ରାୱଲପିଣ୍ଡି : ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ପାକିସ୍ତାନ ୫ ୱିକେଟ୍ରେ ଜିତିବା ପରେ ଶନିବାର ଦ୍ବିତୀୟ ଦିନିକିଆକୁ ୭ ୱିକେଟ୍ରେ ଜିତିନେଇଛି। ଡାରେଲ୍ ମିଚେଲ୍ଙ୍କ ଶତକ (୧୨୯) ସାଙ୍ଗକୁ ଟମ୍ ଲାଥମ୍ (୯୮) ଓ ଛଦ୍ ବୋୱିସ୍ (୫୧) ଙ୍କ ଅର୍ଦ୍ଧଶତକୀୟ ପାଳି ସହଯୋଗରେ ନ୍ୟୁଜିଲାଣ୍ଡ ୫ ୱିକେଟ୍ ବିନିମୟରେ ୩୩୬ ରନ୍ ସଂଗ୍ରହ କରିଥିଲା। କିନ୍ତୁ ବଡ଼ ଲକ୍ଷ୍ୟ ସତ୍ତ୍ବେ ଘରୋଇ ଦଳ ପାଇଁ ଫକର ଜମାନ୍ଙ୍କ ଅପରାଜିତ ଶତକ (୧୮୦*) ଏବଂ ବାବର ଆଜମ୍ (୬୫) ଓ ମହମ୍ମଦ ରିଜୱାନ୍ (୫୪*) ଙ୍କ ଅପରାଜିତ ଅର୍ଦ୍ଧଶତକ ସହଯୋଗରେ ପାକିସ୍ତାନ ୧୦ ବଲ୍ ପୂର୍ବରୁ ମ୍ୟାଚ୍ ଜିତିଥିଲା। ଏହାଫଳରେ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ପାକିସ୍ତାନ ୨-୦ର ଅଗ୍ରଣୀ ପାଇଛି।
ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିଲା। ଷଷ୍ଠ ଓଭରରେ ୱିଲ୍ ୟଙ୍ଗ୍ (୧୯) ଙ୍କୁ ହାରିସ୍ ରୌଫ୍ ଆଉଟ୍ କରି ପ୍ରାରମ୍ଭିକ ସଫଳତା ଦେଇଥିଲେ। ମିଚେଲ୍-ବୋୱିସ୍ ଦ୍ବିତୀୟ ୱିକେଟ୍ରେ ୮୬ ଏବଂ ମିଚେଲ୍-ଲାଥମ୍ ତୃତୀୟ ୱିକେଟ୍ରେ ୧୮୩ ରନ୍ ଯୋଡ଼ି ଦଳକୁ ୩୦୦ ପାର୍ କରାଇଥିଲେ। ରୌଫ୍ଙ୍କୁ ୪ ୱିକେଟ୍ ମିଳିଥିଲା। ବିଜୟ ଲକ୍ଷକୁ ପିଛା କରି ଜମାନ୍ ଗୋଟିଏ ପଟରୁ ପାଳି ସମ୍ଭାଳିବା ସହ ଇମାମ୍ ଉଲ୍ ହକ୍ (୨୪)ଙ୍କ ସହ ୬୬ ରନ୍, ବାବରଙ୍କ ସହ ୧୩୫ ଓ ରିଜୱାନ୍ଙ୍କ ସହ ୧୧୯* ରନ୍ର ଭାଗୀଦାରି କରି ଦଳକୁ ଜିତାଇଥିଲେ।