ଦ୍ବିତୀୟ ଦିନିକିଆ: ଭାରତର ଆଗୁଆ ଶୃଙ୍ଖଳା କବ୍‌ଜା

ଓପନର୍‌‌ ଦେଲେ ବିଜୟ: ୧୦ ୱିକେଟ୍‌ରେ ହାରିଲା ଶ୍ରୀଲଙ୍କା

ପାଲିକଲ: ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାକୁ ଭାରତୀୟ ମହିଳା କ୍ରିକେଟ୍‌ ଦଳ ୨-୦ରେ ଆଗୁଆ କବ୍‌ଜା କରିନେଇଛି। ପ୍ରଥମ ଦିନିକିଆକୁ ୪ ୱିକେଟ୍‌ ଜିତିଥିବା ଭାରତ ସୋମବାର ଦ୍ବିତୀୟ ମ୍ୟାଚ୍‌କୁ ୧୦ ୱିକେଟ୍‌ରେ ଜିତି ନେଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଶ୍ରୀଲଙ୍କା ସମସ୍ତ ୱିକେଟ୍‌ ହରାଇ ୧୭୩ ରନ୍‌ କରିଥିଲା। ଆମା କା‌ଞ୍ଚନା ଦଳ ପକ୍ଷରୁ ସର୍ବାଧିକ ୪୭* ରନ୍‌ କରିଥିଲେ। ଭାରତ ପକ୍ଷରୁ ରେଣୁକା ସିଂହ (୧୦-୧-୨୮-୪) ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର ପାଇଥି‌ଲା ବେଳେ ମେଘନା ସିଂହ ଓ ଦୀପ୍ତି ଶର୍ମା ୨ ଲେଖାଏଁ ୱିକେଟ୍‌ ନେଇଥିଲେ। ଜବାବରେ ଦୁଇ ଓପନର୍‌ ସେଫାଲି ବର୍ମା (୭୧*, ୭୧ ବଲ୍‌, ୪ ଚୌକା, ୧ ଛକା) ଏବଂ ସ୍ମୃତି ମନ୍ଧାନା (୯୪*, ୮୩ ବଲ୍‌, ୧୧ ଚୌକା, ୧ ଛକା) ଅପରାଜିତ ରହି ଭାରତକୁ ୨୫.୪ ଓଭରରେ ବିଜୟ ଭେଟି ଦେଇଥିଲେ। ରେଣୁକା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଶେଷ ଦିନିକିଆ ଗୁରୁବାର ଖେଳାଯିବ।

ସମ୍ବନ୍ଧିତ ଖବର