ବାର୍ବାଡସ୍: ପ୍ରଥମ ଦିନିକିଆରେ ପରାଜିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ଦ୍ବିତୀୟ ମ୍ୟାଚ୍କୁ ଜିତି ଶୃଙ୍ଖଳା ବରାବର କରିଛି। କେନସିଙ୍ଗଟନ୍ ଓଭାଲ୍ରେ ଖେଳାଯାଇଥିବା ଦ୍ବିତୀୟ ମ୍ୟାଚ୍ରେ ଘରୋଇ ଦଳ ୬ ୱିକେଟ୍ରେ ଭାରତକୁ ପରାସ୍ତ କରିଛି। ଭାରତ ଦ୍ବାରା ଧାର୍ଯ୍ୟ ୧୮୨ ରନ୍ର ଲକ୍ଷ୍ୟକୁ ୱେଷ୍ଟଇଣ୍ଡିଜ୍ ୩୬.୪ ଓଭରରେ ହାସଲ କରିଥିଲା। ପ୍ରଥମ ମ୍ୟାଚ୍ରେ କୁଲଦୀପ-ଜାଦେଜା ଯୋଡ଼ି ଯେଉଁ ପ୍ରଦର୍ଶନ ଦେଇଥିଲେ, ଦ୍ବିତୀୟ ମ୍ୟାଚ୍ରେ ଉଭୟ ସଂପୂର୍ଣ୍ଣ ଭାବେ ପ୍ରଭାବହୀନ ହୋଇଥିଲେ। ଶାର୍ଦ୍ଦୁଳ ଠାକୁର ପ୍ରଥମ ତିନି ୱିକେଟ୍ ଖସାଇଥିଲେ ବି କାଇଲ୍ ମାୟର୍ସ ୩୬ ରନ୍ର ଦ୍ରୁତ ପାଳି ଖେଳି ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ। ପରେ ଅଧିନାୟକ ସାଇ ହୋପ୍ଙ୍କ ଅପରାଜିତ ଅର୍ଦ୍ଧଶତକ (୬୩*) ସହିତ କିସି କାର୍ଟି (୪୮*) ଘରୋଇ ଦଳକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ। ମ୍ୟାଚ୍ ବିଜୟୀ ପାଳି ପାଇଁ ହୋପ୍ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଏଥିପୂର୍ବରୁ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ ଦେଇଥିଲା। ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଏଥର ରୋହିତ ଶର୍ମା ଓ ବିରାଟ କୋହଲି ବିଶ୍ରାମ ନେଇଥିଲା ବେଳେ ତାଙ୍କ ସ୍ଥାନରେ ସଞ୍ଜୁ ସାମସନ୍ ଓ ଅକ୍ଷର ପଟେଲ୍ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇଥିଲେ। ହେଲେ ଏହି ପରୀକ୍ଷା ମଧ୍ୟ ଫେଲ୍ ମାରିଛି। ସଞ୍ଜୁ (୯) ଓ ଅକ୍ଷର (୧) ଦୁଇ ଅଙ୍କରେ ବି ପହଞ୍ଚିପାରିନଥିଲେ। କେବଳ ଗିଲ୍ ଓ ଈଶାନ ୧୬.୫ ଓଭରରେ ୯୦ ରନ୍ର ମଜବୁତ୍ ଭାଗୀଦାରି କରିଥିଲେ। ଗୁଡ଼କେଶ ମୋତି ୧୭ ତମ ଓଭରରେ ଗିଲ୍ (୩୪)ଙ୍କୁ ଆଉଟ୍ କରି ଏହି ଯୋଡ଼ି ଭାଙ୍ଗିଥିଲା ବେଳେ ୩ ବଲ୍ ପରେ ଶୃଙ୍ଖଳାରେ ଦ୍ବିତୀୟ ଅର୍ଦ୍ଧଶତକ ଅର୍ଜନ କରିଥିବା ଈଶାନ (୫୫) ମଧ୍ୟ ପ୍ୟାଭିଲିଅନ୍ ଫେରି ଆସିଥିଲେ। ଏମାନଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ମୂଳଦୁଆକୁ ଅନ୍ୟମାନେ କାଏମ ରଖିପାରିନଥିଲେ। ସଞ୍ଜୁ ଓ ଅକ୍ଷରଙ୍କ ପରେ ହାର୍ଦିକ ପାଣ୍ଡ୍ୟା ୭ ରନ୍ କରି ଆଉଟ୍ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ (୨୪) ଓ ରବୀନ୍ଦ୍ର ଜାଦେଜା (୧୦) ଦୁଇ ଅଙ୍କରେ ପହଞ୍ଚିପାରିଥିଲେ ବି ଲମ୍ବା ସମୟ ପର୍ଯ୍ୟନ୍ତ ଖେଳିପାରିନଥିଲେ। ଦୁଇ ଥର ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍ରେ ଭାରତ ପାଳି ୪୦.୫ ଓଭରରେ ଶେଷ ହୋଇଯାଇଥିଲା। ମୋତି (୨/୨୭), ରୋମାରିଓ ସେଫର୍ଡ (୩/୩୦) ଓ ୟାନିକ କାରିଆ (୧/୨୫) ଭାରତୀୟ ବ୍ୟାଟିଂକ୍ରମ ଭାଙ୍ଗିଥିଲେ।
ସଂକ୍ଷିପ୍ତ ସ୍କୋର: ଭାରତ ୪୦.୫ ଓଭରରେ ୧୮୧/୧୦ (ଈଶାନ କିଶନ-୫୫, ଶୁବମନ ଗିଲ୍-୩୪, ସୂର୍ଯ୍ୟକୁମାର ଯାଦବ-୨୪, ଶାର୍ଦୁଳ ଠାକୁର-୧୬, ଗୁଡ଼କେଶ ମୋତି-୩/୩୬, ରୋମାରିଓ ସେଫର୍ଡ-୩/୩୭, ଅଲଜାରି ଯୋସେଫ-୨/୩୫, ୟାନିକ କାରିଆ-୧/୨୫, ଜୟଦେନ ସିଲ୍ସ-୧/୨୮)। ୱେଷ୍ଟଇଣ୍ଡିଜ୍ ୩୬.୪ ଓଭରରେ ୧୮୨/୪ (ସାଇ ହୋପ୍-୬୩*, କିସି କାର୍ଟି-୪୮*, କାଇଲ୍ ମାୟର୍ସ-୩୬, ଶାର୍ଦ୍ଦୁଳ ଠାକୁର-୩/୪୨, କୁଲଦୀପ ଯାଦବ-୧/୩୦)।