ଆଜି ଦ୍ୱିତୀୟ ଦିନିକିଆ:ମୋହାଲିରେ ପ୍ରତିଶୋଧ ଲକ୍ଷ୍ୟ

ପ୍ରସାରଣ: ଷ୍ଟାର୍‌ ସ୍ପୋର୍ଟସ୍‌:ସମୟ: ପୂର୍ବାହ୍ନ ୧୧.୩୦

ମୋହାଲି: ଧର୍ମଶାଳାରେ ଧରାଶାୟୀ ହେବା ପରେ ଭାରତୀୟ କ୍ରିକେଟ୍‌ ଦଳ ବୁଧବାର ମୋହାଲିରେ ଖେଳିବ ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆ। ଶୃଙ୍ଖଳାରେ କାଏମ ରହିବା କିମ୍ବା ଜିତିବା ଆଶାକୁ ବଳବତ୍ତର ରଖିବା ଲାଗି ମୋହାଲିରେ ଭାରତକୁ ଜିତିବା ଜରୁରୀ ହୋଇପଡ଼ିଛି। ଲମ୍ବା ଘରୋଇ ଋତୁରେ ପ୍ରାଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଧର୍ମଶାଳା ପରାଜୟ ଏବେ ଦଳ ପାଇଁ ଆତ୍ମଚିନ୍ତନର ସମୟ ଆଣିଛି। ଏହା ମଧ୍ୟ କୋଲ୍‌କାତା ଟେଷ୍ଟ୍‍ରେ ଭାରତୀୟ ଦଳର ପ୍ରଥମ ପାଳି ବିପର୍ଯ୍ୟୟକୁ ପୁଣି ଚର୍ଚା ପରିସର ଭୁକ୍ତ କରିଛି। ଏହି ମ୍ୟାଚ୍‌ ମଧ୍ୟ ମଧ୍ୟାହ୍ନ ୧୧.୩୦ରେ ଆରମ୍ଭ ହେବ।
ଧର୍ମଶାଳାରେ ମହେନ୍ଦ୍ର ସିଂହ ଧୋନି ୬୫ ରନର ଆବଦାନ ରଖିନଥିଲେ ହୁଏତ ଭାରତ ନିଜର ସର୍ବନିମ୍ନ ସ୍କୋର୍‌ କରିଥାନ୍ତା। ଶିଖର ଧାଓ୍ଵନ ଓ ରୋହିତ ଶର୍ମାଙ୍କ ସଅଳ ବିଦାୟ ପରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଯୁବ ଖେଳାଳିମାନେ ଏହାର ଫାଇଦା ଉଠାଇ ପାରିନଥିଲେ। ନିଜର ପ୍ରଥମ ଅଧିନାୟକତ୍ୱ ମ୍ୟାଚ୍‌ରେ ପରାଜୟ ବରଣ କରିଥିଲେ ମଧ୍ୟ ରୋହିତ ଶର୍ମା କହିଛନ୍ତି ଦଳ ଏଥିରୁ ଅନେକ କିଛି ଶିଖିଛି। ଦଳୀୟ ଏକାଦଶକୁ ନେଇ ରୋହିତ ବିଶେଷ ଚିନ୍ତିତ ନ ଥିଲେ ମଧ୍ୟ ଅଜିଙ୍କ୍ୟ ରାହାଣେଙ୍କୁ ମଧ୍ୟକ୍ରମରେ ଖେଳାଇବା ଲକ୍ଷ୍ୟରେ ଅଛନ୍ତି। ଧର୍ମଶାଳାରେ ଭାରତୀୟ ସ୍ପିନରଙ୍କୁ ବୋଲିଂ କରିବାକୁ ପଡ଼ିନଥିଲା। ଫଳରେ ୟୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବଙ୍କୁ ମାସକ ପରେ ପୁଣି ବୋଲିଂ କରିବାକୁ ପଡ଼ିବ।
ଅନ୍ୟପକ୍ଷରେ ୧୨ ମ୍ୟାଚ୍‌ ପରାଜୟ ଧାରାକୁ ରୋକିବା ପରେ ଶ୍ରୀଲଙ୍କାର ମନୋବଳ ଉପରମୁହାଁ ହୋଇଛି। ବିଶେଷ କରି ସୁରଙ୍ଗା ଲକମଲ୍‌ ଓ ଆଞ୍ଜେଲୋ ମାଥ୍ୟୁସ ଯେଭଳି ବୋଲିଂ କଲେ ତାହା ଅତିଥି ଦଳର ଆତ୍ମବିଶ୍ୱାସ ବଢ଼ାଇଛି। ମୋହାଲି ପିଚ୍‌ ପାରମ୍ପାରିକ ଭାବେ ଦ୍ରୁତ ବୋଲରଙ୍କୁ ସହାୟତା ଦେଉଥିବାବେଳେ ଏଥର ମଧ୍ୟ ସେଭଳି ଆକଳନ କରାଯାଇଛି। ଗତ ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦିନିକିଆରେ ମ୍ୟାଚ୍‌ରେ ଦ୍ରୁତ ବୋଲରମାନେ ୧୩ ଓ୍ଵିକେଟ୍‌ ନେଇଥିେ। ବିରାଟ କୋହଲିଙ୍କ ୧୫୪* ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ଦାୟିତ୍ୱପୂର୍ଣ୍ଣ ୮୦ରନ୍‌ ବଳରେ ଭାରତ ୨୮୬ ରନ୍‌କୁ ପଛରେ ପକାଇଥିଲା।
ଭାରତ (ସମ୍ଭାବ୍ୟ ୧୧): ରୋହିତ ଶର୍ମା (ଅଧିନାୟକ), ଶିଖର ଧାଓ୍ଵନ, ଶ୍ରେୟସ ଆୟର୍‌, ଦୀନେଶ କାର୍ତିକ, ମନୀଷ ପାଣ୍ଡେ, ମହେନ୍ଦ୍ର ସିଂହ ଧୋନି (ଓ୍ଵିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର, କୁଲଦୀପ ଯାଦବ/ଅକ୍ଷର ପଟେଲ୍‌, ଯଶପ୍ରୀତ ବୁମରା, ୟୁଜବେନ୍ଦ୍ର ଚହଲ୍‌।
ଶ୍ରୀଲଙ୍କା (ସମ୍ଭାବ୍ୟ ୧୧): ଉପୁଲ ଥରଙ୍ଗା, ଦାନୁଷ୍କ ଗୁଣତିଳକ, ସଦୀରା ସମରବିକ୍ରମା/କୁସଲ ପେରେରା/ଲାହିରୁ ଥିରିମାନେ, ନିରୋଶନ ଡିକେଓ୍ଵଲା (ଓ୍ଵିକେଟରକ୍ଷକ), ଆଞ୍ଜେଲୋ ମାଥ୍ୟୁସ, ତିସରା ପେରେରା (ଅଧିନାୟକ), ଆସେଲା ଗୁଣରତ୍ନେ, ଚତୁରଙ୍ଗା ଡି’ ସିଲଭା/ସଚିତ ପଥିରଣା/ଦୁଷ୍ମନ୍ତ ଚାମିରା, ସୁରଙ୍ଗା ଲାକମଲ, ନୁଓ୍ଵାନ ପ୍ରଦୀପ, ଅଖିଳ ଧନଞ୍ଜୟ।

ସମ୍ବନ୍ଧିତ ଖବର