ୍ତି ରଖାଯିବ ନାହିଁ। ଏହି ମନ୍ଦିରରେ କେବଳ ରାଧାକୃଷ୍ଣ ଓ ନିତାଇ ଗୌରାଙ୍ଗ ମୂର୍ତ୍ତି ରହିବ। ମନ୍ଦିରରେ ପ୍ରସାଦ ସେବନ ଗୃହ, ଅଡିଟୋରିୟମ ଓ ମ୍ୟୁଜିୟମ ନିର୍ମାଣ କରାଯିବ। ଏହା ପୂର୍ବରୁ ମଧ୍ୟ ମାନ୍ୟବର ହାଇକୋର୍ଟରେ ଏ ସଂକ୍ରାନ୍ତରେ ସତ୍ୟପାଠ ଦାଖଲ କରାଯାଇଛି। ତେଣୁ ମନ୍ଦିର ନିର୍ମାଣ ପାଇଁ ଅନୁମତି ଦେବାକୁ ନିବେଦନ କରାଯାଇଛି। ଅନ୍ୟପକ୍ଷରେ ଅଭିଯୋଗକାରୀ ବିଜୟ ପଣ୍ଡାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ଦାସ ଏ ନେଇ ପାଲଟା ଯୁକ୍ତି କରିଥିଲେ। ପ୍ରସ୍ତାବିତ ମନ୍ଦିର ଅଞ୍ଚଳ ସିଆରଜେଡ୍‌ ଅଧୀନରେ ଆସୁଥିବାରୁ ପିକେଡିଏ ମନ୍ଦିର ନିର୍ମାଣ ଲାଗି କୌଣସି ଅନୁମତି ଦେଇପାରିବ ନାହିଁ। ଅନ୍ୟପକ୍ଷରେ ଏହି ଜମି ମାଲିକାନାକୁ ନେଇ ମାମଲା ବିଚାରଧୀନ ଥିବା, ଅଧାରୁ ଅଧିକ ଜମି ସରକାରୀ ଜବରଦଖଲରେ ଥିବା ଓ ମନ୍ଦିରକୁ ରାସ୍ତା ନଥିବାରୁ ଇସ୍କନ୍‌ର ଅନୁମତି ବାତିଲ କରିବାକୁ ସେ ଯୁକ୍ତି ବାଢିଥିଲେ। ଏ ମାମଲାରେ ପିକେଡିଏ ମଧ୍ୟ ନିଜର ପକ୍ଷ ରଖିଥିଲା।

ସମ୍ବନ୍ଧିତ ଖବର